ନୂଆଦିଲ୍ଲୀ : ଦିଲ୍ଳୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଦୀର୍ଘ ୧୦୩ ଦିନ ପରେ ବୁଧବାର ଦିନ ତାଙ୍କ ପତ୍ନୀ ସୀମା ସିସୋଦିଆଙ୍କୁ ଭେଟିଛନ୍ତି। ୭ ଘଣ୍ଟା ପାଇଁ ସିସୋଦିଆ ବୁଧବାର ଦିନ ତାଙ୍କ ପତ୍ନୀଙ୍କ ସହ ଥିଲେ। ସିସୋଦିଆଙ୍କୁ ଭେଟିବାପରେ ସୀମା ସିସୋଦିଆ ଆଜି ଏକ ଭାବପ୍ରବଣ ଚିଠି ଲେଖିଛନ୍ତି। ସୀମା ସିସୋଦିଆ ଏହି ଚିଠିକୁ ସୋସିଆଲ ମିଡିଆରେ ପୋଷ୍ଟ୍ କରିଛନ୍ତି।
ସୀମା ସିସୋଦିଆ କହିଛନ୍ତି, ଦୀର୍ଘ ୧୦୩ ଦିନ ପରେ ଆଜି ମୁଁ ୭ ଘଣ୍ଟା ପାଇଁ ସିସୋଦିଆଙ୍କୁ ଭେଟିଲି। ବେଡରୁମ୍ କବାଟ ନିକଟରେ ପୁଲିସ ଆମ ଉପରେ ଲଗାତାର ନଜର ରଖିଥିଲା ଏବଂ ଆମର ପ୍ରତି କଥା ଶୁଣିଥିଲା। ଆମର ସାକ୍ଷାତ ଆଜି ଏମିତି ଥିଲା। ବୋଧହୁଏ ଏଇଥିପାଇଁ ରାଜନୀତିକୁ ଅତି ଦୂଷିତ ଏବଂ ଘୃଣ୍ୟ ବୋଲି କୁହାଯାଏ। ସୀମା କହିଛନ୍ତି, ଯେତେବେଳେ ମନୀଷ ସିସୋଦିଆ ଏବଂ ଅନ୍ୟମାନେ ଆପ୍ ଦଳ ଗଢ଼ିଥିଲେ ସେ ସମୟରେ ଶୁଭାକାଂକ୍ଷୀମାନେ କହିଥିଲେ ସାମ୍ବାଦିକତା ଏବଂ ସାମାଜିକ କାମ ଠିକ୍। ଜଣେ ରାଜନୀତିରେ ପ୍ରବେଶ କରିବା ଅନୁଚିତ। କ୍ଷମତାରେ ଥିବା ଲୋକମାନେ ସେମାନଙ୍କୁ କାମ କରାଇ ଦେବେନି ଏବଂ ଏହାର ପ୍ରଭାବ ପରିବାର ଉପରେ ପଡ଼ିବ। କିନ୍ତୁ ମନୀଷ ସିସୋଦିଆ ନିଜ ଜିଦ୍ରେ ଅଟଳ ରହିଥିଲେ ଏବଂ ଅରବିନ୍ଦଜୀଙ୍କ ସହ ଦଳ ଗଢ଼ିଥିଲେ। ଦୀର୍ଘ ୧୦୩ ଦିନ ଧରି ଜେଲ୍ରେ ଚଟାଣରେ ଶୋଇଥିବା ସିସୋଦିଆ ଏବେ ବି ବିଶ୍ବକୁ ଶିକ୍ଷା ଦ୍ବାରା ଉପରକୁ ନେବାକୁ ଚାହୁଛନ୍ତି ଏବଂ ଜେଲ୍ରେ ତାଙ୍କର ଏହି ଗୋଟିଏ ସ୍ବପ୍ନ ବୋଲି ସେ କହିଛନ୍ତି। ସୀମା କହିଛନ୍ତି, ସିସୋଦିଆଙ୍କୁ ନେଇ ମୁଁ ଗର୍ବିତ।