ରାଜ୍ୟ ସ୍ପେଶାଲ ରିପୋର୍ଟ

୨୧ କୋଟିର ବିଜୁ ସେତୁ ଏବେ ବିରିଖଳା

ଧର୍ମଶାଳା: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଅରାବଳ-ରମାପୁର ବିଜୁସେତୁର ସଂଯୋଗୀକରଣ ତ୍ରୁଟିପୂର୍ଣ୍ଣ ଭାବେ ନିର୍ମାଣ ହୋଇଛି। ଯାତାୟାତ ସମୟରେ ସାମାନ୍ୟ ଅସାବଧାନ ହେଲେ ତ୍ରୁଟିପୂର୍ଣ୍ଣ ଏହି ସଂଯୋଗୀକରଣ ରାସ୍ତାରେ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। ଏପରିକି ଏହି ସଂଯୋଗ ରାସ୍ତାକୁ ପିଚୁ କିମ୍ବା କଂକ୍ରିଟ୍ କରାଯାଇନାହିଁ। କେଲୁଅ ନଦୀ ଉପରେ ହୋଇଥିବା ଏହିସେତୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇନଥିବା ବେଳେ ଏବେ ଚାଷୀଙ୍କ ବିରିଖଳା ପାଲଟିଛି। ସମ୍ପୃକ୍ତ ଠିକାସଂସ୍ଥା ଜମି ଅଧିଗ୍ରହଣରେ ବିଫଳ ହେବାରୁ ଠିକ୍ ଭାବେ ସଂଯୋଗ ରାସ୍ତା ନିର୍ମାଣ ହୋଇପାରିଲାନାହିଁ। ଜମି ଅଭାବରୁ ୩ବର୍ଷ ହେଲା ସଂଯୋଗୀକରଣ ଅଧପନ୍ତରିଆ ହୋଇ ପଡ଼ିରହିଛି।

ପ୍ରକାଶ ଯେ, ଅରାବଳ, କୋତପୁର, କଦମପାଳ ଓ ଅରେଇକଣା ପଞ୍ଚାୟତବାସୀଙ୍କ ଯାତାୟାତ ପାଇଁ ବିଜୁସେତୁ ଯୋଜନାରେ ଅରାବଳ-ରମାପୁର ରାସ୍ତାର ମହନପୁର ଗାଁ ନିକଟରେ ସେତୁ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଥିଲା। ଏଥିପାଇଁ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ମାଧ୍ୟମରେ ୧୪କୋଟି ୮୩ଲକ୍ଷ ୪୬ହଜାର ଟଙ୍କା ବ୍ୟୟ ବରାଦ କରାଯାଇଥିଲା। ୨ବର୍ଷ ମଧ୍ୟରେ ସେତୁ ନିର୍ମାଣ ଶେଷ କରିବାପାଇଁ ଜାରକାସ୍ଥିତ ଯାଜପୁର-୨ ଗ୍ରାମ୍ୟ ଉନ୍ନୟନ ବିଭାଜନ ପକ୍ଷରୁ ବିରଜା କନଷ୍ଟ୍ରକସନ୍ ନାମକ ଠିକାସଂସ୍ଥା ସହିତ ଚୁକ୍ତି ହୋଇଥିଲା। ସେତୁର ଦୈର୍ଘ୍ୟ ୧୮୪.୫ମିଟର ଓ ପ୍ରସ୍ଥ ୭.୫ମିଟର ରଖାଯାଇଥିଲା। ୧୦ଟି ଖୁମ୍ବ ସହିତ ସେତୁର ଉଭୟ ପାର୍ଶ୍ବରେ ସଂଯୋଗ ରାସ୍ତା ନିର୍ମାଣ କରିବାକୁ ଚୁକ୍ତିରେ ଉଲ୍ଲେଖ ରହିଥିଲା।

୨୦୧୫ ନଭେମ୍ବର ୨ତାରିଖଠାରୁ ଉକ୍ତ ସେତୁର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଦାୟିତ୍ବରେ ଥିବା ଠିକାସଂସ୍ଥା ୨୦୧୮ସୁଦ୍ଧା ସମସ୍ତ ଖୁମ୍ବ ସହିତ ପୋଲ ନିର୍ମାଣ କାମ ସାରି ଦେଇଥିବା ବେଳେ ଏହାର ଉଭୟ ପାର୍ଶ୍ବରେ ହେବାକୁ ଥିବା ସଂଯୋଗ ରାସ୍ତା ନିର୍ମାଣ କଲାନାହିଁ। ତେବେ ଠିକାସଂସ୍ଥା ପୂର୍ବ ଚୁକ୍ତି ଅର୍ଥରେ ସଂଯୋଗ ରାସ୍ତା ନିର୍ମାଣ କରିବାକୁ ଅକ୍ଷମତା ପ୍ରକାଶ କରି ଅଧାରୁ କାମ ଛାଡ଼ି ଚାଲିଯାଇଥିଲା। ପରବର୍ତ୍ତୀ ସମୟରେ ବାରମ୍ବାର ଦାବି ଓ ଆନ୍ଦୋଳନ ଧମକ ପରେ ସେତୁର ସଂଯୋଗ ରାସ୍ତା ପାଇଁ ପ୍ରାୟ ୬କୋଟି ଟଙ୍କା ପୁନଃମଞ୍ଜୁର କରାଯାଇଥିଲା। ଏହିଅର୍ଥ ସଠିକ୍ ସଂଯୋଗ ରାସ୍ତା ନିର୍ମାଣ ପାଇଁ ପର୍ଯ୍ୟାପ୍ତ ହୋଇନଥିଲା। ଆବଶ୍ୟକ ଜମି ମୂଲ୍ୟ ନପାଇବାରୁ ଲୋକମାନେ ଜମି ଛାଡ଼ିନଥିଲେ। ଫଳରେ ଠିକାସଂସ୍ଥା ର’ଠ’ କାମ କରି ବିଲ୍ ଉଠାଇ ନେଇଥିଲା। ଦୁଇଟି ପର୍ଯ୍ୟାୟରେ ୨୧କୋଟି ଟଙ୍କା ଖର୍ଚ୍ଚ ହେଲା। ହେଲେ ତିଖ ଗୋଡ଼ି ରାସ୍ତାରେ ଯାତାୟାତ କରିବାକୁ ଲୋକେ ନିରାପଦ ମଣୁନାହାନ୍ତି। ଫଳରେ ଏହିସେତୁ ଏବେ ସ୍ଥାନୀୟ ଚାଷୀଙ୍କ ବିରି ଖଳା ପାଲଟିଛି। ତେବେ ବିଭାଗୀୟ ଅଧିକାରୀ ଓ ଠିକାସଂସ୍ଥାର ଅବହେଳା ପାଇଁ ସେତୁର ସଂଯୋଗ ରାସ୍ତା ନିର୍ମାଣ ଶେଷ ହୋଇପାରୁନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଅଧିକ ଅର୍ଥ ବରାଦ କରାଯାଇ ତୁରନ୍ତ ଏହାର ନିର୍ମାଣ ଶେଷ କରାନଗଲେ ସ୍ଥାନୀୟ ଲୋକେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ନିର୍ମଳ ସାମଲ ଚେତାବନୀ ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।