ରାଜ୍ୟ

୧୭ ପ୍ରସ୍ତାବରେ କ୍ୟାବିନେଟ୍‌ ମୋହର: ଏସ୍‌ଏଚ୍‌ଜିଙ୍କ ପାଇଁ ସ୍କୁଟି

ଭୁବନେଶ୍ବର : ରାଜ୍ୟରେ ‘ମିସନ୍ ଶକ୍ତି ସ୍କୁଟର୍‌ ଯୋଜନା’ ଆରମ୍ଭ ହୋଇଛି। ମିସନ୍ ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀ ମହାସଂଘ ସହିତ କାର୍ଯ୍ୟରତ କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌(ସିଏସ୍‌ଏସ୍‌) ଓ କାର୍ଯ୍ୟନିର୍ବାହୀ କମିଟି(ଇସି) ସଦସ୍ୟାମାନେ ଏହି ଯୋଜନାର ହିତାଧିକାରୀ। ସେମାନେ ନିଜ ପସନ୍ଦ ମୁତାବକ ସ୍କୁଟର୍‌ କିଣିବା ପାଇଁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଉପରେ ସମ୍ପୂର୍ଣ୍ଣ ସୁଧ ଫେରିପାଇବେ। ଏହି ନୂଆ ଯୋଜନାରେ ଆଜି କ୍ୟାବିନେଟ୍‌ ମୋହର ବାଜିଛି। ଯୋଜନାକୁ କାର୍ଯ୍ୟକାରୀ କରିବାକୁ ୫ ବର୍ଷରେ ୫୨୮.୫୫ କୋଟି ଟଙ୍କାର ବଜେଟ୍‌ ନିର୍ଦ୍ଧାରଣ ବି କରାଯାଇଛି।ଶୁକ୍ରବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ବସିଥିଲା। ଏଥିରେ ମୋଟ୍‌ ୧୭ଟି ପ୍ରସ୍ତାବ ପାରିତ ହୋଇଛି। ‘ମିସନ୍ ଶକ୍ତି ସ୍କୁଟର୍‌ ଯୋଜନା’ ସମ୍ପର୍କରେ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ରାଜ୍ୟରେ ମିସନ୍ ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କୁ ସହଯୋଗ କରିବା ପାଇଁ ପଞ୍ଚାୟତଠାରୁ ଜିଲ୍ଲା ପର୍ଯ୍ୟନ୍ତ ମହାସଂଘ ସ୍ଥାପନା କରାଯାଇଛି। ମହାସଂଘର ପ୍ରତିନିଧି ଓ କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ମାନେ ମିସନ୍ ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ଆର୍ଥିକ ଅନ୍ତର୍ଭୁକ୍ତୀକରଣ, ଦକ୍ଷତା ବୃଦ୍ଧି ତାଲିମ, ଜୀବିକା ପ୍ରୋତ୍ସାହନ ଓ ବଜାର ସଂଯୋଗୀକରଣ ଦିଗରେ ଗୁରୁତ୍ବପୂର୍ଣ୍ଣ ସେବା ଯୋଗାଇ ଦେଉଛନ୍ତି। ମହିଳା ସଶକ୍ତୀକରଣ ଦିଗରେ ସେମାନଙ୍କ ଅବଦାନକୁ ସ୍ବୀକୃତି ଜଣାଇ ସେମାନଙ୍କ ନିଜ କାର୍ଯ୍ୟ ତୁଲାଇବାକୁ ଆହୁରି ସୁଗମ କରିବା ନିମନ୍ତେ ସରକାର ଏହି ଯୋଜନା ଘୋଷଣା କରିଛନ୍ତି। ସମ୍ପ୍ରତି ସିଆର୍‌ପି-ସିଏମ୍‌, ଏମ୍‌ବିକେ, ପ୍ରାଣୀ ମିତ୍ର, କୃଷି ମିତ୍ର, ବ୍ୟାଙ୍କ ମିତ୍ର, ଜୀବିକା ସହାୟିକା, ଉଦ୍ୟୋଗୀ ମିତ୍ର, ବିସିଏ ଏହିଭଳି ପ୍ରାୟ ୭୫,୦୦୦ କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ କାର୍ଯ୍ୟରତ ଅଛନ୍ତି। ସେହିପରି ମିସନ୍ ଶକ୍ତି ମହାସଂଘର ୧,୨୫,୦୦୦ କାର୍ଯ୍ୟନିର୍ବାହୀ ସଦସ୍ୟା ଅଛନ୍ତି।

‘ମିସନ୍ ଶକ୍ତି ସ୍କୁଟର୍‌ ଯୋଜନା’ରେ ୫୨୮ କୋଟି
ବିନା ସୁଧରେ ଲକ୍ଷେ ଟଙ୍କା ଋଣ
ବନ ସୁରକ୍ଷା ସମିତି ପାଇଁ ୧୦ ହଜାର ଘର ନିର୍ମାଣ ହେବ
ଚାଷୀଙ୍କୁ ୫୭୦୦ କୋଟି ଟଙ୍କାର ସୁଧ ରିହାତି

