ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ୟୁପିରେ ମୌସୁମୀ ତାଣ୍ଡବ : ବର୍ଷା, ବଜ୍ରପାତରେ ୩୪ ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ପ୍ରବଳ ବର୍ଷା ଏବଂ ବଜ୍ରପାତ ଜନିତ କାରଣ ପାଇଁ ଗତ ୨୪ ଘଣ୍ଟା ମଧ୍ୟରେ ୩୪ ଜଣଙ୍କ ମୃତ୍ୟୁ ହୋଇଛି। ୧୭ ଜଣଙ୍କର ବଜ୍ରପାତରେ ମୃତ୍ୟୁ ହୋଇଥିବାବେଳେ ୧୨ ଜଣଙ୍କର ପାଣିରେ ବୁଡ଼ି ଏବଂ ଅନ୍ୟ ୫ ଜଣଙ୍କର ବର୍ଷା ଯୋଗୁଁ ମୃତ୍ୟୁ ହୋଇଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ସଦସ୍ୟଙ୍କ ପାଇଁ ଯୋଗୀ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ମୃତକଙ୍କ ପରିବାର ସଦସ୍ୟଙ୍କୁ ତୁରନ୍ତ ସହାୟତାର ହାତ ବଢ଼ାଇବା ପାଇଁ ଯୋଗୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆହତମାନଙ୍କର ଉପଯୁକ୍ତ ଚିକିତ୍ସା କରିବାପାଇଁ ଯୋଗୀ କହିଛନ୍ତି। ରିଲିଫ କମିସନରଙ୍କ ଅଫିସ ଅନୁଯାୟୀ ଜଲୌନ, କାନପୁର ଦେହତ, କନୌଜ, ଗାଜିପୁରରେ ୨ ଜଣ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ବାଗପତ, ଇଟାୱା, ଉନ୍ନାଓ, ଆଗ୍ରା, ବଲ୍ଲିଆରେ ଜଣେ ଲେଖାଏଁ ବ୍ୟକ୍ତି ଏବଂ ମୈନପୁରୀରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ସନ୍ଥ କବୀର ନଗରରେ ଜଣଙ୍କର ମୃତ୍ୟୁ ହୋଇଛି। ବଦୌଁରେ ୨ ଜଣ, ବରେଲି‌ରେ ୪ ଜଣ, ରାଏ ବରେଲିରେ ୫ ଜଣ ପାଣିରେ ବୁଡ଼ିଯାଇ ମୃତ୍ୟୁବରଣ କରିଛନ୍ତି। ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ଅନେକ ଜିଲ୍ଲା ଏବଂ ବିଶେଷ କରି ପୂର୍ବାଞ୍ଚଳରେ ସାଧାରଣ ଜୀବନ ବାଧାପ୍ରାପ୍ତ ହୋଇଛି। ଉତ୍ତରପ୍ରଦେଶରେ ଚଳିତ ମୌସୁମୀ ଋତୁରେ ବର୍ତ୍ତମାନ ସୁଦ୍ଧା ୧୧ ପ୍ରତିଶତ ଅଧିକ ବର୍ଷା ହୋଇଛି। ନଦୀ ଗୁଡ଼ିକରେ ଜଳସ୍ତର ବଢ଼ୁଥିବାରୁ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ରାଜ୍ୟରେ ୭୫ ଜିଲ୍ଲା ମଧ୍ୟରୁ ୬୮ଟି ଜିଲ୍ଲାରେ ବର୍ଷା ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଗଙ୍ଗା, ରାମଗଙ୍ଗା ଏବଂ ଯମୁନା ନଦୀରେ ଜଳସ୍ତର ବୃଦ୍ଧି ପାଇଛି।

ଚାଣକ୍ୟପୁରୀରେ ବିଦ୍ୟୁତ୍‌ ଆଘାତ ଭୟ: ଭିଆଇପିଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ଲାଗି ପରାମର୍ଶ
ନୂଆଦିଲ୍ଲୀ: ଦିଲ୍ଲୀର ଚାଣକ୍ୟପୁରୀ, କାକା ନଗର, ଭାରତୀ ନଗର ଆଦି ଅଞ୍ଚଳରେ ବର୍ଷା ଯୋଗୁଁ ଜଳବନ୍ଦୀ ସମସ୍ୟା ଉପୁଜିଛି। ଏସବୁ ଅଞ୍ଚଳରେ ବିଭିନ୍ନ ଦେଶର ରାଷ୍ଟ୍ରଦୂତ, ଉଚ୍ଚାୟୁକ୍ତ ଓ ସେମାନଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ, ଆଇଏଏସ ଅଫିସର ଓ ଅନ୍ୟ ଭିଆଇପିମାନେ ରହିଥାନ୍ତି। ଅଞ୍ଚଳରେ ଗ୍ରାଉଣ୍ଡ୍‌ ଫ୍ଲୋରରେ ରହୁଥିବା ବରିଷ୍ଠ ଅଧିକାରୀ ଏବଂ ଅମଲାମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ କୁହାଯାଇଛି। ଏନ୍‌ଡିଏମ୍‌ସି (ନୂଆଦିଲ୍ଲୀ ପୌର ପରିଷଦ) କ୍ଷେତ୍ରାଧିକାର ଭିତରେ ଆସୁଥିବା ବିଭିନ୍ନ କଲୋନିର ତଳ ମହଲାରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ କୁହାଯାଇଛି। ବିଦ୍ୟୁତ ଆଘାତ ଲାଗିବାର ଭୟ ଥିବାରୁ ସମ୍ପୃକ୍ତ ଅଞ୍ଚଳରେ ବିଦ୍ୟୁତ ଯୋଗାଣ ବିଚ୍ଛିନ୍ନ କରାଯାଇଛି। ବରିଷ୍ଠ ଅଧିକାରୀମାନେ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନ୍‌ଡିଏମ୍‌ସି କର୍ମଚାରୀମାନେ ମେସିନ୍‌ ଲଗାଇ ଉକ୍ତ ଅଞ୍ଚଳରୁ ପାଣି ଖାଲି କରୁଛନ୍ତି। ତେବେ ଏଭଳି ଜଳବନ୍ଦୀ ସମସ୍ୟା ପାଇଁ ବିଭିନ୍ନ ଭିଆଇପି କଲୋନି‌ରେ ରହୁଥିବା ବରିଷ୍ଠ ଅଧିକାରୀ ଏବେ ଘର ଛାଡ଼ି ହୋଟେଲରେ ରହୁଛନ୍ତି। ସ୍ଥିତିରେ ସୁଧାର ଆସିଲେ ସେମାନେ ଘରକୁ ଫେରିବେ।

