ରାଜ୍ୟ ସ୍ପେଶାଲ ରିପୋର୍ଟ

୨୦୨୪ ସାଧାରଣ ନିର୍ବାଚନ କସରତ: ବଦଳିବ ବିଜେପିର ଟିକେଟ୍‌ ଫର୍ମୁଲା

ନୂଆଦିଲ୍ଲୀ: ଗତ ଦୁଇଟି ଲୋକସଭା ନିର୍ବାଚନ ତୁଳନାରେ ୨୦୨୪ ସାଧାରଣ ନିର୍ବାଚନ ଗୁରୁତ୍ବ ଅଧିକ। ବିରୋଧୀ ମେଣ୍ଟ ଇଣ୍ଡିଆ ଗଠନ ହେବାପରେ ଦେଶରେ ନୂଆ ରାଜନୈତିକ ସମୀକରଣ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ବିଜେପି ତା’ର ରଣନୀତିକୁ ସଶକ୍ତ କରିବା ସହିତ ଦମ୍‌ ଦେଖାଇବାକୁ ପାଗ ଭିଡ଼ିଛି। ବିଶେଷକରି ଦଳୀୟ ଟିକଟ ବଣ୍ଟନ ନେଇ ଏବେଠାରୁ ଆରମ୍ଭ ହୋଇଛି କସରତ। ଦଳ ଆଭ୍ୟନ୍ତରୀଣ ସର୍ଭେ ଆରମ୍ଭ କରିଛି। କେବଳ ସେତିକି ନୁହେଁ, ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଆଗୁଆ ପ୍ରାର୍ଥୀ ଘୋଷଣା କରିଛି ଦଳ। କେନ୍ଦ୍ରମନ୍ତ୍ରୀ ଓ ସାଂସଦମାନଙ୍କୁ ବିଧାନସଭା ନିର୍ବାଚନ ମଇଦାନକୁ ଓହ୍ଲାଇ ଦିଆଯାଇଛି। ଗୋଟିଏ ସୂତ୍ର ନିର୍ଣ୍ଣୟ ହୋଇଛି, ତାହା ହେଲା- ଯେଉଁମାନେ ବିଜୟୀ ହେବା ସମ୍ଭାବନା ଅଧିକ, ସେମାନଙ୍କୁ ଟିକେଟ୍‌ ମିଳିବ।

ମିଳିଥିବା ସୂଚନା ଅନୁସାରେ ବିଜେପି ବିଭିନ୍ନ ପ୍ରକ୍ରିୟାରେ ଜନତାଙ୍କ ମଧ୍ୟରେ ନିଜର ସାଂସଦମାନଙ୍କ ଲୋକପ୍ରିୟତା ଓ ଗ୍ରହଣୀୟତାକୁ ପରଖୁଛି। ଏହାର ଆଧାରରେ ରିପୋର୍ଟ ପ୍ରସ୍ତୁତ ଚାଲିଛି। ୭୫ ବର୍ଷରୁ ଅଧିକ ବୟସ୍କ କିଛି ସାଂସଦଙ୍କୁ ଟିକେଟ୍ ଦିଆଯାଇନପାରେ। ମହିଳା ସଂରକ୍ଷଣ ବ୍ୟବସ୍ଥା ଲାଗୁ ନ ହେଲେ ମଧ୍ୟ କିଛି କ୍ଷେତ୍ରରେ ଦଳ ପରୀକ୍ଷାମୂଳକ ଭାବେ ୩୩% ଆସନରେ ମହିଳା ପ୍ରାର୍ଥୀ ଦେବାକୁ ବିଚାର କରୁଛି। ଲଗାତାର ୧୦ ବର୍ଷ ପର୍ଯ୍ୟନ୍ତ କ୍ଷମତାରେ ରହିବା ପରେ ଲୋକଙ୍କ ମଧ୍ୟରେ ସାଧାରଣତଃ ସରକାର ବିରୋଧୀ ହାୱା ସୃଷ୍ଟି ହୁଏ। ଏହାକୁ ପ୍ରତିହତ କରିବା ପାଇଁ ବିଜେପି ବର୍ତ୍ତମାନ ଅନେକ ସାଂସଦଙ୍କୁ ଟିକଟ ଦେଇନପାରେ ବୋଲି କୁାହାଯାଉଛି। ଅନ୍ୟପକ୍ଷରେ ଏବେ ବି ପ୍ରଧାନମନ୍ତ୍ରୀ ନ‌ରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଅତୁଟ ରହିଛି। ଏଣୁ ଏହି କ୍ରମରେ ଯଦି ବିଜେପି ଆଗାମୀ ନିର୍ବାଚନରେ ନୂଆ ଚେହେରା ଦେବ ତା’‌ହେଲେ ଦଳକୁ ଫାଇଦା ହୋଇପାରେ ବୋଲି ରାଜନୀତି ରଣନୀତିକାରମାନେ ମତବ୍ୟକ୍ତ କରିଛନ୍ତି।
ଏହି କ୍ରମରେ ଓଡ଼ିଶା ସଂପର୍କରେ ଗୋଟିଏ ଚର୍ଚ୍ଚା ଦଳର ମୁଖ୍ୟାଳୟରେ ଚାଲିଛି। ତାହା ହେଲା- ଲୋକସଭାର କିଛି ସାଂସଦ ଏଥର ବିଧାନସଭା‌ ନିର୍ବାଚନରେ ପ୍ରାର୍ଥୀ ହୋଇପାରନ୍ତି। ବିଜେପି ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାରେ ୨୧ଟି ଆସନରେ ନିର୍ବାଚନ ଲଢ଼ି ୮ଟିରେ ବିଜୟ ଲାଭ କରିଥିଲା।

