ଆମଷ୍ଟରଡାମ୍: ୱେଲ୍ସକୁ ଏକତରଫା ଭାବେ ୪-୦ ଗୋଲ୍ରେ ପରାସ୍ତ କରି ଡେନମାର୍କ ଚଳିତ ୟୁରୋକପ୍ ଫୁଟବଲ୍ ପ୍ରତିଯୋଗିତାର କ୍ବାର୍ଟର ଫାଇନାଲ୍ରେ ଭାବେ ସ୍ଥାନ ସୁରକ୍ଷିତ କରିବାରେ ପ୍ରଥମ ଦଳ ହୋଇଛି। କ୍ବାର୍ଟର ଫାଇନାଲ୍ରେ ଏହି ଦଳ ନେଦରଲାଣ୍ଡ୍ସ ଓ ଚେକ୍ ରିପବ୍ଲିକ୍ ମଧ୍ୟରେ ଖେଳାଯିବାକୁ ଥିବା ପ୍ରିକ୍ବାର୍ଟର ଫାଇନାଲ୍ ମ୍ୟାଚ୍ର ବିଜେତାକୁ ଭେଟିବ। ଡେନମାର୍କ ଦଳର ଏହି ବହୁ ପ୍ରତୀକ୍ଷିତ ସଫଳତାର ଶ୍ରେୟ ୨୩ ବର୍ଷୀୟ ତାରକା କାସପର ଡୋଲବର୍ଗଙ୍କୁ ଯାଇଥିଲା।
ଶନିବାର ରାତିର ପ୍ରିକ୍ବାର୍ଟର ଫାଇନାଲ୍ ମୁକାବିଲାରେ ଯୁଗଳ ଗୋଲ୍ (୨୭, ୪୮ ମିନିଟ୍) ଦେଇ ଡୋଲବର୍ଗ ହିଁ ନିଜ ଦଳକୁ କ୍ବାର୍ଟର ଫାଇନାଲ୍ରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଅନ୍ୟ ଦୁଇଟି ଗୋଲ୍ ମ୍ୟାଚ୍ର ଶେଷ ଆଡ଼କୁ ଜୋକିମ ମହେଲ (୮୮ ମିନିଟ୍) ଓ ମାର୍ଟିନ ବ୍ରାଥୱେଟ୍ (୯୦+୪ ମିନିଟ୍)ରେ ଦେଇଥିଲେ। ଅନ୍ୟପକ୍ଷରେ ୱେଲ୍ସର ତାରକା ଖେଳାଳି ଗ୍ୟାରେଥ୍ ବାଲେ ପ୍ରତିଯୋଗିତାରେ ଗୋଟିଏ ହେଲେ ବି ଗୋଲ୍ ନଦେଇ ବିଦାୟ ନେଇଥିଲେ। ୱେଲ୍ସ ଅପେକ୍ଷାକୃତ ଦୁର୍ବଳ ଥିଲାବେଳେ ଶନିବାର ରାତିରେ ଡେନମାର୍କ ମ୍ୟାଚ୍ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆଧିପତ୍ୟ ବିସ୍ତାର କରିବା ସମସ୍ତଙ୍କୁ ଚକିତ କରିଥିଲା। ତାଳମେଳର ଅଭାବ ଓ ପ୍ରଭାବହୀନ ରକ୍ଷଣଭାଗ ହିଁ ୱେଲ୍ସ ପାଇଁ ଶେଷରେ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ପୁଣି ୯୦ତମ ମିନିଟ୍ରେ ହାରି ୱିଲ୍ସନ୍ ରେଡ୍ କାର୍ଡ ପାଇଁ ପଡ଼ିଆ ଛାଡ଼ିବା ୱେଲ୍ସ ପାଇଁ ଅଡୁଆ ବଢ଼ାଇଥିଲା। ଏହି ଦଳ ୧୦ ଜଣରେ ଇଞ୍ଜରି ଟାଇମ୍ତକ ଖେଳିବାକୁ ବାଧ୍ୟ ହୋଇଥିଲା। ମ୍ୟାଚ୍ ସାରା ଡେନ୍ମାର୍କର ପୋଜେସନ୍ ୫୩ ପ୍ରତିଶତ ରହିଥିଲା ବେଳେ ୱେଲ୍ସର ୪୭ ପ୍ରତିଶତ ଥିଲା। ସେହିପରି ଡେନ୍ମାର୍କ ୧୬ ସଟ୍ ମାରିଥିଲା ବେଳେ ୱେଲ୍ସ ସଟ୍ ସଂଖ୍ୟା ୧୧ ରହିଥିଲା।
ଡେନ୍ମାର୍କର ଏହି ବୃହତ୍ ବିଜୟ କିନ୍ତୁ ନେଦରଲାଣ୍ଡ୍ସ ଓ ଚେକ୍ ରିପବ୍ଲିକ୍ର ଚିନ୍ତା ବଢ଼ାଇ ଦେଇଛି।