ନୂଆଦିଲ୍ଲୀ, ୦୭/୦୬: ଦକ୍ଷିଣ ଆଫ୍ରିକାରୁ ଫେରାର ହୋଇଥିବା ଗୁପ୍ତା ବ୍ରଦର୍ସ ୟୁଏଇରୁ ଗିରଫ ହୋଇଛନ୍ତି । ଗୁପ୍ତା ଭ୍ରାତା ରାଜେଶ ଗୁପ୍ତା ଓ ଅତୁଲ ଗୁପ୍ତାଙ୍କ ବିରୋଧରେ ଦକ୍ଷଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ଶାସନ କାଳରେ କୋଟି କୋଟି ଟଙ୍କା ହଡପ ନେଇ ଅଭିଯୋଗ ରହିଥିଲା । ଉଭୟଙ୍କୁ ଇଣ୍ଟରପୋଲ ସାହାଯ୍ୟରେ ଗିରଫ କରାଯାଇଛି । ଦକ୍ଷିଣ ଆଫ୍ରିକା ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ସୋମବାର ଦକ୍ଷିଣ ଆଫ୍ରିକା ସରକାର କହିଛନ୍ତି ଯେ, ୟୁଏଇର ପ୍ରବର୍ତ୍ତନ ଅଧିକାରୀ ଗୁପ୍ତା ଭ୍ରାତାଙ୍କୁ ଗିରଫ କରିଛନ୍ତି । ତେବେ ତୃତୀୟ ଭ୍ରାତା ଅଜୟ ଗୁପ୍ତା ଗିରଫ ହୋଇଛନ୍ତି ନା ନାହିଁ ତାହା ସ୍ପଷ୍ଟ ହୋଇପାରି ନାହିଁ ।
କଣ ରହିଛି ଅଭିଯୋଗ
କୁହାଯାଏ ଯେ, ଗୁପ୍ତା ଭ୍ରାତାଙ୍କ ସହ ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ଜ୍ୟାକବ ଜୁମାଙ୍କ ଭଲ ସମ୍ପର୍କ ଥିଲା । ଏହାର ଗୁପ୍ତା ଭ୍ରାତା ଫାଇଦା ଉଠାଇଥିଲେ । ବରିଷ୍ଠ ଅଧିକାରୀ ସ୍ତରରେ ନିଯୁକ୍ତି ବେଳେ ସେଥିରେ ଟଙ୍କା କାରବାର ହେଉଥିବା ନେଇ ଗୁପ୍ତା ଭ୍ରାତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ।
୨୦୧୮ରେ ଗୁପ୍ତା ପରିବାର ନିଜ ଇଚ୍ଛାରେ ଆଫ୍ରିକା ଛାଡି ଦୁବାଇ ଚାଲିଯାଇଥିଲେ । କାରଣ ସେମାନେ ସରକାରୀ ଅଧିକାରୀଙ୍କୁ ହାତ କରି କୋଟି କୋଟି ଟଙ୍କା ହଡପ କରିନେଇଥିଲେ । ଇଣ୍ଟରପୋଲ୍ ପୂର୍ବରୁ ଗୁପ୍ତା ଭ୍ରାତାଙ୍କ ବିରୋଧରେ ନୋଟିସ ଜାରି କରିଥିଲା । ଆମେରିକା ଓ ୟୁକେ ସେମାନଙ୍କ ପ୍ରବେଶ ଉପରେ କଟକଣା ଲଗାଇଥିଲା । ତେବେ ଜ୍ୟାକବ୍ ଜୁମାଙ୍କ ବିରୋଧରେ ମଧ୍ୟ ଦେଶରେ ଜୋରଦାର ପ୍ରଦର୍ଶନ ହୋଇଥିଲା ।
ସୂଚନାଯୋଗ୍ୟ, ଗୁପ୍ତା ପରିବାର ସହାରନପୁରରେ ରହୁଥିଲେ । ସେମାନେ 1990ରେ ଦକ୍ଷିଣ ଆଫ୍ରିକା ଚାଲିଯାଉଥିଲେ । ସେଠାରେ ଏକ ଜୋତା ଦୋକାନ ଖୋଲିଥିଲେ । ପରେ ସେମାନେ ଆଇଟି, ମିଡିଆ ଓ ଖଣି କମ୍ପାନୀ ଖୋଲିଥିଲେ ।