ନିର୍ବାଚିତ ୮ ସାଂସଦଙ୍କ ମଧ୍ୟରୁ ଅତିକମ୍‌ରେ ୫ ଜଣ ସାଂସଦଙ୍କୁ ବିଧାନସଭା ନିର୍ବାଚନ ପାଇଁ ଟିକଟ ଦିଆଯିବ ବୋଲି ଚର୍ଚ୍ଚା ହେଉଛି। ସେମାନଙ୍କ ସ୍ଥାନରେ ନୂଆ ଚେହେରାଙ୍କୁ ମଧ୍ୟ ବିଜେପି ଲୋକସଭା ନିର୍ବାଚନରେ ଟିକଟ ଦେଇପାରେ। ସେହିଭଳି ରାଜ୍ୟସଭା ସାଂସଦମାନଙ୍କୁ ଲୋକସଭା ନିର୍ବାଚନରେ ଲଢ଼ିବାର ଚର୍ଚ୍ଚା ଭିତରେ ଓଡ଼ିଶାରୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପ୍ରତିନିଧିତ୍ବ କରୁଥିବା ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ଣବଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏବେ ରାଜ୍ୟସଭା ସଦସ୍ୟ ଅଛନ୍ତି। ଶ୍ରୀ ବୈଷ୍ଣବ ବି। ତେବେ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନରେ ବିଜେପିର ଏହି ଫର୍ମୁଲାର ସଫଳ ପ୍ରୟୋଗ ପରେ ହିଁ ଅନ୍ୟ ରାଜ୍ୟମାନଙ୍କରେ ଲୋକସଭା ସାଂସଦମାନଙ୍କୁ ବିଧାନସଭା ନିର୍ବାଚନରେ ଟିକଟ ଦେବା ପ୍ରସଙ୍ଗରେ ସ୍ଥିତି ସ୍ପଷ୍ଟ ହେବ।

ଉଲ୍ଲେଖଥାଉକି, ଇଣ୍ଡିଆ ମେଣ୍ଟ ଗଠନ ହେବାର ତିନି ମାସରୁ ଅଧିକ ସମୟ ହୋଇସାରିଛି। ଇତିମଧ୍ୟରେ ମେଣ୍ଟ ସହଯୋଗୀ ଦଳମାନଙ୍କର ତିନିଥର ବୈଠକ ହୋଇଛି। ଏହି ସମୟ ଅବଧି ଭିତରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଲୋକସଭା ନିର୍ବାଚନ ବ୍ୟାପାରକୁ ନେଇ ବିଶେଷ ତତ୍ପରତା ଦେଖିବାକୁ ମିଳିନାହିଁ। ବର୍ତ୍ତମାନ ସୁଦ୍ଧା ମେଣ୍ଟର ସଂଯୁକ୍ତ ରାଲିର ସ୍ଥାନ ଓ ତାରିଖ ମଧ୍ୟ ଘୋଷଣା ହୋଇନାହିଁ। ସହଯୋଗୀ ଦଳମାନଙ୍କ ମଧ୍ୟରେ ଆସନ ବଣ୍ଟନକୁ ନେଇ ଅକ୍ଟୋବର ମାସ ସୁଦ୍ଧା ଚୂଡ଼ାନ୍ତ କରାଯିବ ବୋଲି କୁହାଯାଇଥିଲେ ବି ଏ ଦିଗରେ ସେଭଳି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ। ଇଣ୍ଡିଆ ମେଣ୍ଟର ଜଣେ ନେତାଙ୍କ କହିବା ଅନୁସାରେ ସମ୍ଭବତଃ ୫ ରାଜ୍ୟର ବିଧାନସଭା ନିର୍ବାଚନ ପରେ ସିଟ୍‌ ଆବଣ୍ଟନ ଉପରେ ନିଷ୍ପତ୍ତି ନିଆଯିବ। ତେବେ ସିଟ୍‌ ବୁଝାମଣାକୁ ନେଇ ବିଭିନ୍ନ ରାଜ୍ୟରେ ଅନୌପଚାରିକ ଆଲୋଚନା ଆରମ୍ଭ ହୋଇଥିବା କୁହାଯାଉଛି। ଓଡ଼ିଶା ପରିପ୍ରେକ୍ଷୀରେ ଇଣ୍ଡିଆ ମେଣ୍ଟର ସିଟ୍‌ ବୁଝାମଣା ରୂପରେଖ କ’ଣ ହେବ ତାହା ମେଣ୍ଟର ରାଜ୍ୟୱାରି ଆଲୋଚନା ପରେ ହିଁ ସ୍ପଷ୍ଟ ହେବା ସମ୍ଭାବନା ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।