ରାଜ୍ୟ

ହାରିଲେନି ରାଣୀ: ଇଚ୍ଛାଥିଲେ ଉପାୟ ମିଳେ

ଭୁବନେଶ୍ବର: ଆଜି ଅନୁଷ୍ଠିତ ‘କନକ ନ୍ୟୁଜ୍‌ ମେକର-୨୦୨୩’ ସ୍ବତନ୍ତ୍ର ଉତ୍ସବର ଅନ୍ୟତମ ଆକର୍ଷଣ ଥିଲେ ଦଶମ ଶ୍ରେଣୀରେ ପଢ଼ୁଥିବା ଜଣେ ଆଦିବାସୀ ଝିଅ ରାଣୀ ସିଂ। ରାଣୀଙ୍କ ଜୀବନ କାହାଣୀ ସଂକ୍ଷେପରେ ଏମିତି: ଦି’ ଓଳି ଦି’ ମୁଠା ଖାଦ୍ୟ ଯୋଗାଡ଼ କରିବା ପିତାମ୍ବର ସିଂଙ୍କ ପାଇଁ କଷ୍ଟକର ହୋଇପଡ଼ୁଥିଲା। ଦୈନିକ ମୂଲ ଲାଗି ଉଭୟ ସ୍ବାମୀ ସ୍ତ୍ରୀ ଯେତିକି ଟଙ୍କା ରୋଜଗାର କରୁଥିଲେ ‌ସେଥିରେ କଷ୍ଟେମଷ୍ଟେ ପରିବାର ଚଳି ଯାଉଥିଲା। ମାତ୍ର ଯେଉଁଦିନ ଦୁର୍ଘଟଣାରେ ପିତାମ୍ବରଙ୍କ ହାତ କଟିଗଲା, ସେଦିନ ପରିବାର ଉପରେ କଳା ବାଦଲ ଘୋଟି ଆସିଲା।

‌ହାତ ହରାଇବାରୁ ସେ ଆଉ କାମ ପାଇଲେ ନାହିଁ। ‌ରୋଜଗାର ହରାଇଲେ। ପରିସ୍ଥିତି ଏମିତି ହେଇଗଲା ଯେ ୪ ପ୍ରାଣୀ କୁଟୁମ୍ବ ଦୁଇଓଳି କେମିତି ଖାଇବେ ବାଟ କିଛି ଦିଶିଲାନି। ହେଲେ ସେତିକିବେଳେ ଦଶମ ଶ୍ରେଣୀରେ ପଢ଼ୁଥିବା ଝିଅ ରାଣୀ ଆଗକୁ ଗୋଡ଼ କାଢ଼ିଲେ। ତାଙ୍କ ଦୃଢ଼ ମନୋବଳ, ସୃଜନଶୀଳତା ଓ ଇଚ୍ଛାଶକ୍ତି ଆଗରେ ପରିବାର ଉପରକୁ ଆସିଥିବା ବିପଦ ହାର ମାନିଲା। ଆଦିବାସୀ ଅଞ୍ଚଳରେ ଜନ୍ମିତ ରାଣୀ ସାଧାରଣ ମୋବାଇଲ୍‌ ସାହାଯ୍ୟରେ ନିଜ ଭୂମିଜ ଆଦିବାସୀଙ୍କ ଖାଦ୍ୟ, ପାନୀୟ, ରହଣୀ, ନାଚ, ଗୀତ ଓ ପର୍ବପର୍ବାଣୀ ବିଷୟରେ ୟୁଟ୍ୟୁବ୍‌ ବ୍ଲଗ୍ ତିଆରି କରିବା ଆରମ୍ଭ କଲେ। ତା’କୁ ଲୋକେ ପସନ୍ଦ କଲେ ଓ ରାତାରାତି ସେ ଘରେ ଘରେ ପରିଚିତ ହୋଇଗଲେ। ରାଣୀ ଆଜି ମାସକୁ ୨୦ରୁ ୩୦ ହଜାର ଟଙ୍କା ‌ରୋଜଗାର କରି ପରିବାର ଚଳାଉଛନ୍ତି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍ ପନାସୀଝରଣ ଗାଁ ପୁଷ୍ପାଣ୍ଡିସାହିର ରାଣୀ ସିଂଙ୍କର ଏହି କାହାଣୀ ଆଜି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି।

