ଯମୁନା ନଗର ୧/୧୨: ହରିୟାଣା ସରକାର ଏବେ ଲଭ ଜିହାଦ ବିରୁଦ୍ଧରେ ଆଇନ୍ ବନାଇବା ପ୍ରସ୍ତୁତିରେ ଲାଗି ଗଲେଣି। ବିବାହ ପାଇଁ ଧର୍ମ ପରିବର୍ତ୍ତନକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଛି। ଏହି ସମୟରେ ହରିୟାଣାର ଯମୁନା ନଗରରେ ଜଣେ ଯୁବକ ହିନ୍ଦୁ ଯୁବତୀଙ୍କ ସହ ବିବାହ କରିବା ପାଇଁ ନିଜ ଧର୍ମ ପରିବର୍ତ୍ତନ କରିଛନ୍ତି। ଯୁବକ ଏକ ମନ୍ଦିରରେ ହିନ୍ଦୁ ଧର୍ମ ଗ୍ରହଣ କରି ହିନ୍ଦୁ ରୀତି ନୀତିରେ ଯୁବତୀଙ୍କୁ ବିବାହ କରିଛନ୍ତି।
ଯୁବତୀଙ୍କ ବୟସ ୧୯ ହୋଇଥିବାବେଳେ ଯୁବକଙ୍କ ବୟସ ୨୧। ଦମ୍ପତ୍ତି ପଞ୍ଜାବ ଏବଂ ହରିୟାଣା ହାଇ କୋର୍ଟରେ କହିଥିଲେ ଯେ ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି। ଯୁବତୀଙ୍କ ଘର ଲୋକେ ତାଙ୍କୁ ବନ୍ଦୀ କରି ପାରନ୍ତି। ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ଯମୁନା ନଗର ପୋଲିସର ସୁରକ୍ଷାରେ ସେମାନଙ୍କୁ ରଖାଯାଇଛି।
ଯୁବକଙ୍କ କହିବା ଅନୁସାରେ ସେ ଏକ ପ୍ରାଇଭେଟ୍ କମ୍ପାନୀରେ କାମ କରନ୍ତି। ତାଙ୍କୁ ପ୍ରତି ମାସରେ ୧୫୦୦୦ଟଙ୍କା ବେତନ ମିଳେ। ଯୁବକଙ୍କ ଘରଲୋକଙ୍କୁ ତାଙ୍କ ସମ୍ପର୍କରେ କୌଣସି ଆପତ୍ତି ନାହିଁ। ସେମାନେ ଯୁବତୀଙ୍କୁ ସ୍ବୀକାର କରିବାକୁ ରାଜି ଅଛନ୍ତି। କିନ୍ତୁ ଯୁବତୀଙ୍କ ଘରଲୋକେ ଉଭୟଙ୍କ ସମ୍ପର୍କକୁ ବିରୋଧ କରୁଛନ୍ତି।
ନଭେମ୍ବର ୯ତାରିଖରେ ପ୍ରେମୀ ଯୁଗଳ ଘରଲୋକଙ୍କ ଇଚ୍ଛା ବିରୁଦ୍ଧରେ ମନ୍ଦିରରେ ବିବାହ କରିଥିଲେ। ଯୁବତୀଙ୍କ ଘରଲୋକେ ବିବାହ ବିଷୟରେ ଜାଣିବାରୁ ଉଭୟଙ୍କୁ ଧମକ ଦେବା ଆରମ୍ଭ କରି ଦେଇଥିଲେ।