ମାହାଙ୍ଗା: ବୈରୀ ବନାଞ୍ଚଳର ସଫା ସେକ୍ସନ୍ ତଥା କୁଆଁପାଳ ବିଟ୍ ଅଧୀନ ମାହାଙ୍ଗା ବ୍ଲକ୍ର ଦ୍ବୀପାଞ୍ଚଳ କୁହୁଣ୍ଡା ଓ ମୂଳବସନ୍ତ ଅଞ୍ଚଳରେ ହେଟାବାଘ ପଲ ଆତଙ୍କ ଖେଳାଇ ଆସୁଛନ୍ତି। ବାଛୁରୀ, ଛେଳି, ମେଣ୍ଡା, କୁକୁର, କୁକୁଡ଼ା ଆଦି ପଶୁପକ୍ଷୀଙ୍କୁ ହେଟାବାଘ ଆକ୍ରମଣ କରୁଛନ୍ତି। ସନ୍ଧ୍ୟାରୁ ରାତି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ହେଟା ବୁଲୁଥିବା ଦେଖିବାକୁ ମିଳୁଛି। ଏ ନେଇ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଏବେ ହେଟା ବାଘ ଜନବସତି ଭିତରକୁ ପଶି ଆସି ଲୋକଙ୍କୁ ଆକ୍ରମଣ କରିବା ପରେ କୋକୁଆ ଭୟ ଖେଳି ଯାଇଛି। ସନ୍ଧ୍ୟା ହେଲେ ଉକ୍ତ ଅଞ୍ଚଳରେ ତାଟିକବାଟ ପଡ଼ି ଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି। ଅପରପକ୍ଷରେ ବନ ବିଭାଗକୁ ବାରମ୍ବାର ଏ ନେଇ ଅବଗତ କରାଯାଇଥିଲେ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଅଞ୍ଚଳବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଯଥାଶୀଘ୍ର ହେଟାବାଘ ପଲକୁ ଧରା ନ ଗଲେ ଆଗାମୀ ଦିନରେ ଅନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସ୍ଥାନୀୟ ଲୋକମାନେ ଚେତାନୀ ଦେଇଛନ୍ତି। ପ୍ରକାଶଥାଉ କି, ଗତକାଲି କୃଷ୍ଣଦାସପୁର-ସିପୁରା ପୂର୍ତ୍ତ ରାସ୍ତାର ସିପୁରା ନିକଟରେ ବଡ଼ଚଣା ବ୍ଲକ୍ ମାଣ୍ଡୁକା ପଦ୍ମନାଭପୁର ଗ୍ରାମର ଅଶୋକ ସେନାପତିଙ୍କୁ ହେଟାବାଘ ଆକ୍ରମଣ କରିଥିଲା। ତାଙ୍କ ବେକକୁ କାମୁଡ଼ି ଧରିଥିବା ହେଟାବାଘକୁ ଉପସ୍ଥିତ ଗ୍ରାମବାସୀ ସାହସର ସହ ବାଡ଼ିରେ ବାଡ଼େଇବାରୁ ଅଶୋକଙ୍କ ଜୀବନ ବଞ୍ଚିଥିଲା। ତାଙ୍କୁ ପ୍ରଥମେ ନଡ଼ିଆସାହସପୁର ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହାର କିଛି ସମୟ ପରେ ସିପୁରା ଗ୍ରାମର ସୁରେଶ ରାଉତରାୟଙ୍କ କଖାରୁ କ୍ଷେତରେ କାମ କରୁଥିବା ପଶ୍ଚିମବଙ୍ଗ ଅଞ୍ଚଳର ଶ୍ରମିକ ଅଚିନ୍ତ ନାୟକ ଓ ବାଲେଶ୍ବର ଅଞ୍ଚଳର ବାପୁନୀ ପାଲିଙ୍କୁ ହେଟାବାଘ ଆକ୍ରମଣ କରିଥିଲା। ସେମାନେ ମଧ୍ୟ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଗତକାଲି ଆତଙ୍କ ଖେଳାଇ ଥିବା ହେଟାବାଘ ପଲକୁ ଆଜି ସନ୍ଧ୍ୟାରେ ପୁନର୍ବାର ଉକ୍ତ ସ୍ଥାନରେ ଦେଖିବାକୁ ମିଳିଥିଲା। ସିପୁରାସ୍ଥିତ ଉକ୍ତ ବିଲରେ ଟ୍ରାକ୍ଟର ଯୋଗେ ଚାଷ କରାଯାଉଥିଲା ବେଳେ ୩ଟି ହେଟାବାଘ ମାଡ଼ି ଆସିଥିଲେ। ହେଟା ପଲ ଟ୍ରାକ୍ଟର୍ ଚାରିପଟେ ଘୂରି ବୁଲିବାରୁ ଚାଳକ ଭୟଭୀତ ହୋଇ ସେଠାରୁ ପଳାଇ ଯାଇଥିଲେ। ଫଳରେ ଉକ୍ତ ଅଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମଗୁଡ଼ିକରେ ସନ୍ଧ୍ୟା ହେଲେ ତାଟିକବାଟ ପଡ଼ି ଯାଉଥିବା ଦେଖାଯାଇଛି। ଏ ସଂପର୍କରେ ଗ୍ରାମବାସୀ ବାରମ୍ବାର ସଫା ବନ ବିଭାଗ ଫରେଷ୍ଟର କୃଷ୍ଣଚନ୍ଦ୍ର ଟୁଡ଼ୁଙ୍କୁ ଜଣାଇଥିଲେ ମଧ୍ୟ ହେଟାବାଘ ପଲ ମଣିଷଙ୍କର କିଛି କ୍ଷତି କରିବେ ନାହିଁ ବୋଲି କହି ଘଟଣାକୁ ହାଲ୍କା ଭାବେ ନେବା ସହ ନାମକୁ ମାତ୍ର କିଛି କର୍ମଚାରୀଙ୍କୁ ପଠାଉଥିବା ଅଭିଯୋଗ ହୋଇଛି।