ରାଜ୍ୟ

୧୫ ଯାଏ ଜାରି ରହିବ ବର୍ଷା: ଜୁଲାଇ ଶେଷ ଦୁଇ ସପ୍ତାହରେ ୨ ଲଘୁଚାପ

ଭୁବନେଶ୍ବର: ରାଜ୍ୟର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ମୌସୁମୀଜନିତ ନିମ୍ନ ଚାପରେଖା ଆଜି ରାଜସ୍ଥାନର ଯଶେଲମେର୍‌ରୁ ବାହାରି ସିକର, ଓରାଇ, ସୁଲତାନପୁର, ପାଟଣା ଓ ପଶ୍ଚିମବଙ୍ଗର ମାଲ୍‌ଦାରୁ ପୂର୍ବ ଦିଗରେ ଅରୁଣାଞ୍ଚଳ ପ୍ରଦେଶ ଯାଏ ଲମ୍ବିଛି। ଏହା ବାୟୁମଣ୍ଡଳରେ ୦.୯ କିମି ଉଚ୍ଚତା ଯାଏ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତାକାଲି ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ ଓ ଢେଙ୍କାନାଳ ଜିଲ୍ଲାର କେତେକାଂଶ‌ରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ତେବେ ରାଜ୍ୟରେ ଏବେ ୧୫ ତାରିଖ ଯାଏ ବର୍ଷା ଲାଗି ରହିବାର ସମ୍ଭାବନା ରହିଥିବା ବେଳେ ଜୁଲାଇ ତୃତୀୟ ଓ ଚତୁର୍ଥ ସପ୍ତାହରେ ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ସୃଷ୍ଟି ହୋଇପାରେ। ଫଳରେ ଜୁଲାଇ ଶେଷ ଆଡ଼କୁ ରାଜ୍ୟରେ ଭଲ ବର୍ଷା ଆଶା କରାଯାଉଥିବା ପାଣିପାଗ ବିଜ୍ଞାନୀମାନେ କହିଛନ୍ତି।

ସେହିପରି ୧୩ ତାରିଖରେ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ, ଜଗତସିଂହପୁର, ପୁରୀ ଓ ଖୋର୍ଧା ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ୧୪ ଓ ୧୫ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ୧୪ ତାରିଖ ଦିନ ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଆଦି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ୧୫ ତାରିଖ ଦିନ ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗୀର, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା ଓ ଗଜପତି ଜିଲ୍ଲା‌ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଚଳିତ ‌ମୌସୁମୀ ଋତୁରେ ୧ ଜୁନ୍‌ରୁ ୧୧ ଜୁଲାଇ ମଧ୍ୟରେ ରାଜ୍ୟରେ ସମୁଦାୟ ୨୩୨.୭ ମିମି ବର୍ଷା ରେକର୍ଡ ହୋଇଯାଇଛି। ଯାହାକି ସ୍ବାଭାବିକ ବର୍ଷା ୩୧୪ ମିମି ତୁଳନାରେ ୨୬% କମ୍‌। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଗୋଟିଏ ଜିଲ୍ଲା ଦେବଗଡ଼ରେ ସର୍ବାଧିକ ୪୫୬.୮ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଏହା ସ୍ବାଭାବିକଠାରୁ ୪୫% ଅଧିକ। ସେହିଭଳି ୧୧ ଜିଲ୍ଲା ଯଥା ସୁନ୍ଦରଗଡ଼, ଝାରସୁଗୁଡ଼ା, ‌କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ବରଗଡ଼, ନୂଆପଡ଼ା, ମାଲକାନଗିରି, ବୌଦ୍ଧ ଓ ଭଦ୍ରକ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଯାଇଛି। ଅନ୍ୟପଟେ ରାଜ୍ୟର ୧୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ସ୍ଥିତି ସୃଷ୍ଟି ହୋଇଥିବା ବେଳେ କଳାହାଣ୍ଡିର ଅତି ନିଅଣ୍ଟିଆ ସ୍ଥିତି ଚିନ୍ତାର କାରଣ ପାଲଟିଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ‌ବିଭିନ୍ନ ମଡେଲରୁ ଜଣାପଡ଼ୁଛି ‌ଯେ ଜୁଲାଇ ଦ୍ବିତୀୟ ସପ୍ତାହର ବାକି ୩ ଦିନ (୧୨ରୁ ୧୪ ତାରିଖ)ରେ ରାଜ୍ୟରେ ବିକ୍ଷିପ୍ତ ବର୍ଷା ହେବ। ତୃତୀୟ ସପ୍ତାହରେ ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଓ ଉପକୂଳରେ ସ୍ବଳ୍ପବର୍ଷା ହେବ। ୧୮ରୁ ୨୧ତାରିଖ ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ଓ ମୌସୁମୀ ଟ୍ରଫ୍‌ର ସ୍ବାଭାବିକ ସ୍ଥିତି ହେତୁ ରାଜ୍ୟରେ ମଧ୍ୟମରୁ ପ୍ରବଳ ବର୍ଷା ହେବ। ବୁଣା, ରୁଆ, ବେଉଷା ପାଇଁ ପାଣି ଉଠି ଯାଇପାରେ। ଚତୁର୍ଥ ସପ୍ତାହରେ କେନ୍ଦ୍ରୀୟ-ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇ ଆନ୍ଧ୍ର-ଓଡ଼ିଶା ଉପକୂଳକୁ ମୁହାଁଇପାରେ। ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ଯଦି ହୁଏ, ରାଜ୍ୟରେ ହାରାହାରି ୧୨୦ମିମିରୁ ଅଧିକ ବର୍ଷା ହେବ, ଯାହାଦ୍ବାରା ଚାଷ କାମ ଆଗେଇବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।