ରାଜ୍ୟ

୧୭ ବର୍ଷର ନ୍ୟାୟିକ ଲଢ଼େଇର ଅନ୍ତ

କଟକ: ଦୀର୍ଘ ବର୍ଷ ଧରି କଟକର ନେତାଜୀ ସଂଘର କର୍ମକର୍ତ୍ତା ନିର୍ବାଚନକୁ ନେଇ ଲାଗି ରହିଥିବା ବିବାଦର ଅବସାନ ଘଟିଛି। କଟକ ଅତିରିକ୍ତ ଜିଲ୍ଲାଜଜ୍ ଅଦାଲତଙ୍କ ୨୦୧୨, ଅଗଷ୍ଟ ୧୩ର ରାୟକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଏଥି ସହିତ କଟକ ପ୍ରଥମ ସିଭିଲ ଜଜ୍ (ସିନିୟର ଡିଭିଜନ) ଅଦାଲତଙ୍କ ୨୦୧୦, ଅକ୍ଟୋବର ୨୮ର ରାୟକୁ ହାଇକୋର୍ଟ କାଏମ ରଖିଛନ୍ତି। ବିଶ୍ବନାଥ ମୁଖାର୍ଜୀ ନେତାଜୀ ସଂଘର ନିର୍ବାଚିତ ସଂପାଦକ ବୋଲି ଦର୍ଶାଇ ସିଭିଲ ଜଜ୍ ଅଦାଲତ ପ୍ରଦାନ କରିଥିବା ରାୟ ହାଇକୋର୍ଟରେ କାଏମ ରହିଛି। ହାଇକୋର୍ଟଙ୍କ ରାୟ ପରେ ଯେଉଁମାନେ ବିଶ୍ବନାଥ ମୁଖାର୍ଜୀ ସଂଘ ସଂପାଦକ ପଦରେ ରହିବା ବେଆଇନ ବୋଲି ଦର୍ଶାଇ ନିଜକୁ ସଭାପତି ଓ ସଂପାଦକ ପଦରେ ଅବସ୍ଥାପିତ କରିଥିଲେ, ସେମାନଙ୍କୁ ଶକ୍ତ ଝଟ୍‌କା ଲାଗିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ସାଧାରଣ ପରିଷଦ ପକ୍ଷରୁ ଗ୍ରହଣ କରାଯାଇଥିବା ପ୍ରସ୍ତାବ ଅନୁସାରେ ଶ୍ରୀ ମୁଖାର୍ଜୀ ଆଉ ସଂଘର ସଂପାଦକ ପଦରେ ନାହାନ୍ତି ଓ ତାଙ୍କର ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ରେ ସଂଘର ପ୍ରତିନିଧି ଭାବେ ପ୍ରତିନିଧିତ୍ବ କରିବାର କୌଣସି ଅଧିକାର ନାହିଁ ବୋଲି ଦର୍ଶାଇ ସିଭିଲ ଜଜ୍ ଅଦାଲତରେ ୨୦୦୭ରେ ମାମଲା ରୁଜୁ ହୋଇଥିଲା। ସଂଘର ନବନିର୍ବାଚିତ ପ୍ରତିନିଧିଙ୍କୁ ସ୍ବୀକୃତି ପ୍ରଦାନ ପାଇଁ ଓସିଏକୁ ନିର୍ଦ୍ଦେଶ ପାଇଁ ମାମଲାରେ ପ୍ରାର୍ଥନା କରାଯାଇଥିଲା। ଅଦାଲତ ଏହି ଆବେଦନକୁ ଖାରଜ କରିଥିଲେ। ମାମଲା ଦାୟର କରିଥିବା ବ୍ୟକ୍ତିମାନେ ନେତାଜୀ ସଂଘର କର୍ମକର୍ତ୍ତା ନୁହନ୍ତି ବରଂ ୨୦୦୬, ଡିସେମ୍ବର ୧୫ରେ ଗ୍ରହଣ କରାଯାଇଥିବା ପ୍ରସ୍ତାବ ଅନୁସାରେ ଶ୍ରୀ ମୁଖାର୍ଜୀ ସଂଘର ନିର୍ବାଚିତ ସଂପାଦକ ବୋଲି ଅଦାଲତ ମତ ଦେଇଥିଲେ।