ଶିମଲାରେ ପାନୀୟ ଜଳ ସଙ୍କଟ
ନୂଆଦିଲ୍ଲୀ : ହିମାଚଳପ୍ରଦେଶରେ ଲଗାଣ ବର୍ଷା ଅତି ବିପଜ୍ଜନକ ସ୍ଥିତି ସୃଷ୍ଟି କରିଛି। ଚାରିଆଡ଼ ଜଳମଗ୍ନ। ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲେ ବି ଶିମ୍‌ଲାରେ ଏବେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ପ୍ରବଳ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଏହି କାରଣ ପାଇଁ ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ‌ ହେବ ବୋଲି ଶିମଲା ଜଳ ପ୍ରବନ୍ଧନ ନିଗମ ଲିମିଟେଡ୍‌ର ଅଧିକାରୀମାନେ କହିଛନ୍ତି। ଶିମ୍‌ଲାକୁ ୬ଟି ସୂତ୍ରରୁ ପାନୀୟ ଜଳ ଯୋଗାଣ କରାଯାଉଛି। କିନ୍ତୁ ପ୍ରାୟ ସବୁ ଜାଗାରେ ପମ୍ପିଂ ଷ୍ଟେସନ୍‌ ଗୁଡ଼ିକ ନଷ୍ଟ ହୋଇଯାଇଛି। କେବଳ ଗୋଟିଏ ସ୍ଥାନରେ ପମ୍ପିଂ ଷ୍ଟେସନ୍‌ କାମ କରୁଛି। ଫଳରେ ଗତ ୨ ଦିନ ହେବ ଶିମ୍‌ଲାର ଲୋକମାନେ ସ୍ବଚ୍ଛ ପାନୀୟ ଜଳ ପାଇପାରୁନାହାନ୍ତି। ‌ଆଗକୁ ଅତି ଭୟଙ୍କର ସ୍ଥିତି ଉପୁଜିବାର ଥିବାରୁ ଲୋକ ଏବେ ବର୍ଷାଜଳ ସଂଗ୍ରହ କରି ରଖିବା ଆରମ୍ଭ କରିଛନ୍ତି।

ଏଭଳି ବର୍ଷା ପାଇଁ ଦିଲ୍ଲୀର ଭିତ୍ତିଭୂମି ନାହିଁ: କେଜ୍ରିୱାଲ
ନୂଆଦିଲ୍ଲୀ: ଦିଲ୍ଲୀର ବର୍ଷା ସମସ୍ୟା ଉପରେ ଆଲୋଚନା ପାଇଁ ସୋମବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଛି। ପରେ ଏକ ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ କହିଛନ୍ତି, ଏହା ପରସ୍ପରକୁ ଆଙ୍ଗୁଳି ଦେଖେଇବାର ସମୟ ନୁହେଁ। ପ୍ରଭାବିତ ସମସ୍ତ ରାଜ୍ୟର ସରକାରମାନେ ପୀଡ଼ିତ ଜନସାଧାରଣଙ୍କୁ ରିଲିଫ ଦେବା ପାଇଁ ଏକାଠି କାମ କରିବା ଉଚିତ। ଏଭଳି ଅଭୂତପୂର୍ବ ବର୍ଷାଜନିତ ସମସ୍ୟାର ମୁକାବିଲା କରିବା ପାଇଁ ଦିଲ୍ଲୀର ବ୍ୟବସ୍ଥା ଓ ଭିତ୍ତିଭୂମି ତିଆରି ହୋଇ ନାହିଁ। ତେଣୁ ଲୋକମାନଙ୍କୁ କଷ୍ଟ ଭୋଗ କରିବାକୁ ପଡ଼ିଲା ବୋଲି କେଜ୍ରିୱାଲ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