ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
କଟକ : ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ହାତୀ ମୃତ୍ୟୁ ଜାରି ରହିଛି। ଏହି ପ୍ରସଙ୍ଗରେ ଆଜି ହାଇକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଡକ୍ଟର୍ ଜଷ୍ଟିସ୍ ଏସ୍. ମୁରଲୀଧର ଓ ଜଷ୍ଟିସ୍ ଏମ୍. ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ହାତୀଙ୍କ ସୁରକ୍ଷା ପାଇଁ ପ୍ରସ୍ତୁତ ‘ଆକ୍ସନ୍ ପ୍ଲାନ୍’ ତୁରନ୍ତ କାର୍ଯ୍ୟକାରୀ କର। କେବଳ ସେତିକି ନୁହେଁ, ହାତୀଙ୍କ ସୁରକ୍ଷା ପ୍ରସଙ୍ଗକୁ ଜରୁରୀ ଭାବେ ଗ୍ରହଣ କରାଯିବା ଦରକାର। କୌଣସି ବିଳମ୍ବ ନ କରି ଦୁଇ ସପ୍ତାହ ଭିତରେ ପ୍ରସ୍ତାବିତ ଏହି ଆକ୍ସନ ପ୍ଲାନ୍ କିଭଳି ତୁରନ୍ତ କାର୍ଯ୍ୟକାରୀ ହେବ, ସେ ନେଇ ମୁଖ୍ୟ ସଚିବ ପଦକ୍ଷେପ ନେବେ। ଏହା ପରେ ସେଥିରେ ହାତୀ ସୁରକ୍ଷା ନେଇ ଯେଉଁ ସବୁ ସୁପାରିସ ହୋଇଛି, ତାହାର କାର୍ଯ୍ୟାନ୍ବୟନ ହେବ।
ଆଜି ଶୁଣାଣି ସମୟରେ ମୁଖ୍ୟ ବନ ସଂରକ୍ଷକ ଦାୟିତ୍ବରେ ଥିବା ମନୋଜ ଭି. ନାୟର୍ଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଥିଲା। ଏଥିରେ ଉଲ୍ଲେଖ କରାଯାଇଥିଲା ଯେ ହାତୀଙ୍କ ସୁରକ୍ଷା ପାଇଁ ଗୋଟିଏ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରାଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ତଥା ବିଭିନ୍ନ ସ୍ତରରେ ବିଚାରବିମର୍ଶ ଓ ବିଶେଷଜ୍ଞଙ୍କ ମତାମତକୁ ବିଚାରକୁ ନିଆଯାଇ ହାତୀଙ୍କ ସୁରକ୍ଷା ପାଇଁ ଏହି ‘ଆକ୍ସନ୍ ପ୍ଲାନ୍’ ପ୍ରସ୍ତୁତ କରାଯାଇଛି। ହେଲେ,ଏହି ‘ଆକ୍ସନ୍ ପ୍ଲାନ୍’ ରାଜ୍ୟ ସରକାରଙ୍କ ଉଚ୍ଚ କ୍ଷମତାସଂପନ୍ନ କମିଟି (ଏଚ୍ପିସି) ଦ୍ବାରା ଅନୁମୋଦନ ପରେ କାର୍ଯ୍ୟକାରୀ କରାଯିବ। ଏଥିପାଇଁ ୩୦ ଦିନ ସମୟ ପ୍ରଦାନ କରିବାକୁ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲା।
୩୦ ଦିନ ସମୟ ନେଲେ ମୁଖ୍ୟ ବନ ସଂରକ୍ଷକ
୨ ସପ୍ତାହ ମଧ୍ୟରେ ପଦକ୍ଷେପ ନେବେ ମୁଖ୍ୟ ଶାସନ ସଚିବ
ଶିମିଳିପାଳ ଘଟଣାରେ ଅସନ୍ତୋଷ ପ୍ରକାଶ କଲେ
ଶିମିଳିପାଳ ଜେନାବିଲ ରେଞ୍ଜ୍ରେ ହାତୀ ଶିକାର ଘଟଣାର ପ୍ରତ୍ୟକ୍ଷଦର୍ଶୀଙ୍କ ମୃତ୍ୟୁ ଘଟଣାକୁ ନେଇ ଆଇନଜୀବୀ ଆଶିଷ କୁମାର ମିଶ୍ର ଏକ ରିପୋର୍ଟ ଦାଖଲ କରିଥିଲେ। ଶିମିଳିପାଳର ବକୁଆ ଗ୍ରାମକୁ ଯାଇ ମୃତ ପ୍ରତ୍ୟକ୍ଷଦର୍ଶୀଙ୍କ ପତ୍ନୀଙ୍କ ସହିତ ଆଲୋଚନା କରିବାପରେ ଏହି ରିପୋର୍ଟ ଶ୍ରୀ ମିଶ୍ର ଦାଖଲ କରିଥିଲେ। ମୃତ ତୁରାମ୍ ପୂର୍ତ୍ତିଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପତ୍ନୀ ଯଶିପୁର ଥାନାରେ ଏତଲା ଦେଇଥିଲେ। ହେଲେ, ପୁଲିସ କୌଣସି ତଦନ୍ତ କରୁନାହିଁ। ମୃତ ବ୍ୟକ୍ତିଙ୍କ ପତ୍ନୀ ଭୟଭୀତ ଅବସ୍ଥାରେ ରହିଛନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ଯଶିପୁର ଥାନାରେ ରୁଜୁ ମାମଲାର କ’ଣ ସ୍ଥିତି ରହିଛି, ସେ ନେଇ ହାଇକୋର୍ଟ ଆଜି ଜେଟିଏଫ୍ର ସଦସ୍ୟ ଥିବା ଅତିରିକ୍ତ ଏସ୍ପିଙ୍କ ନିକଟରୁ ଜାଣିବାକୁ ଚାହିଁଥିଲେ। ଏହି ମାମଲା ତାଙ୍କ ନିୟନ୍ତ୍ରଣ ପରିସରରେ ନାହିଁ ବୋଲି ଜେଟିଏଫ୍ ସଦସ୍ୟ ଦର୍ଶାଇଥିଲେ। ଏଭଳି ସ୍ଥିତିକୁ ନେଇ ହାଇକୋର୍ଟ ଆଜି ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହି ମାମଲାର କ’ଣ ସ୍ଥିତି ରହିଛି, ସେ ନେଇ ପରବର୍ତ୍ତୀ ଶୁଣାଣି ସମୟରେ ଅବଗତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।
ଏଥିସହିତ ଶିମିଳିପାଳ ଜେନାବିଲ ରେଞ୍ଜରେ ହାତୀ ଶିକାର ଘଟଣାରେ ଗିରଫ ହୋଇଥିବା ୩ଜଣ ବନ କର୍ମଚାରୀ ଜାମିନରେ ଯିବାପରେ ତଦନ୍ତରେ ସହଯୋଗ କରୁ ନଥିବା ଘଟଣା ଶୁଣାଣି ବେଳେ ସ୍ପଷ୍ଟ ହୋଇଥିଲା। ଏହି କର୍ମଚାରୀମାନଙ୍କୁ ନୋଟିସ୍ କରାଯିବା ପରେ ମଧ୍ୟ ସେମାନେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେଉନାହାନ୍ତି। ଏହି ମାମଲାରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ସହିତ ବିଳମ୍ବ ନ କରି ଚାର୍ଜସିଟ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ପୂର୍ବରୁ ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରାଯିବ।
ଶୁଣାଣି ସମୟରେ ଭର୍ଚୁଆଲ ମୋଡ୍ରେ ଯୁଗ୍ମ ଟାସ୍କଫୋର୍ସ (ଜେଟିଏଫ୍)ର ଅଧ୍ୟକ୍ଷ, ସଦସ୍ୟ, ହାତୀ ପ୍ରସଙ୍ଗର ବିଶେଷଜ୍ଞ ଡକ୍ଟର ରମଣ ସୁକୁମାର ପ୍ରମୁଖ ଉପସ୍ଥିତ ରହି ପକ୍ଷ ରଖିଥିଲେ। ପରବର୍ତ୍ତୀ ଶୁଣାଣି ସମୟରେ ମଧ୍ୟ ଜେଟିଏଫ୍ ସଦସ୍ୟ ଉପସ୍ଥିତ ରହିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ମାର୍ଚ୍ଚ ୧୩କୁ ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରାଯାଇଥିବା ବେଳେ ଜେଟିଏଫ୍କୁ ସାନି ସ୍ଥିତି ନେଇ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।
ଗୀତା ରାଉତ, ବାଳଗୋପାଳ ମିଶ୍ର, ମୃଣାଳିନୀ ପାଢୀ, ଦ୍ବିଜ ଦଳପତି ଓ ଅନ୍ୟମାନଙ୍କ ତରଫରୁ ଦାୟର ମାମଲାଗୁଡିକର ଏକତ୍ର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଥିଲେ।
ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ର, ଆଇନଜୀବୀ ଆଶିଷ କୁମାର ମିଶ୍ର, ଜି.ପି. ମହାନ୍ତି, ମୃଣାଳିନୀ ପାଢୀ ମାମଲା ପରିଚାଳନା କରୁଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l