ରାଜ୍ୟ ସ୍ପେଶାଲ ରିପୋର୍ଟ

୧୬ ଉପ-ଜିଲ୍ଲାସ୍ତରୀୟ ଡାକ୍ତରଖାନାରେ ଡାଏଲିସିସ୍ କେନ୍ଦ୍ର ଲୋକାର୍ପିତ: ମାଗଣା ଡାଏଲିସିସ୍‌ ପାଇଁ ବର୍ଷକୁ ୫୦ କୋଟି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ୧୬ଟି ଉପ-ଜିଲ୍ଲାସ୍ତରୀୟ ଡାକ୍ତରଖାନାରେ ଡାଏଲିସିସ୍ କେନ୍ଦ୍ର ଲୋକାର୍ପଣ କରିଛନ୍ତି। ରାଜ୍ୟରେ ୫-ଟି ଉପକ୍ରମରେ ଉପ-ଜିଲ୍ଲାସ୍ତରରେ ସମୁଦାୟ ୩୨ଟି ଡାଏଲେସିସ୍ କେନ୍ଦ୍ର ଖୋଲାଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଏସବୁ ଡାଏଲିସିସ୍ କେନ୍ଦ୍ର ପ୍ରତିଷ୍ଠା ଦ୍ୱାରା ଏଣିକି କିଡ୍‌ନି ଆକ୍ରାନ୍ତମାନେ ଘର ପାଖରେ ବିନା ମୂଲ୍ୟରେ ଡାଏଲେସିସ୍ ସେବା ପାଇ ପାରିବେ। ରାଜ୍ୟବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଲକ୍ଷ୍ୟରେ ୨୦୧୮ରେ ମାଗଣା ଡାଏଲିସିସ୍ ସେବା ‘ସହାୟ’ ଆରମ୍ଭ ହୋଇଥିଲା। ଏହି ସେବା ଯୋଗାଇ ଦେବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଥିଲା। ପ୍ରଥମ ପର୍ଯ୍ୟାୟରେ ଏହି ସେବା ସମସ୍ତ ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ଆରମ୍ଭ ହୋଇଥିଲା। ଏବେ ୫-ଟି ଉପକ୍ରମରେ ଏହାକୁ ଉପ-ଜିଲ୍ଲାସ୍ତରୀୟ ଡାକ୍ତରଖାନା ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇଛି। ଉପ-ଜିଲ୍ଲାସ୍ତରରେ ୩୨ଟି ଡାଏଲିସିସ୍ କେନ୍ଦ୍ର ଖୋଲାଯିବ। ରୋଗୀଙ୍କୁ ମାଗଣା ଡାଏଲେସିସ୍ ସେବା ଦେବା ପାଇଁ ରାଜ୍ୟ ସରକାର ବର୍ଷକୁ ୫୦ କୋଟି ଟଙ୍କା ଖର୍ଚ୍ଚ କରିବେ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ବିଏସ୍‌କେୱାଇ-ନବୀନ କାର୍ଡ ଜରିଆରେ ବର୍ଷକୁ ୪ କୋଟିରୁ ଅଧିକ ଲୋକଙ୍କୁ ବିନା ମୂଲ୍ୟରେ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଉଛି। ଫଳରେ ରୋଗୀମାନଙ୍କୁ ଅର୍ଥ ପାଇଁ ଚିନ୍ତା କରିବାର ସମସ୍ୟା ଦୂର ହୋଇଛି। ସରକାରୀ ସ୍ୱାସ୍ଥ୍ୟ ସେବା କେନ୍ଦ୍ରଗୁଡ଼ିକର ରୂପାନ୍ତର କରାଯାଉଛି। ‘ଆମ ହସ୍ପିଟାଲ’ କାର୍ଯ୍ୟକ୍ରମରେ ରୋଗୀଙ୍କୁ ଭଲ ସେବା ଯୋଗାଇ ଦେବା ପାଇଁ କାମ ଚାଲିଛି। ସେଠାରେ ଧନୀ-ଗରିବ ସମସ୍ତଙ୍କୁ ମାଗଣା ଚିକିତ୍ସା ମିଳୁଛି ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ।