ସଂଘର ମୂଳ ସଭାପତି ଓ ସଂପାଦକଙ୍କ ଦ୍ବାରା ଏହି ମାମଲା ଦାୟର କରା ନ ଯାଇ କାର୍ଯ୍ୟକାରୀ ସଭାପତି ଓ ସଂପାଦକ ଆବେଦନକାରୀ ଥିବା ସ୍ପ‌ଷ୍ଟ ହୋଇଥିଲା। ସଂଘର ବାଇ-ଲ’ ଅନୁସାରେ କାର୍ଯ୍ୟକାରୀ ସଭାପତି ଓ କାର୍ଯ୍ୟକାରୀ ସଂପାଦକ ପଦ ନଥିବାରୁ ମାମଲା ଗ୍ରହଣୀୟ ନୁହେଁ ବୋଲି ଅଦାଲତ କହିବା ସହିତ ଏହାକୁ ଖାରଜ କରିଥିଲେ।

କିନ୍ତୁ ସିଭିଲ ଜଜ୍(ସନିୟର ଡିଭିଜନ) ଅଦାଲତଙ୍କ ଏହି ରାୟକୁ ଚାଲେଞ୍ଜ କରି କଟକ ଅତିରିକ୍ତ ଜିଲ୍ଲା ଜଜ୍‌ ଅଦାଲତରେ ମାମଲା ଦାୟର ହୋଇଥିଲା। ସିଭିଲ ଜଜ୍ ଅଦାଲତଙ୍କ ରାୟକୁ ଅତିରିକ୍ତ ଜିଲ୍ଲା ଜଜ୍ ଅଦାଲତ ୨୦୧୨, ଅଗଷ୍ଟ ୧୩ରେ ରଦ୍ଦ କରିଥିଲେ। ଶ୍ରୀ ମୁଖାର୍ଜୀ ନେତାଜୀ ସଂଘ ପକ୍ଷରୁ ଓସିଏରେ ପ୍ରତିନିଧିତ୍ବ କରିପାରିବେ ନାହିଁ ବୋଲି ଅଦାଲତ ରାୟ ଦେଇଥିଲେ। ଏହି ରାୟକୁ ଚାଲେଞ୍ଜ କରି ଶ୍ରୀ ମୁଖାର୍ଜୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ମୁଖାର୍ଜୀଙ୍କ ଆବେଦନର ଶୁଣାଣି କରି ଏହି ରାୟ ପ୍ରକାଶ କରିଛନ୍ତି। ଅତିରିକ୍ତ ଜିଲ୍ଲା ଜଜ୍ ଅଦାଲତଙ୍କ ରାୟକୁ ରଦ୍ଦ କରିବା ସହିତ ସିଭିଲ ଜଜ୍ ଅଦାଲତ ପ୍ରଦାନ କରିଥିବା ନିର୍ଦ୍ଦେଶକୁ ହାଇକୋର୍ଟ କାଏମ ରଖିଛନ୍ତି।

