ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୧୫ଟି ଜିଲ୍ଲାରେ ୭୩ଟି ‘ଆମ ହସ୍ପିଟାଲ’, ପାଞ୍ଚଟି ଉପଖଣ୍ଡସ୍ତରୀୟ ଡାଏଲିସିସ୍ କେନ୍ଦ୍ରର ଲୋକାର୍ପଣ କରିଛନ୍ତି। ଏହାସହ ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ଆଇଭିଆରଏସ୍ ପଦ୍ଧତିରେ ରୋଗୀ ମତାମତ ସଂଗ୍ରହ ବ୍ୟବସ୍ଥା ସହ କର୍ମଚାରୀମାନଙ୍କର ମୁହଁ ଚିହ୍ନଟ ମାଧ୍ୟମରେ ଉପସ୍ଥାନ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି। ଲୋକାର୍ପଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗଦେଇ କହିଲେ, ‘ଆମ ହସ୍ପିଟାଲ’ରେ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସବୁ ବ୍ୟବସ୍ଥା କରାଯାଇଛି। ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ରୋଗୀଙ୍କୁ ସୁବିଧାରେ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇ ଦେବା। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ‘ଆମ ହସ୍ପିଟାଲ’ ଜରିଆରେ ଏକ ନୂଆ ଯୁଗର ଆରମ୍ଭ ହେବ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରୂପାନ୍ତରର ଚିତ୍ରକୁ ‘ଆମ ହସ୍ପିଟାଲ’ ଆହୁରି ଉଜ୍ଜ୍ୱଳ କରିବ। ୫-ଟି ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତରୁ ମିଳିଥିବା ପ୍ରସ୍ତାବ ଓ ‘ମୋ ସରକାର’ ଜନମତ ସଂଗ୍ରହ ଭିତ୍ତିରେ ‘ଆମ ହସ୍ପିଟାଲ’ ଆରମ୍ଭ କରାଯାଇଛି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଗାମୀ ୫ ବର୍ଷ ମଧ୍ୟରେ ୧୮୫୮ଟି ଡାକ୍ତରଖାନାକୁ ଏହି କାର୍ଯ୍ୟକ୍ରମରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୨୦୨୩-୨୮ ମଧ୍ୟରେ ୩୩ ଶହ କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି। ଏବେ ୧୪୯ଟି ଡାକ୍ତରଖାନାର ରୂପାନ୍ତର କାର୍ଯ୍ୟ ଜାରି ରହିଛି। ଗତ ୧ ବର୍ଷ ମଧ୍ୟରେ ୪ହଜାର ଡାକ୍ତର ଓ ୩୭ଶହରୁ ଅଧିକ ନର୍ସଙ୍କୁ ନିଯୁକ୍ତି ଦିଆଯାଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆଜି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଓଡ଼ିଶାର ମଡେଲ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୁଜାରୀ କହିଥିଲେ, ମୁଖ୍ୟମନ୍ତ୍ରୀ ଦୃଷ୍ଟିରେ ଗୋଟିଏ ଧନୀ ଲୋକର ଜୀବନ ଯେପରି ଗୁରୁତ୍ୱପୂର୍ଣ୍ଣ, ସେପରି ଗରିବ ଲୋକର ଜୀବନ ମଧ୍ୟ ମୂଲ୍ୟବାନ। କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁରେ ଜିଲ୍ଲା ପରିଷଦ ସଭାପତି ଅଞ୍ଜଳି ସ୍ୱାଇଁ, ଗଂଜାମ କେଳୁଆପଲ୍ଲୀରେ ବିଧାୟକ ବିକ୍ରମ କୁମାର ପଣ୍ଡା, ପଦ୍ମପୁରରେ ବିଧାୟିକା ବର୍ଷା ସିଂହ ବରିହା, କୁଚିଣ୍ଡାରେ ବିଧାୟକ କିଶୋର ଚନ୍ଦ୍ର ନାୟକ, ଗୁଣପୁରରେ ବିଧାୟକ ରଘୁନାଥ ଗମାଙ୍ଗୋ, ପରଜଙ୍ଗରେ ବିଧାୟକ ନୃସିଂହ ଚରଣ ସାହୁ, କଳାହାଣ୍ଡିରେ ସାଂସଦ ସୁଜିତ କୁମାର, ଜଗତସିଂହପୁରରେ ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, ଖରିଆରରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ବଡ଼ଗାଁରେ ମନ୍ତ୍ରୀ ସାରଦା ପ୍ରସାଦ ନାୟକ, ମୟୂରଭଞ୍ଜର ଶୀର୍ଷରେ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମକୁ ସଞ୍ଚାଳନ କରି ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ କହିଥିଲେ ଯେ ଜଗତସିଂହପୁର ଜିଲ୍ଲା ଗସ୍ତ ସମୟରେ ଡାକ୍ତରଖାନା ଜମି ସମସ୍ୟା ସଂପର୍କରେ ଲୋକମାନେ ଜଣାଇଥିଲେ। ୫ ଏକର ୮୦ ଡିସମିଲ ଜମି ହସ୍ପିଟାଲକୁ ପ୍ରଦାନ କରାଯିବ। ପ୍ରାରମ୍ଭରେ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସ୍ବାଗତ ଭାଷଣ ଦେଇଥିବା ବେଳେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଧନ୍ୟବାଦ ଦେଇଥିଲେ।
ଉଲ୍ଲେଖ ଯେ ବରଗଡ଼ ଜିଲ୍ଲାରେ ୫, ସୁନ୍ଦରଗଡ଼ରେ ୭, ସମ୍ବଲପୁରେ ୪, ଢେଙ୍କାନାଳରେ ୪, କେନ୍ଦୁଝରରେ ୬, ଝାରସୁଗୁଡ଼ାରେ ୨, ଜଗତସିଂହପୁରରେ ୪, କେନ୍ଦ୍ରାପଡ଼ାରେ ୫, ମୟୂରଭଞ୍ଜରେ ୯, ଗଞ୍ଜାମରେ ୧୩, କଳାହାଣ୍ଡିରେ ୪, ରାୟଗଡ଼ାରେ ୪, ନୂଆପଡ଼ାରେ ୨, ମାଲକାନଗିରିରେ ୨ ଓ କନ୍ଧମାଳରେ ୩ଟିକୁ ମିଶାଇ ସମୁଦାୟ ୭୩ଟି ରୂପାନ୍ତରିତ ‘ଆମ ହସ୍ପିଟାଲ’ ଆଜି ଲୋକାର୍ପିତ ହୋଇଛି। ଏହାସହ ମୟୂରଭଞ୍ଜର କରଞ୍ଜିଆ ଉପଖଣ୍ଡ ଡାକ୍ତରଖାନା, ସମ୍ବଲପୁର କୁଚିଣ୍ଡା, ଗଞ୍ଜାମ ହିଞ୍ଜିଳିକାଟୁ , ନୂଆପଡ଼ା ଖରିଆର ଓ ବରଗଡ଼ର ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ୫ଟି ନୂତନ ଉପଖଣ୍ଡସ୍ତରୀୟ ଡାଏଲିସିସ୍ କେନ୍ଦ୍ରର ଲୋକାର୍ପଣ କରାଯାଇଛି।