ନୂଆଦିଲ୍ଲୀ : ରାହୁଲ ଗାନ୍ଧି ଲୋକସଭା ସଦସ୍ୟତା ହରାଇବା ପରେ ଏହି ଆଇନକୁ ନେଇ ଚର୍ଚ୍ଚା ଜୋର ଧରିଛି, ଯେଉଁଥିପାଇଁ ୧୯୮୮ ମସିହାରୁ ଅଦ୍ୟାବଧି ମୋଟ ୪୨ ଜଣ ନିଜର ସାଂସଦ ପଦ ହରାଇଛନ୍ତି। ତେବେ ପ୍ରଶ୍ନ ପାଇଁ ଲାଞ୍ଚ ଓ କ୍ରସ୍-ଭୋଟିଂ ମାମଲାରେ ଚତୁର୍ଦ୍ଦଶ ଲୋକସଭାରେ ସର୍ବାଧିକ ୧୯ ଜଣ ସାଂସଦ ସେମାନଙ୍କ ପଦ ହରାଇଥିଲେ।
ଉପରୋକ୍ତ ସାଂସଦମାନେ ଦଳ ବଦଳ କରିବା, ପାର୍ଲାମେଣ୍ଟରେ ଅନୁଚିତ ବ୍ୟବହାର ପ୍ରଦର୍ଶନ କରିବା କିମ୍ବା ଏକ ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ ହୋଇ ସର୍ବନିମ୍ନ ୨ ବର୍ଷ ବା ତଦୂର୍ଦ୍ଧ୍ବ ଜେଲ ଦଣ୍ଡାଦେଶ ପ୍ରାପ୍ତ ହେବା ଇତ୍ୟାଦି ବିଭିନ୍ନ କାରଣରୁ ଅଯୋଗ୍ୟ ଘୋଷିତ ହୋଇଥିଲେ।
ନିକଟରେ ଅଯୋଗ୍ୟ ଘୋଷିତ ହୋଇଥିବା ନେତାମାନେ ହେଉଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି, ଏନ୍ସିପି ନେତା ମହମ୍ମଦ ଫୈଜଲ ପିପି ଏବଂ ବିଏସ୍ପି ନେତା ଆଫଜଲ ଆନସାରି। ସେମାନେ ଦୁଇବର୍ଷ ବା ତଦୂର୍ଦ୍ଧ୍ବ ଜେଲଦଣ୍ଡାଦେଶ ପ୍ରାପ୍ତ ହେବା କାରଣରୁ ରିପ୍ରେଜେଣ୍ଟେସନ ଅଫ୍ ପିପୁଲ୍ସ ଆକ୍ଟ (ଲୋକପ୍ରତିନିଧି ଆଇନ) ଅନୁସାରେ ନିଜର ସାଂସଦ ପଦ ହରାଇଛନ୍ତି। ଉକ୍ତ ଆଇନ ଅନୁସାରେ କୌଣସି ସାଂସଦ ବା ବିଧାୟକ ଯଦି ଏକ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇ ସର୍ବନିମ୍ନ ୨ ବର୍ଷର ଜେଲଦଣ୍ଡାଦେଶ ପ୍ରାପ୍ତ ହୋଇଥାନ୍ତି ତେବେ ତାଙ୍କର ସାଂସଦ ବା ବିଧାୟକ ପଦ ଆପେ ଆପେ ଚାଲିଯିବ।
ନିକଟରେ ଲାକ୍ଷାଦ୍ବୀପର ଲୋକସଭା ସାଂସଦ ତଥା ଏକ ହତ୍ୟା ଅଭିଯୁକ୍ତ ଫୈଜଲଙ୍କ ଦଣ୍ଡାଦେଶ ଉପରେ କେରଳ ହାଇକୋର୍ଟ ରହିତାଦେଶ ଲଗାଇବା ପରେ ସେ ତାଙ୍କର ସାଂସଦ ପଦ ପୁନଶ୍ଚ ଫେରି ପାଇଛନ୍ତି। ରାହୁଲ ଗାନ୍ଧି ମଧ୍ୟ ତାଙ୍କ ଦଣ୍ଡାଦେଶ ବିରୋଧରେ ଗୁଜରାଟ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ମୋଦି ସାଙ୍ଗିଆକୁ ନେଇ ବିବାଦୀୟ ମନ୍ତବ୍ୟ (ସବୁ ମୋଦି ଚୋର) ଯୋଗୁ ତାଙ୍କୁ ସୁରତର ଏକ କୋର୍ଟ ୨ ବର୍ଷର ଦଣ୍ଡାଦେଶ ଦେଇଥିଲେ।
