ଭୁବନେଶ୍ୱର : ଶରତର ଆଲିଙ୍ଗନରେ ପାର୍ବଣମୁଖର ହୁଏ ରାଜଧାନୀ। ବୈଦିକ ମନ୍ତ୍ରରେ ଉଚ୍ଛୁଳେ ପଲ୍ଲୀରୁ ନଗର। ସଞ୍ଜ ନଇଁଲେ ରଙ୍ଗ ମାଖେ ରଙ୍ଗିନ ଆଲୁଅ। ଐତିହ୍ୟ ଗାଥା ବଖାଣେ ସୁଦୃଶ୍ୟ ତୋରଣ। ପୂଜା ମଣ୍ଡପକୁ ମୁହାଁଇଯାଏ ସବୁ ପାଦ। ମାତ୍ର କଟକଣା ପାଦରେ ବେଡ଼ି ପକାଇଦେଇଛି।
ପୂଜାରେ ଚମକ ଭରିବା ପାଇଁ ପାଣି ଭଳି ଟଙ୍କା ବୁହାଇଦିଅନ୍ତି ପୂଜା କମିଟି। କେଉଁଠି ମା’ଙ୍କ ପାଇଁ ସୁନା ମୁକୁଟ ପ୍ରସ୍ତୁତ ହୁଏ ତ କେଉଁଠି ଚାନ୍ଦି ମେଢ଼ ଆକର୍ଷଣ ସାଜେ। ଗତବର୍ଷର ହିସାବ ମୁତାବକ, ୧୭୧ଟି ପୂଜା ମଣ୍ଡପରେ ମା’ ଓ ଅନ୍ୟ ଦେବଦେବୀଙ୍କ ପୂଜା ଅନୁଷ୍ଠିତ ହୁଏ। ୭ଟି ପ୍ରମୁଖ ପୂଜା ମଣ୍ଡପ ସୁଦୃଶ୍ୟ ତୋରଣରେ ମନ ହରିନିଅନ୍ତି। ସହିଦନଗର, ବମିଖାଲ, ନୂଆପଲ୍ଲୀ, ରସୁଲଗଡ଼, ଝାରପଡ଼ା, ଷ୍ଟେସନବଜାର, ବରମୁଣ୍ଡା ଭଳି ପୂଜା ମଣ୍ଡପରେ କେବଳ ୩ କୋଟି ଟଙ୍କା ଖର୍ଚ୍ଚ ହୋଇଯାଏ। କେବଳ ତୋରଣରେ ବଜେଟ୍ର ସିଂହଭାଗ ଖର୍ଚ୍ଚ ହୁଏ।
ମାତ୍ର ଏଥର ରୁଦ୍ଧ ମଣ୍ଡପରେ ବିରାଜିଛନ୍ତି ମା’। ଚାକଚକ୍ୟ ତ ନାହିଁ, ଏଣେ ପୂଜା ମଣ୍ଡପରେ ବି ମା’ଙ୍କୁ ଦେଖିବା ପାଇଁ ଭକ୍ତଙ୍କ ସମାଗମ ନାହିଁ। ଏତେ ବଡ଼ ପାର୍ବଣରେ ବି ନା ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଅଛି ନା ଭିଡ଼ ଜମୁଛି।
ରାଜଧାନୀରେ ୫୦ରୁ ଅଧିକ ପୂଜା କମିଟି ହାରାହାରି ୧୦ ଲକ୍ଷ ଲେଖାଏଁ ବଜେଟ୍ରେ ପୂଜା କରୁଥିବା ବେଳେ ୧୨୦ ପୂଜା କମିଟି ପକ୍ଷରୁ ହାରାହାରି ୫ଲକ୍ଷ ଖର୍ଚ୍ଚ ହୁଏ। ସବୁ ପୂଜା ମଣ୍ଡପ ତୋରଣକୁ ଅଗ୍ରାଧିକାର ଭିତ୍ତିରେ ଅଧା ଖର୍ଚ୍ଚ ତୋରଣରେ ବ୍ୟୟ କରନ୍ତି। ଏହା ବ୍ୟତୀତ ସହିଦନଗରରେ ମା’ ସୁନା ମୁକୁଟ ପିନ୍ଧୁଥିବା ବେଳେ ୪ଟି ପୂଜା ମଣ୍ଡପରେ ଚାନ୍ଦି ମେଢ଼ ଦେଖିବାକୁ ମିଳେ। ଏଥରେ କିନ୍ତୁ ସବୁ ଉତ୍ସାହକୁ ଫିକା କରିଦେଇଛି କରୋନା। ତୋରଣ ଓ ସାଜସଜା ପରେ ପୂଜା କମିଟି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଗୁରୁତ୍ବ ଦେଇ ଖର୍ଚ କରନ୍ତି। ଗତ ବର୍ଷ ବଡ଼ ପୂଜା କମିଟି ବଲିଉଡ୍ ଶିଳ୍ପୀମାନଙ୍କୁ ଆଣିନଥିଲେ ମଧ୍ୟ ପାଖାପାଖି ୫ଲକ୍ଷ ଟଙ୍କା ଲେଖାଏଁ ଖର୍ଚ୍ଚ କରିଥିଲେ। ୧୦୦ରୁ ଅଧିକ ପୂଜା କମିଟି ସାଂସ୍କୃତିକ କାର୍ଯ୍ୟକ୍ରମକୁ ପ୍ରାଧାନ୍ୟ ଦିଅନ୍ତି। ଅଧିକାଂଶ ସ୍ଥାନରେ ମେଲୋଡି ହିଁ ମୁଖ୍ୟ ଆକର୍ଷଣ ସାଜେ। ମେଲୋଡି ସହ ଭଜନ ସମାରୋହ, ରାମଲୀଳା, ଜଗ୍ଲର ସୋ’, ନୃତ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ଏଥର କିନ୍ତୁ କରୋନା କଟକଣା ଏସବୁରେ ରୋକ୍ ଲଗାଇ ଦେଇଛି।
Next Article ବିଜୟା ଦଶମୀରେ ଲାଖ ବିନ୍ଧିବେ ଶ୍ରୀଲିଙ୍ଗରାଜ