ରାଜ୍ୟର ବିଭିନ୍ନ ସ୍ଥାନରେ ବନ ସୁରକ୍ଷା ସମିତି ପାଇଁ ସରକାର ୧୦ ହଜାର ଘର ନିର୍ମାଣ କରିବେ। ଏହି ଘରଗୁଡ଼ିକ ୪ ବର୍ଷରେ ଅର୍ଥାତ ୨୦୨୩-୨୪ରୁ ୨୦୨୬-୨୭ ମଧ୍ୟରେ ପର୍ଯ୍ୟାୟକ୍ରମେ ନିର୍ମାଣ କରାଯିବ। ଘରଗୁଡ଼ିକୁ ସମିତି ପକ୍ଷରୁ ସମ୍ମିଳନୀ କକ୍ଷ ତଥା ବିଭିନ୍ନ କାର୍ଯ୍ୟକଳାପ ନିମନ୍ତେ ବ୍ୟବହାର କରାଯାଇପାରିବ। ଚଳିତ ଆର୍ଥିକ ବର୍ଷରେ ୨,୯୪୨ଟି ବନ ସୁରକ୍ଷା ସମିତି ଘର ନିର୍ମାଣ କରାଯିବ। ଏଥି ପାଇଁ ୨୫୦ କୋଟି ଟଙ୍କାର ବଜେଟ୍‌ ବ୍ୟବସ୍ଥାକୁ ଆଜି କ୍ୟାବିନେଟ୍‌ ଅନୁମୋଦନ ମିଳିଛି।

ସମବାୟ ବ୍ୟାଙ୍କ ଓ ସମବାୟ ସମିତିଗୁଡ଼ିକୁ ଆର୍ଥିକ ସହାୟତା ଓ ସୁଧ ରିହାତି ବାବଦକୁ ରାଜ୍ୟ ସରକାର ୫୭୦୦ କୋଟି ଟଙ୍କା ପ୍ରଦାନ କରିବେ। ‘ସ୍ବଳ୍ପ ମିଆଦି ଫସଲ ଋଣ ସୁଧ ରିହାତି ଯୋଜନା’ରେ ୫ ବର୍ଷରେ ଏହି ଅର୍ଥ ପ୍ରଦାନ କରାଯିବ। ଏ ସଂକ୍ରାନ୍ତ ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ ଦେଇଛି। ରାଜ୍ୟ ସରକାର ୨୦୨୨-୨୩ ଆର୍ଥିକ ବର୍ଷରୁ ନିୟମିତ କୃଷି ଋଣ ପରିଶୋଧ କରୁଥିବା ରାଜ୍ୟର ଚାଷୀମାନଙ୍କୁ ଉଭୟ ଖରିଫ ଓ ରବି ଋତୁରେ ବ୍ୟାଙ୍କମାନଙ୍କ ଦ୍ବାରା ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ଉପରେ ଆଦୌ ସୁଧ ରଖିନାହାନ୍ତି। ସେହିପରି ୧ ଲକ୍ଷରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ଉପରେ ସୁଧ ହାର ମାତ୍ର ୨% ରହିଛି।

ରାଜ୍ୟ ସରକାର ଚାଷୀଙ୍କ ଠାରୁ ମୁଗ, ବିରି, ହରଡ଼, ଚିନାବାଦାମ ଓ ସୂର୍ଯ୍ୟମୁଖୀ ଇତ୍ୟାଦି ଅଣଧାନ କୃଷିଜାତ ଦ୍ରବ୍ୟ ସର୍ବନିମ୍ନ ସହାୟକ ମୂଲ୍ୟରେ କ୍ରୟ କରିବେ। ଏଥି ପାଇଁ ମାର୍କଫେଡ୍‌କୁ ୫ ବର୍ଷ ମଧ୍ୟରେ ସୁଧମୁକ୍ତ ଋଣ ଭାବେ ୫୦୦ କୋଟି ଟଙ୍କାର ସହାୟତା ମିଳିବ। ଏହାକୁ ଏକ ସ୍ବତନ୍ତ୍ର ଆକାଉଣ୍ଟରେ ରଖାଯିବ ଏବଂ କେବଳ ଓଡ଼ିଶା ମଧ୍ୟରେ ଡାଲି ଓ ତୈଳବୀଜ କ୍ରୟ ପାଇଁ ବ୍ୟବହାର କରାଯିବ। ସରକାରଙ୍କ ଦ୍ବାରା ଧାର୍ଯ୍ୟ ସମୟ ମଧ୍ୟରେ ମାର୍କଫେଡ୍‌ ଏହି ଟଙ୍କା ଫେରସ୍ତ କରିବ। ଏ ସଂକ୍ରାନ୍ତ ପ୍ରସ୍ତାବ ଆଜି କ୍ୟାବିନେଟ୍‌ରେ ପାରିତ ହୋଇଛି। ଏହି ଯୋଜନାରେ ଏକ ଲକ୍ଷ ପର୍ଯ୍ୟନ୍ତ ଚାଷୀ ଉପକୃତ ହୋଇପାରିବେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।