ରାଜ୍ୟ

ହାତୀଙ୍କ ପାଇଁ ଘାତକ ଟ୍ରେନ୍‌: ୧୩ ମାସରେ ମଲେଣି ୬

ଭୁବନେଶ୍ବର: ହାତୀଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ରାଜ୍ୟ ସରକାର ଲମ୍ବା ଚଉଡ଼ା ନକ୍ସା ପ୍ରସ୍ତୁତ କରୁଛନ୍ତି। ଗତିବିଧି ଉପରେ ନଜର ରଖିବାକୁ ଜଙ୍ଗଲରେ ଡ୍ରୋନ୍‌ ଉଡ଼ାଯାଉଛି। ହାତୀ ଯେପରି ‌ରେଳ ଧାରଣା ଉପରକୁ ନ ଆସିବେ, ସେଥିପାଇଁ ମହୁମାଛି ବାକ୍ସ ଲଗାଯାଉଛି। ୱାଇଲ୍ଡ ଲାଇଫ୍‌ କଣ୍ଟ୍ରୋଲ ସେଲ୍‌ ଖୋଲାଯାଇଛି। ତା’ ସତ୍ତ୍ବେ ହାତୀ ମୃତ୍ୟୁରେ ରୋକ୍‌ ଲାଗିପାରୁନି। କେତେବେଳେ ବିଦ୍ୟୁତ୍‌ ତାର ତ ଆଉ କେବେ ଟ୍ରେନ୍‌ ଧକ୍କାରେ ଯାଉଛି ଜୀବନ। ଗୋଟିଏ ପଟେ ଶିକାରୀ ପଞ୍ଝା ମେଲାଇ ବସିଛନ୍ତି। ଆଉ ଅନ୍ୟପଟେ ମନୁଷ୍ୟକୃତ ମୃତ୍ୟୁ ଜାଲ୍‌ରେ ଫସୁଛନ୍ତି ହାତୀ। ବିଭାଗ ବିଭାଗ ମଧ୍ୟରେ ସମନ୍ବୟ ଅଭାବ ହେଉ ଅଥବା କର୍ମଚାରୀଙ୍କ ଅବହେଳା ପାଇଁ ଏବେ ସଂକଟରେ ଓଡ଼ିଶାର ଗଜରାଜ। ସରକାରୀ ଭାବେ ୨୦୧୨-୧୩ରୁ ୨୦୨୨-୨୩ ଆର୍ଥିକ ବର୍ଷ ମଧ୍ୟରେ ପାଖାପାଖି ୯୦୦ଟି ହାତୀଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ବିପଦ ଆହୁରି ବଢ଼ିଥିବା ବନ୍ୟପ୍ରାଣୀ ବିଶେଷଜ୍ଞମାନେ କହିଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷରେ ଏବେ ସୁଦ୍ଧା ପାଖାପାଖି ୨୭ଟି ହାତୀଙ୍କ ମୃତ୍ୟୁ ହୋଇଥିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ରେଳ ଦୁର୍ଘଟଣା ଓ ବିଦ୍ୟୁତ୍‌ ଆଘାତରେ ବହୁସଂଖ୍ୟକ ହାତୀଙ୍କ ଜୀବନ ଯାଇଛି। ୨୦୧୨-୧୩ରୁ ୨୦୨୧-୨୨ ମଧ୍ୟରେ ବିଦ୍ୟୁତ୍ ଆଘାତରେ ୪୩ଟି ଓ ସୁଚିନ୍ତିତ ଭାବେ ବିଦ୍ୟୁତ୍ ତାର ବିଛାଯାଇ ୬୧ଟିକୁ ହତ୍ୟା କରାଯାଇଥିଲା। ଟ୍ରେନ୍ ଦୁର୍ଘଟଣାରେ ୩୦ ହାତୀଙ୍କ ଜୀବନ ଯାଇଥିଲା। ରାସ୍ତା ଦୁର୍ଘଟଣାରେ ୬ଟି ମରିଥିବା ବନ ବିଭାଗ ପକ୍ଷରୁ କୁହାଯାଇଥିଲା। ଏତେ ସବୁ ପରେ ମଧ୍ୟରେ ହାତୀ ମୃତ୍ୟୁ ରୋକିବାରେ ପ୍ରଶାସନ ସଫଳ ହୋଇନାହିଁ। ଗତ ତିନି ମାସ ମଧ୍ୟରେ କେବଳ ଟ୍ରେନ୍‌ ଦୁର୍ଘଟଣାରେ ୩ଟି ହାତୀଙ୍କ ଜୀବନ ଯାଇଛି। ଏପ୍ରିଲ ୬ ତାରିଖ ରାତିରେ ଅନୁଗୁଳ-ସମ୍ବଲପୁର ରେଳ ସେକ୍ସନ ବୋଇଣ୍ଡା ଓ ଜରପଡ଼ା ଷ୍ଟେସନ ମଧ୍ୟରେ ଟ୍ରେନ୍ ଦୁର୍ଘଟଣାରେ ଗୋଟିଏ ହାତୀ ପ୍ରାଣ ହରାଇଥିଲା। ଆଜି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ଡର ବ୍ରାହ୍ମଣିପାଳ ରେଞ୍ଜରେ ମାଲବାହୀ ଟ୍ରେନ ଧକ୍କାରେ ଦୁଇ ହାତୀଙ୍କ ମୃତ୍ୟୁ ହୋଇଛି। ୨୦୨୨ ମେ’ ମାସରେ କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକର ବାଂଶପାଣିସ୍ଥିତ ବେହେରା ହଟିଂ ପାଖରେ ଟ୍ରେନ୍ ଧକ୍କାରେ ୩ଟି ହାତୀଙ୍କ ଜୀବନ ଯାଇଥିଲା। ହିସାବ ଦେଖିଲେ ଗତ ୧୩ ମାସରେ ଟ୍ରେନ୍‌ ଧକ୍କାରେ ୬ ହାତୀଙ୍କ ମୃତ୍ୟୁ ହୋଇଛି। ୨୦୧୨-୧୩ରୁ ଏପର୍ଯ୍ୟନ୍ତ କେବଳ ଟ୍ରେନ୍‌ ଧକ୍କାରେ ୩୬ ହାତୀଙ୍କ ଜୀବନ ଯାଇଛି।

ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ କହିବାନୁଯାୟୀ ରେଳ ଓ ଜଙ୍ଗଲ ବିଭାଗ ମଧ୍ୟରେ ସମନ୍ୱୟ ଅଭାବରୁ ଏଭଳି ଅଭାବନୀୟ ଘଟଣା ଘଟିଛି। ବାବୁମାନେ ରେଳ ସଦନ କି ଲୋକସେବା ଭବନରେ ବସି ହାତୀ ମୃତ୍ୟୁ ରୋକିବାକୁ ‌ନୂଆ ଘୋଷଣା ଓ ଯୋଜନା କରିଦେଲେ ହେବ ନାହିଁ। ତାହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବାକୁ ପଡ଼ିବ। ହାତୀ ମୃତ୍ୟୁ ଘଟଣାଗୁଡ଼ିକୁ ଦେଖିଲେ ୱାଇଲ୍ଡ ଲାଇଫ୍ କଣ୍ଟ୍ରୋଲ ସେଲ୍ କିଭଳି କାର୍ଯ୍ୟ କରୁଛି ଏବଂ ହାତୀଙ୍କ ଗତିବିଧି ଉପରେ କିଏ ନଜର ରଖୁଛି, ତାହା ଆଜିର ଘଟଣାରୁ ସ୍ପଷ୍ଟ ଅନୁମେୟ। ୨୦୨୧ ଫେବ୍ରୁଆରିରେ ପାର୍ସଲ ଟ୍ରେନ୍ ଧକ୍କାରେ ଦୁଇ ମାଈ ହାତୀଙ୍କ ମୃତ୍ୟୁ ହୋଇଥିଲା। କେଉଁ କାରଣରୁ ଏଭଳି ଘଟଣା ଘଟିଲା, ତାହା ଜଣାପଡ଼ିଲା ନାହିଁ। ମାତ୍ର ଉଭୟ ରେଳ ଓ ବନ ବିଭାଗ ନିଜ ମୁଣ୍ଡରୁ ଦୋଷ ଛଡ଼ାଇବାକୁ ଲାଗି ପଡ଼ିଥିଲେ। ୨୦୨୦ ଡିସେମ୍ବରରେ ସମ୍ବଲପୁର-ଅନୁଗୁଳ ରେଳପଥର ଯୁଯୁମୁରା ଥାନା ଗଡ଼ବାହାଲ ରେଳ ଓଭରବ୍ରିଜ୍‌ ନିକଟରେ ରାଉରକେଲା ଇଣ୍ଟରସିଟି ଧକ୍କାରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଥିଲା। ୨୦୧୯ରେ ମାଲବାହୀ ଟ୍ରେନ୍ ଧକ୍କାରେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ରେଞ୍ଜ ବାରଦା ଲେବଲ କ୍ରସିଂ ନିକଟରେ ଦ୍ରୁତଗାମୀ ଟ୍ରେନ୍ ଧକ୍କାରେ ଗୋଟିଏ ହାତୀର ମୃତ୍ୟୁ ହୋଇଥିଲା।

ଏହି ସବୁ ଘଟଣାରେ କାହାକୁ ଉତ୍ତରଦାୟୀ କରାଗଲା ନାହିଁ କି କାର୍ଯ୍ୟାନୁଷ୍ଠାନ ହେଲାନି। ପରିଣାମ ସ୍ବରୂପ ଗଜରାଜଙ୍କ ପାଇଁ ଏବେ ବିପଦ ମାଡ଼ି ଆସୁଛି। ଓଡ଼ିଶାରେ ହାତୀ ମୃତ୍ୟୁ ରୋକିବାକୁ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଠୋସ୍‌ ପଦକ୍ଷେପ ନେଉ ନ ଥିବା ଦେଖିବାକୁ ମିଳିଛି। ହାତୀ ମୃତ୍ୟୁ ବଢ଼ୁଥିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ମାର୍ଚ୍ଚ ମାସରେ ଚିନ୍ତାପ୍ରକଟ କରିବା ସହ ସୁରକ୍ଷା ଓ ସଂରକ୍ଷଣ ପାଇଁ ସମୟୋଚିତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦର ଯାଦବଙ୍କୁ ଅଲଗା ଅଲଗା ପତ୍ର ଲେଖି ସେ ଅନୁରୋଧ କରିଥିଲେ। ତାହା କିଭଳି କାର୍ଯ୍ୟକାରୀ ହେଲା ତାହା ଜଣାପଡ଼ୁନାହିଁ। ଏବେ ପୁଣି ଟ୍ରେନ୍‌ ଧକ୍କାରେ ଦୁଇ ମୂଲ୍ୟବାନ ହାତୀଙ୍କ ଜୀବନ ଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।