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲ୍ଲୀରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ କଟକ ଜିଲ୍ଲା ତିଗିରିଆରୁ ରାଜ୍ୟ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି କାର୍ଯ୍ୟକ୍ରମରେ ଯୋଡ଼ିହେଇଥିଲେ। ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ, ମୁଖ୍ୟମନ୍ତ୍ରୀ ରାଜ୍ୟର ସାଢ଼େ ୪କୋଟି ଲୋକଙ୍କୁ ତାଙ୍କ ପରିବାର ଭାବେ ଗ୍ରହଣ କରିଛନ୍ତି। ତେଣୁ ଏହାକୁ ଗୁରୁତ୍ୱର ସହ ନେଇ କର୍କଟର ଚିକିତ୍ସା ପାଇଁ କେମୋଥେରାପି ଓ କିଡ୍‌ନି ରୋଗ ପାଇଁ ଡାଏଲେସିସ୍ ସୁବିଧା ଘର ପାଖରେ ମାଗଣାରେ କରିଛନ୍ତି। ଗ୍ରାମାଞ୍ଚଳରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତଙ୍କୁ ସାମିଲ କରିବା ପାଇଁ ବିଜୁ ନବୀନ କାର୍ଡ ଆରମ୍ଭ କରାଯାଇଛି। ଗ୍ରାମାଞ୍ଚଳରେ କାର୍ଯ୍ୟ କରୁଥିବା ସବୁ କମ୍ୟୁନିଟି ସପୋର୍ଟ ଷ୍ଟାଫ୍(ଆଶା, ଅଙ୍ଗନବାଡ଼ି, ମିସନ ଶକ୍ତି) ମଧ୍ୟ ଏଥିରେ ସାମିଲ ହେବେ। ଆବଶ୍ୟକ ପଡ଼ିଲେ ନବୀନ କାର୍ଡ ପଞ୍ଜୀକରଣ ସମୟ ଅବଧିକୁ ଆହୁରି ବୃଦ୍ଧି କରାଯିବ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ। ପ୍ରାରମ୍ଭରେ ରାଜ୍ୟ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସ୍ବାଗତ ଭାଷଣ ଓ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଧନ୍ୟବାଦ ଦେଇଥିଲେ। ଉଲ୍ଲେଖ ଯେ ୨୦୧୮ରେ ରାଜ୍ୟ ସରକାର ‘ସହାୟ-ଦେୟମୁକ୍ତ ଡାଏଲିସିସ୍ ସେବା’ ଆରମ୍ଭ କରିଥିଲେ। ଏଥିରେ ମେଡିକାଲ କଲେଜ ହସ୍ପିଟାଲ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩୬ଟି ଡାଏଲିସିସ୍ କେନ୍ଦ୍ର ଖୋଲା ଯାଇଥିଲା। ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟରେ ଉପ-ଜିଲ୍ଲାସ୍ତରରେ ୩୨ଟି ଡାଏଲିସିସ୍ କେନ୍ଦ୍ର ଖୋଲା ଯିବାର ଲକ୍ଷ୍ୟ ରହିଛି। ତହିଁରୁ ମୁଖ୍ୟମନ୍ତ୍ରୀ ଆଜି ୧୬ଟି ଲୋକାର୍ପିତ କରିଛନ୍ତି। ଖୋର୍ଦ୍ଧା, ପାଲଲହଡ଼ା, ତାଳଚେର, ସୋର, କାମକ୍ଷାନଗର, ହିନ୍ଦୋଳ, ଧର୍ମଗଡ଼, ଗୁଣୁପୁର, ବାଲିଗୁଡ଼ା, ଆନନ୍ଦପୁର, ଚମ୍ପୁଆ, ବଣାଇଗଡ଼, ରାଇରଙ୍ଗପୁର, ଉଦଳା, ତିଗିରିଆ ଓ ଡୁଙ୍ଗୁରୁପାଲି ରହିଛି। ଏହି ସଂପ୍ରସାରଣ ଦ୍ୱାରା ୬୮ଟି ଡାଏଲିସିସ୍ କେନ୍ଦ୍ରରେ ବର୍ଷକୁ ୩.୭୦ ଲକ୍ଷ ସେସନ୍ ଡାଏଲେସିସ୍ ହୋଇପାରିବ । ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ୫୦ କୋଟି ଟଙ୍କା ଖର୍ଚ୍ଚ କରିବେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।