ଅଯୋଗ୍ୟ ଘୋଷିତ ହୋଇଥିବା ପ୍ରଥମ ଲୋକସଭା ସଦସ୍ୟ ହେଉଛନ୍ତି କଂଗ୍ରେସର ଲାଲଦୁହୋମା, ଯିଏ ଏକ ମାନହାନି ମାମଲାରେ ୧୯୮୫ରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।
ନବମ ଲୋକସଭାରେ ତତ୍କାଳୀନ ଜନତା ଦଳ ନେତା ଭିପି ସିଂହ ଏକ ମେଣ୍ଟ ସରକାର ଗଠନ କରିଥିଲେ। ସେତେବେଳେ ୯ ଜଣ ଲୋକସଭା ସଦସ୍ୟ ଦଳବଦଳ କରିବାରୁ ଆଣ୍ଟି-ଡିଫେକ୍ସନ ଲ ଅନୁସାରେ ଅଯୋଗ୍ୟ ଘୋଷିତ ହୋଇଥିଲେ।
ତେବେ ଚତୁର୍ଦ୍ଦଶ ଲୋକସଭାରେ ସର୍ବାଧିକ ୧୯ ଜଣ ସାଂସଦ ଅଯୋଗ୍ୟ ଘୋଷିତ ହୋଇଥିଲେ। ୧୦ ଜଣ ସାଂସଦ ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଧରାପଡ଼ି ଅଯୋଗ୍ୟ ଘୋଷିତ ହୋଇଥିଲେ। ବାକି ୯ ଜଣ ସାଂସଦ ୨୦୦୮ରେ ଆମେରିକା ସହ ବେସାମରିକ ପରମାଣୁ ଚୁକ୍ତିକୁ ନେଇ ଉପା-୧ ସରକାରରୁ ବାମ ସାମ୍ମୁଖ୍ୟ ସମର୍ଥନ ପ୍ରତ୍ୟାହାର କରିବା ପରେ ହୋଇଥିବା ଆସ୍ଥାଭୋଟ ସମୟରେ କ୍ରସ୍-ଭୋଟିଂ ଅଭିଯୋଗରେ ଅଯୋଗ୍ୟ ଘୋଷିତ ହୋଇଥିଲେ। ୨୦୦୫ରେ ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ୬ ଜଣ ବିଜେପି ସଦସ୍ୟ, ଦୁଇଜଣ ବିଏସ୍ପି ନେତା ଏବଂ କଂଗ୍ରେସ ଓ ଆର୍ଜେଡିରୁ ଜଣେ ଲେଖାଏ ଅଯୋଗ୍ୟ ଘୋଷିତ ହୋଇଥିଲେ। ବିଏସ୍ପିର ଜଣେ ରାଜ୍ୟସଭା ସଦସ୍ୟ ମଧ୍ୟ ଅଯୋଗ୍ୟ ଘୋଷିତ ହୋଇଥିଲେ।
୧୦ମ ଲୋକସଭାରେ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ ନେତୃତ୍ବାଧୀନ ମେଣ୍ଟ ସରକାରରେ ଦଳବଦଳ ଆଇନ ଅନୁଯାୟୀ ୪ ଜଣ ସାଂସଦଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଦଳବଦଳ ଆଇନ ଅନୁଯାୟୀ ରାଜ୍ୟସଭା ସଦସ୍ୟ ମୁଫତି ମହମ୍ମଦ ସଇଦ (୧୯୮୯), ସତ୍ୟପାଲ ମଲିକ (୧୯୮୯), ଶରଦ ଯାଦବ (୨୦୧୭) ଏବଂ ଅଲି ଅନୱର (୨୦୧୭)ଙ୍କୁ ମଧ୍ୟ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଲାଭଜନକ ସଂସ୍ଥା (ଅଫିସ ଅଫ୍ ପ୍ରଫିଟ୍)ରେ ସଂଶ୍ଳିଷ୍ଟ ଥିବାରୁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ଶିବୁ ସୋରେନ ଓ ସମାଜବାଦୀ ପାର୍ଟି ସଦସ୍ୟ ଜୟା ବଚ୍ଚନ ଯଥାକ୍ରମେ ୨୦୦୧ ଓ ୨୦୦୬ରେ ଅଯୋଗ୍ୟ ଘୋଷିତ ହୋଇଥିଲେ।