ରାଜ୍ୟ

୨ନଈ ମଝିରେ ଥାଇ ବି ଆସିକା ଶୋଷିଲା: ପୌରପାଳିକା ମାନ୍ୟତା ପରେ ଭାଗ୍ୟ ବଦଳିବ ତ?

ଆସିକା: ବହୁବର୍ଷର ପ୍ରତୀକ୍ଷା ପରେ ଗଞ୍ଜାମ ଜିଲ୍ଲାର ଅନ୍ୟତମ ପ୍ରମୁଖ ସହର ଆସିକାକୁ ପୌରପାଳିକା ମାନ୍ୟତା ମିଳିଛି। ଫଳରେ ଏହି ପୁରାତନ ସହରର ଭାଗ୍ୟ ବଦଳିବା ନେଇ ଆଶା ଉଜ୍ଜୀବିତ ହୋଇଛି। କିନ୍ତୁ ଦୁଃଖର କଥା ହେଉଛି, ଜିଲ୍ଲାର ଦୁଇ ପ୍ରମୁଖ ନଦୀ ଋଷିକୁଲ୍ୟା ଓ ବଡ଼ନଦୀ ମଝିରେ ରହିଥିବା ଆସିକା ସହର ଏକ ବନ୍ୟାପ୍ରବଣ ଇଲାକା ହୋଇଥିଲେ ହେଁ, ଏଠାରେ ବର୍ଷ ବର୍ଷ ଧରି ଲାଗି ରହିଥିବା ପିଇବା ପାଣି ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରୁନି। ବର୍ଷସାରା ସହରର ୧୮ଟି ୱାର୍ଡର ୨୫ହଜାରରୁ ଅଧିକ ଲୋକ ପାଣି ପାଇଁ ସଂଘର୍ଷ କରୁଛନ୍ତି। ଗ୍ରୀଷ୍ମ ଆସିଲେ ସ୍ଥିତି ଅଧିକ ଶୋଚନୀୟ ହେଉଛି।

ଚଳିତବର୍ଷର କଥାକୁ ବିଚାର‌ରେ ନେଲେ ‌ଫେବ୍ରୁଆରିରୁ ହିଁ ପାଣି ସଂକଟ ଆରମ୍ଭ ହୋଇଯାଇଥିବା ବେଳେ ଆଗକୁ ଏହା ଉତ୍କଟ ରୂପ ଧାରଣ କରିବା ନେଇ ଆଶଙ୍କା ଦେଖାଦେଇଛି। ଏଭଳି ପରିସ୍ଥିତିରେ ଚଳିତବର୍ଷ କମ୍ ବର୍ଷା କାରଣରୁ ଭୂତଳ ଜଳସ୍ତର ହ୍ରାସ ପାଇବା ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ସହରର ଜୀବନରେଖା ଏହି ଦୁଇ ନଦୀ ମଧ୍ୟ ଶୁଖିଲା ପଡ଼ିଛି। ପ୍ରତିବର୍ଷ ସହରବାସୀ ଏଭଳି ପାଣି ସମସ୍ୟାରେ ସନ୍ତୁଳି ହେଉଥିବା ବେଳେ, ସ୍ଥାୟୀ ସମାଧାନ ପାଇଁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ପର୍ଯ୍ୟନ୍ତ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ ହୋଇପାରୁନି।

ବହୁବର୍ଷ ତଳେ ଆସିକାର ବହୁ ଇଲାକାକୁ ପାଇପ୍‌ଲାଇନ୍ ବିଛାଯାଇ ଟ୍ୟାପ୍ ଯୋଗେ ପିଇବା ପାଣିର ବ୍ୟବସ୍ଥା କରାଯାଇଥିଲା। ବିଛାଯାଇଥିବା ପାଇପ୍‌ଲାଇନ୍ ‌ଗୁଡ଼ିକର ରକ୍ଷଣାବେକ୍ଷଣ ହେଉନି କି ଉନ୍ନତମାନର ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ହେଉନି। ଫଳରେ ପାଇପ୍‌ଗୁଡ଼ିକରେ ପଙ୍କ ଜମା ହେବା କାରଣରୁ କମ୍ ପାଣି ଯୋଗାଣ ହେଉଛି। ବହୁ ଉଚ୍ଚାସ୍ଥାନକୁ ପାଣି ପହଞ୍ଚିପାରୁନି। କେତେବେଳେ ଗୋଳିଆ ତ ଆଉ କେତେବେଳେ କଳଙ୍କି ମିଶା ପାଣି ଆସୁଛି। ସେହିପରି ନିଜସ୍ୱ ଉଦ୍ୟମରେ କେହି ନଳକୂପ ଖୋଳିଲେ କେଉଁଠି ଖାରି ପାଣି ଆସୁଛି ତ ଆଉ କେଉଁଠି ପାଣିରେ ଲୌହ ମାତ୍ରା ଅଧିକ ରହୁଥିବାରୁ ତାହା ପିଇବା ଉପଯୋଗୀ ହୋଇପାରୁନି। ପ୍ରତି ମାସରେ ପାନୀୟ ଜଳ ସଂଯୋଗ ଆଣିଥିବା ଘରଗୁଡ଼ିକରୁ ଜନସ୍ୱାସ୍ଥ୍ୟ ବିଭାଗ ଟିକସ ଆଦାୟ କରୁଥିଲେ ମଧ୍ୟ ଆବଶ୍ୟକ ପାଣି ଯୋଗାଇବାରେ ଅସମର୍ଥ ହେଉଥିବାରୁ ଅସନ୍ତୋଷ ତେଜିବାରେ ଲାଗିଛି। ସଂପ୍ରତି ୪, ୫, ୬, ୧୧, ୧୨, ୧୩, ୧୪ ଓ ୧୫ ନମ୍ବର ୱାର୍ଡରେ ପିଇବା ପାଣି ସମସ୍ୟା ଉତ୍କଟ ରୂପ ଧାରଣ କରିସାରିଛି। ଗୋଟିଏ ବାଲ୍‌ଟି ପାଣି ପାଇଁ ବହୁ ସମୟ ଅପେକ୍ଷା କରିବାକୁ ପଡ଼ୁଛି। ବର୍ତ୍ତମାନ ଆସିକା ପୌରପାଳିକାକୁ ଉନ୍ନୀତ ହୋଇଛି। ଏଣୁ ପିଇବା ପାଣି ସମସ୍ୟାର ସ୍ଥାୟୀ ସମାଧାନ ରାଜ୍ୟ ସରକାର ଅନ୍ୟ ସହରାଞ୍ଚଳ ଭଳି ଏଠାରେ ବି ଦୀର୍ଘମିଆଦି ଯୋଜନା କାର୍ଯ୍ୟକାରୀ କରନ୍ତୁ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।