ରାଜ୍ୟ ସ୍ପେଶାଲ ରିପୋର୍ଟ

୧୯ ଜିଲ୍ଲାରେ ଚାଲିଛି ମନୁଷ୍ୟ ଦ୍ବାରା ମଇଳା ଟାଙ୍କି ସଫେଇ

ଭୁବନେଶ୍ବର: ମଇଳା ଟାଙ୍କି ବା ସେପ୍ଟିକ୍ ଟାଙ୍କି ସଫା କାର୍ଯ୍ୟରେ କେହି ଶ୍ରମିକଙ୍କୁ ନିୟୋଜିତ ହୋଇପାରିବେ ନାହିଁ। ୨୦୧୩ ମସିହାରୁ ଦେଶବ୍ୟାପୀ ଏହା ଉପରେ ରୋକ୍ ଲଗାଯାଇଛି। କାଗଜପତ୍ରରେ ଆଇନ କାର୍ଯ୍ୟକାରୀ ହୋଇଥିବା ବେଳେ ତୃଣମୂଳସ୍ତରରେ ଏବେ ବି ଶ୍ରମିକମାନେ ମଇଳା ଟାଙ୍କି ସଫା କାର୍ଯ୍ୟରେ ନିୟୋଜିତ ହେଉଛନ୍ତି। ଅନେକ ଟାଙ୍କି ସଫା କରିବା ସମୟରେ ପ୍ରାଣ ହରାଉଛନ୍ତି। ଏଭଳି ବିପଦପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ ବ୍ୟକ୍ତିମାନଙ୍କ ମୃତ୍ୟୁ ସଂପର୍କିତ ତଥ୍ୟ ମଧ୍ୟ ରହୁନାହିଁ।

କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ ଦେଶରେ ଥିବା ୭୬୬ ଜିଲ୍ଲା ଭିତରୁ ୫୩୦ ଜିଲ୍ଲା ନିଜକୁ ମାନୁଆଲ ସ୍କାଭେଜିଂ ମୁକ୍ତ ଘୋଷଣା କରିଛନ୍ତି। ଏଥିରେ ଓଡ଼ିଶାରେ ୧୧ ବା ୩୬% ଜିଲ୍ଲା ଏଥିରୁ ମୁକ୍ତ ଘୋଷଣା ହୋଇଛି। ଆହୁରି ୧୯ ବା ୬୦%ରୁ ଅଧିକ ଜିଲ୍ଲା ମାନୁଆଲ ସ୍କାଭେଜିଂ ମୁକ୍ତ ହୋଇପାରିନାହିଁ। ମନ୍ତ୍ରଣାଳୟ ପକ୍ଷରୁ ଜିଲ୍ଲାମାନଙ୍କୁ ମାନୁଆଲ ସ୍କାଭେଜିଂ ମୁକ୍ତ ଘୋଷଣା କରିବା କିମ୍ବା ମଇଳା ଟଙ୍କା ସଫାରେ କେତେଜଣ ଶ୍ରମିକ ନିୟୋଜିତ ଅଛନ୍ତି ତାହା ସଂପର୍କିତ ତଥ୍ୟ ‘ସ୍ବଚ୍ଛତା ଅଭିଯାନ’ ମୋବାଇଲ ଆପ୍‌ରେ ଅପଲୋଡ୍‌ କରିବା ପାଇଁ କୁହାଯାଇଥିଲା। ତଥାପି ଦେଶବ୍ୟାପୀ ମାନୁଆଲ ସ୍କାଭେଜିଂକୁ ନେଇ ବିଶ୍ବାସଯୋଗ୍ୟ ତଥ୍ୟ ନ ଥିବା କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