ନେତାଜୀ ସଂଘର ସୁଦୀର୍ଘ ଇତିହାସ

ଭଲ ଖେଳାଳି ତିଆରି କରିବା ଓ ଏହାର ସଦସ୍ୟଙ୍କ ମଧ୍ୟରେ ଖେଳୱାଡ ମନୋଭାବ ସୃଷ୍ଟି କରିବା, ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରିବା ଲକ୍ଷ୍ୟରେ ୧୯୭୧ରେ ପ୍ରତିଷ୍ଠା ହୋଇଥିଲା ନେତାଜୀ ସଂଘ। ଏହି ସଂଘ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ ସହ ଅନୁବନ୍ଧିତ ଥିଲା। ନେତାଜୀ ସଂଘ କଟକର ପ୍ରମୁଖ ସଂଘ ଭାବେ ପରିଚିତ। ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ଏହି ସଂଘର ମୁଖ୍ୟ ପୃଷ୍ଠପୋଷକ ରହିଥିଲେ। ୧୯୮୩ରୁ ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କୁ ସଂଘର ସ୍ଥାୟୀ ସଭ‌ାପତି ଭାବେ ମନୋନୀତ କରାଯାଇଥିଲା। ଜୟନ୍ତୀ ପଟ୍ଟନାୟକଙ୍କ ଦେହାନ୍ତ ପରେ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ସଂଘର ସ୍ଥାୟୀ ସଭାପତି ଭାବେ ନିର୍ବାଚିତ କରାଯାଇଛି। ଏହା ପୂର୍ବରୁ ଶ୍ରୀ ପଟ୍ଟନାୟକ ସଂଘର ମୁଖ୍ୟ ଉପଦେଷ୍ଟା ମଧ୍ୟ ରହିଥିଲେ।

ଏହି କ୍ଲବ୍‌ର ସଦସ୍ୟ ରହି ଶ୍ରୀ ପଟ୍ଟନାୟକ ଓସିଏରେ ପ୍ରତିନିଧିତ୍ବ କରିଥିଲେ। ଏହି ସଂଘର ସଂପାଦକ ବିଶ୍ବନାଥ ମୁଖ‌ାର୍ଜୀଙ୍କର ମଧ୍ୟ ଓସିଏର ଯଥେଷ୍ଟ ପ୍ରଭାବ ଥିଲା। ଶ୍ରୀ ମୁଖ‌ାର୍ଜୀ ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ଓସିଏର କୋଷାଧ୍ୟକ୍ଷ ରହିଥି‌ଲେ। ଶ୍ରୀ ମୁଖାର୍ଜୀ ଓସିଏରେ ଚାଲିଥିବା ବିଭିନ୍ନ ଅନିୟମିତତାର ପର୍ଦ୍ଦାଫାସ୍‌ କରିବା ପରେ ତାଙ୍କ ବିରୋଧରେ ଷଡ଼୍‌ଯନ୍ତ୍ର କରାଯାଇ ତାଙ୍କୁ ସଂପାଦକ ପଦରୁ ଅନ୍ତର କରାଯାଇଥିଲ‌ା। ତେବେ ହାଇକୋର୍ଟଙ୍କ ଏହି ରାୟ ପରେ ଏବେ ଶ୍ରୀ ମୁଖାର୍ଜୀ ପୁଣିଥରେ ଓସିଏକୁ ପ୍ରବେଶ କରିବାର ବାଟ ଫିଟିଛି। ସଂପାଦକ ଶ୍ରୀ ମୁଖ‌ାର୍ଜୀ ଏହି ବିଜୟକୁ ଧର୍ମର ବିଜୟ ବୋଲି କହିବା ସହିତ ‌ନେତ‌ାଜୀ ସଂଘ ଦୀର୍ଘ ୨୦ ବର୍ଷରେ ଯେଉଁ କ୍ଷତି ସହିଛି, ତାକୁ ଭରଣା କରିବାକୁ ପ୍ରୟାସ କରିବେ ବୋଲି କହିଛନ୍ତି। ଏହି ବିଜୟକୁ ସେ ଆଇନଜୀବୀ ଅଶୋକ ମହାନ୍ତି, ସ୍ବର୍ଗତ ଅଶୋକ ମୁଖାର୍ଜୀ, ବିଜନ ରାୟ, ରମାକାନ୍ତ ମହାନ୍ତି, ସୁଧା ଆଚାର୍ଯ୍ୟ, ସ୍ବର୍ଗତ ରଜତ ରଥ, ଫିରୋଜ ଅହମ୍ମଦ, ସ୍ବର୍ଗତ ଜଗଦୀଶ ମହାନ୍ତି ଓ ସ୍ବର୍ଗତ ଫକୀର ମହାନ୍ତିଙ୍କୁ ଉତ୍ସର୍ଗ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।