ଅପରାଧ ରାଜ୍ୟ

୧୪ରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ଆଗେଇ ଚାଲିଛି ପ୍ରସ୍ତୁତି କାର୍ଯ୍ୟ

ପୁରୀ ୦୯।୦୬: ଆସନ୍ତା ୧୪ରେ ପବିତ୍ର ଦେବସ୍ନାନ ପୁର୍ଣ୍ଣମୀ। ଏହି ଅବସରରେ ଶ୍ରୀଜୀଉମାନେ ସ୍ନାନବେଦୀରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେବେ ଦୁର୍ଲଭ ହାତୀବେଶ ବା ଗଜାନନ ବେଶରେ। ଆଉ ଏହି ବେଶ ପ୍ରସ୍ତୁତି କାର୍ଯ୍ୟ ଏବେ ଯୋରସୋରରେ ଆଗେଇ ଚାଲିଛି ଗୋପାଳତୀର୍ଥ ମଠ ଓ ରାଘବଦାସ ମଠରେ।

ଖବର ଅନୁଯାୟୀ, ଗତ ଦୁଇବର୍ଷ ପରେ ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୁର୍ଣ୍ଣିମା। ଏହି ଅବସରରେ ମହାପ୍ରଭୁ ହାତୀବେଶ ବା ଗଜାନନ ବେଶରେ ଦର୍ଶନ ଦେଇଥାନ୍ତି ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ। ସ୍ନାନବେଦୀରେ ମହାପ୍ରଭୁଙ୍କ ଏହି ହାତୀବେଶ ବା ଗଜାନନ ବେଶ ସବୁଠାରୁ ଆକର୍ଷଣୀୟ ହୋଇଥିବା ବେଳେ ଏହି ବେଶ ପ୍ରସ୍ତୁତି କରୁଛନ୍ତି ରାଘବଦାସ ମଠ ଓ ଗୋପାଳତୀର୍ଥ ମଠ। ଗୋପାଳତୀର୍ଥ ମଠ ବଳଭଦ୍ର ଓ ସୁଦର୍ଶନଙ୍କ ବେଶ ପ୍ରସ୍ତୁତ କରୁଥିବାବେଳେ ରାଘବଦାସ ମଠ ପ୍ରଭୁ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ବେଶ ତିଆରି କରିଥାନ୍ତି। ପରମ୍ପରା ଅନୁଯାୟୀ ଗତ ଅକ୍ଷୟ ତୃତୀୟା ଠାରୁ ସୋଲ, ଚିତ୍ରକର, ଦରଜୀ ଓ ରଣା ସେବାୟତମାନେ ହବିଷାନ୍ନ ଗ୍ରକ୍ଷଣ କରି ଅତି ନିଷ୍ଠାର ସହିତ ଏହି ବେଶକୁ ନିର୍ମାଣ କରୁଛନ୍ତି।

ତେବେ ବିଶେଷ କରି ଏହି ବେଶ ନିର୍ମାଣ ପାଇଁ ସମସ୍ତ ପ୍ରାକୃତିକ ଦ୍ରବ୍ୟର ବ୍ୟବହାର କରାଯାଏ। ବାଉଁଶ, କଦଳୀ ପଟୁକା, ସୋଲ, ଜରି, ଜମ୍ୱୁରା, କନା ଓ କଇଁଥ ଅଠା ବ୍ୟବହାର କରାଯାଇ ଏହି ବେଶକୁ ବେଶ୍ ଆକର୍ଷଣୀୟ ଭାବେ ନିର୍ମାଣ କରିଥାନ୍ତି। ମହାପ୍ରଭୁଙ୍କ ଶ୍ରୀଅଙ୍ଗ ପାଇଁ ତରାସ, କିଆଫଳି, ଚନ୍ଦ୍ରସୂର୍ଯ୍ୟ, ଛତି, କାନ, ଚିତା, ଥୋଡହସ୍ତ, ଅଧର, ତୋରଣା ଓ ଗଜଖୁମ୍ବ ତିଆରି ହେଉଥିବା ବେଳେ ଦେବୀ ସୁଭଦ୍ରାଙ୍କ ପାଇଁ ତଡକୀ, ନାକୁଆସୀ, ତରାସ, ଛତି, ଚୂଳ ଓ ଚିତା ତିଆରି ହେଉଛି।

ସେହିପରି ପ୍ରଭୁ ସୁଦର୍ଶନଙ୍କ ପାଇଁ ସବୁଜ ରଙ୍ଗର ଚକ୍ର, ଚୂଳ ଓ ଓଲାର ତିଆରି ଚାଲିଛି। ପ୍ରଭୁ ବଳଭଦ୍ରଙ୍କ ପାଇଁ ଧଳାରଙ୍ଗ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ କଳାରଙ୍ଗର ବେଶ ପ୍ରସ୍ତୁତ କରୁଛନ୍ତି ଶ୍ରୀମନ୍ଦିରର ପାରମ୍ପରିକ ଶିଳ୍ପୀ ମାନେ।‌ ପ୍ରାୟ ଏକମାସ ଧରି ଏହି ବେଶ ନିର୍ମାଣ କରିବା ପରେ ଦେବସ୍ନାନ ପୁର୍ଣ୍ଣମୀର ଅପରାହ୍ନରେ ବେଶ କାର୍ଯ୍ୟ ଶେଷ କରାଯାଇ ଏକ ବିରାଟ ପଟୁଆରରେ ଶ୍ରୀମନ୍ଦିରକୁ ନିଆଯାଇଥାଏ। ମହାପ୍ରଭୁଙ୍କ ହାତୀବେଶ ନିର୍ମାଣ ପାଇଁ ପ୍ରାୟ ୧୦ ରୁ ଉର୍ଦ୍ଧ ଶିଳ୍ପୀ ବେଶ ନିଷ୍ଠାର ସହିତ କାର୍ଯ୍ୟ କରୁଛନ୍ତି। ମହାପ୍ରଭୁଙ୍କ ବେଶ ନିର୍ମାଣକୁ ଏକ ସେବା ଭାବେ ଗ୍ରହଣ କରି ଏହି କାରିଗର ମାନେ ନିଜକୁ ଧନ୍ୟ ମନେ କରନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।