୨୦୧୩ ମସିହାରେ ହୋଇଥିବା ଏମ୍‌ଏସ୍‌ ସର୍ଭେରେ ଓଡ଼ିଶାରେ ୨୩୦ଜଣ ମାନୁଆଲ ସ୍କାଭେଞ୍ଜର ଚିହ୍ନଟ ହୋଇଥିଲେ। ହେଲେ ୨୦୧୮ ମସିହାରେ ହୋଇଥିବା ଜାତୀୟ ସର୍ଭେରେ ଓଡ଼ିଶାରେ ମାନୁଆଲ ସ୍କାଭେଞ୍ଜରଙ୍କ ସଂଖ୍ୟା ଶୂନ ରହିଥିବା ଜଣାପଡ଼ିଥିଲା। ଏହି ସର୍ଭେରେ ଅନ୍ୟ ରାଜ୍ୟଗୁଡ଼ିକରେ ସ୍କାଭେଞ୍ଜରଙ୍କ ସଂଖ୍ୟା ବଢ଼ିଥିବା ବେଳେ ଓଡ଼ିଶାରେ କିଭଳି ଶୂନ ରହିଲା ତାହା ଆଶ୍ଚର୍ଯ୍ୟ କରିଛି। ସେହିପରି ୨୦୧୮-୨୦୨୨ ମସିହା ମଧ୍ୟରେ ଦେଶରେ ସେପ୍ଟିକ୍‌-ମଇଳା ଟାଙ୍କି ସଫାରେ ନିୟୋଜିତ ୩୩୦ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଓଡ଼ିଶାରେ ଏହି ସଂଖ୍ୟା ୨ ରହିଛି। ତେବେ ଗତ ୫ବର୍ଷ ଭିତରେ ରାଜ୍ୟରେ ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ହୋଇଥିବା ‌ସ୍କାଭେଞ୍ଜର ମୃତୁ ସଂଖ୍ୟା ଭିନ୍ନ ତଥ୍ୟ ପ୍ରଦାନ କରୁଛି। ୨୦୧୮ ମସିହାରେ ରାୟଗଡ଼ାରେ ୫ଜଣ, ୨୦୧୯ରେ ଭୁବନେଶ୍ବରରେ ୩, ୨୦୨୦ରେ କେନ୍ଦ୍ରାପଡ଼ାରେ ଜ‌ଣେ, ୨୦୨୧ରେ ଗଞ୍ଜାମରେ ୩ ଓ ଭୁବନେଶ୍ବରରେ ୨ଜଣ ସେପ୍ଟିକ୍ ଟାଙ୍କି ଖୋଲିବା ସମୟରେ ପ୍ରାଣ ହରାଇଛନ୍ତି। ତେଣୁ ସେପ୍ଟିକ୍ ଟାଙ୍କି ଖୋଳାରେ ହୋଇଥିବା ମୃତ୍ୟୁର ଯେ ପ୍ରକୃତ ରିପୋର୍ଟ ହେଉନାହିଁ ଏହି ତଥ୍ୟ ସୂଚାଉଛି।

ସ୍କାଭେଞ୍ଜରଙ୍କ ପୁନର୍ବାସ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ନମସ୍ତେ’ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏଥିରେ ଦେଶବ୍ୟାପୀ ସଫେଇ କାର୍ଯ୍ୟରେ କିଭଳି ଶୂନ ମୃତ୍ୟୁ ହେବ ତାହାକୁ ଗୁରୁତ୍ବ ଦିଆଯାଇଛି। ଏହାସହ ସଫେଇ କର୍ମଚାରୀମାନେ ସିଧାସଳଖ ମଳ ସଂଯୋଗରେ ଆସିବେ ନାହିଁ ସ୍ବାସ୍ଥ୍ୟ ବୀମା, ଦକ୍ଷତା ବିକାଶ ଆଦି ଉପରେ ଯୋଜନା କାର୍ଯ୍ୟ କରୁଛି। ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ‘ଗରିମା’ ଯୋଜନାର ଶୁଭାରମ୍ଭ ହୋଇଛି। ରାଜ୍ୟର ୧୧୪ଟି ପୌର ସଂସ୍ଥାରେ ଏହା କାର୍ଯ୍ୟକାରୀ ହେବା ସହିତ ୨୦ହଜାର ସଫେଇ କର୍ମଚାରୀଙ୍କ ସମେତ ୧ଲକ୍ଷ ପରିବାର ଏଥିରେ ଉପକୃତ ହେବେ ବୋଲି କୁହାଯାଇଛି।

ଓଡ଼ିଶା ଚୁକ୍ତିଭତ୍ତିକ ଠିକା ସଫେଇ କର୍ମଚାରୀ ସଂଘର ରାଜ୍ୟ ସଭାପତି ମୋହନ ନାୟକ କହିଛନ୍ତି, ଏବେ ବି ବ୍ୟବସ୍ଥାରେ କୌଣସି ପରିବର୍ତନ ହୋଇନାହିଁ। ପୂର୍ବଭଳି ପାଣି ଟାଙ୍କି ଓ ମଇଳା ଟାଙ୍କି ସଫା କାର୍ଯ୍ୟରେ ଶ୍ରମିକଙ୍କୁ ନିୟୋଜିତ କରାଯାଉଛି। ରାଜ୍ୟରେ ଯେତିକି ସଂଖ୍ୟକ ସ୍କାଭେଞ୍ଜର ରହିଥିବା କଥା କହୁଛନ୍ତି ତାହା ସଂପୂର୍ଣ୍ଣ ଭିତ୍ତିହୀନ। ଏମାନଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସଫେଇ କର୍ମଚାରୀଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ‘ଗରିମା’ ଯୋଜନାର ଶୁଭାରମ୍ଭ ହୋଇଛି। ହେଲେ ଏହାର ସୁଫଳ ପ୍ରକୃତ ହିତାଧିକାରୀ ପାଉନାହାନ୍ତି। ସ୍କାଭେଞ୍ଜର ପରିବାର ପୂର୍ବରୁ ଯେଉଁଭଳି ଅବହେଳିତ ଥିଲେ ଆଜି ବି ରହିଛନ୍ତି ବୋଲି ଶ୍ରୀ ନାୟକ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।