ରାଣୀ ଯାଜପୁର ଜିଲ୍ଲାରେ ଅବ୍‌ଦଲ୍‌ପୁରା ହାଇସ୍କୁଲ୍‌ରେ ପାଠ ପଢ଼ନ୍ତି। ବ‌ର୍ଷେ ତଳେ ପିତାମ୍ବର ହାତ ହରାଇବା ପରେ ପତ୍ନୀ ଇରା ସିଂ, ପୁଅ ଓ ଝିଅ ରାଣୀଙ୍କୁ ଧରି ଗାଁକୁ ଫେରିଗଲେ। ହେଲେ ରୋଜଗାର ନ ଥିବାରୁ ପରିବାର ଚଳାଇବା କଷ୍ଟକର ହେଉଥିଲା। ୟୁଟ୍ୟୁବ୍‌ରେ ବ୍ଲଗ୍ ବନାଇ ରୋଜଗାର କରିବା କଥା ରାଣୀ ଓ ତାଙ୍କ ଭାଇ ଜାଣିଥିବାରୁ ମୋବାଇଲ୍‌ ଫୋନ୍‌ରେ ବ୍ଲଗ୍ ବନାଇ ରୋଜଗାର କରିବାକୁ ସ୍ଥିର କଲେ। ମାତ୍ର ସ୍ମାର୍ଟଫୋନ୍ କିଣିବାକୁ ତାଙ୍କ ପାଖରେ କିମ୍ବା ପିତାମ୍ବରଙ୍କ ପାଖରେ ଟଙ୍କା ନ ଥିଲା। ପିତାମ୍ବର ତାଙ୍କ ମାଲିକଙ୍କଠାରୁ ନିଜ ପୁରୁଣା ଦରମା ନଆଣି ରାଣୀଙ୍କ ପାଇଁ ଗୋଟିଏ ସ୍ମାର୍ଟଫୋନ୍ ଆଣିଥିଲେ। ବାସ୍‌ ତା’ପରଠାରୁ ଉଭୟ ଭାଇ ଭଉଣୀ ୟୁ-ଟ୍ୟୁବ୍‌ରେ ‘ଟ୍ରାଇବ୍ ବ୍ଲଗର୍‌ ରାଣୀ’ ନାମରେ ଚ୍ୟା‌ନେଲ୍‌ ଖୋଲିଲେ। ଜେଜେ ମା’ କୁନି ସିଂଙ୍କ ଠାରୁ ନିଜ ସମ୍ପ୍ରଦାୟର ଚାଲି ଚଳଣ, ଖାଦ୍ୟ‌ପେୟକୁ ନେଇ ଗୋଟିଏ ପରେ ଗୋଟିଏ ଭିଡ଼ିଓ କରି ଚାଲିଲେ। ଭଉଣୀ ଭିଡ଼ିଓ କରନ୍ତି ଏବଂ ଭାଇ ତାହାକୁ ଏଡିଟ୍‌ କରିବା ପରେ ପୋଷ୍ଟ କରନ୍ତି। ଏବେ ରାଣୀଙ୍କ ଚ୍ୟାନେଲର ୭ଲକ୍ଷ ୬ହଜାର ସବ୍‌ସ୍କ୍ରାଇବର୍। ତାଙ୍କ ଆକାଉଣ୍ଟରେ ଭିୟୁ ୩୨ କୋଟି ୭୪ ଲକ୍ଷ ୧୪ ହଜାର ୯୭୮ ହେଲାଣି। ‘ଗୋବରରେ ଅଣ୍ଡା ସିଝା’, ‘କୁକୁଡ଼ା ମୁ୍ଣ୍ଡ ଘାଣ୍ଟ’ ଭଳି ଭିଡିଓଗୁଡ଼ିକୁ ଦର୍ଶକେ ଖୁବ୍ ଦେଖିଛନ୍ତି ଓ ପ୍ରଶଂସା କରୁଛନ୍ତି। ରାଣୀଙ୍କ ସରଳ ଜୀବନଶୈଳୀକୁ ଦେଖିବାକୁ ଦର୍ଶକମାନେ ମଧ୍ୟ ଅଧିକ ପସନ୍ଦ କରୁଛନ୍ତି। ସେଥିପାଇଁ ପରିବାର ଏବେ ପୁଣି ଗାଁରୁ ଯାଜପୁର ଫେରି ଆସିଛନ୍ତି।

ରାଣୀ କହନ୍ତି, ‘‘ଆମେ ପ୍ରଥମେ ‘ଇଣ୍ଡିଆନ୍ ଟ୍ରାଇବ୍ ଲାଇଫ୍ ଷ୍ଟାଇଲ୍’ ନାମରେ ୟୁଟ୍ୟୁବ୍‌ ଚ୍ୟାନେଲ ଖୋଲିଥିଲୁ। ମାତ୍ର ପାଠପଢ଼ା ଯୋଗୁଁ ସେଥିପାଇଁ ସମୟ ଦେଇ ପାରିଲୁ ନାହିଁ। ତେଣୁ ପରେ ‘ଟ୍ରାଇବ୍ ବ୍ଲଗର୍‌ ରାଣୀ’ ନାମର ନୂଆ ଚ୍ୟାନେଲ୍ ଖୋଲିଲୁ। ଚଳିତ ବର୍ଷ ଆମେ ଭାଇ ଭଉଣୀ ଦଶମ ପରୀକ୍ଷା ଦେବୁ। ତେଣୁ ଏବେ ଗାଁକୁ ଯାଇ ହେଉନାହିଁ କି ବେଶି ଭିଡ଼ିଓ କରିପାରୁନୁ। ଭୂମିଜ ଆଦିବାସୀଙ୍କର ‌ଅନେକ କଥା ଲୋକଙ୍କୁ ଦେଖାଇବାର ଇଚ୍ଛା ରହିଛି। ଅଧିକ ଭିଡିଓ କରିପାରୁ ନ ଥିବାରୁ ୟୁଟ୍ୟୁବ୍‌ରୁ ମଧ୍ୟ ଏବେ ଟିକିଏ କମ୍‌ ଟଙ୍କା ଆସୁଛି। ଦଶମ ପରୀକ୍ଷା ପ‌ରେ ପୁଣି ଭିଡ଼ିଓ କରିବୁ। ଭଲ ମଣିଷ ହେବାକୁ ମୁଁ ଲକ୍ଷ୍ୟ ରଖିଛି।’’

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।