ରାଜ୍ୟ

ହାଇକୋର୍ଟଙ୍କ ଉଦ୍‌ବେଗ: ଭିନ୍ନ ରାଜ୍ୟର ପୁଲିସ ମଧ୍ୟରେ ରହୁନି ସମନ୍ବୟ

କଟକ: ଗୋଟିଏ ରାଜ୍ୟର ପୁଲିସ ସହିତ ଅନ୍ୟ ରାଜ୍ୟ ପୁଲିସର ସମନ୍ବୟ ଓ ସହଯୋଗ ରହୁ ନାହିଁ। ଅନ୍ୟ ରାଜ୍ୟର ପୁଲିସ ନିକଟରୁ ଜଣେ ଅଭିଯୁକ୍ତ ସଂପର୍କରେ ଆବଶ୍ୟକ ତଥ୍ୟ ମିଳି ପାରୁନାହିଁ। ଏଭଳି ସ୍ଥିତିରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଅଭିଯୁକ୍ତ ସଂପର୍କରେ ଆବଶ୍ୟକ ତଥ୍ୟ ଦେବାରେ ରାଜ୍ୟ ସରକାର ସମର୍ଥ ହୋଇ ପାରୁନାହାନ୍ତି। ଏହାକୁ ନେଇ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିବା ସହିତ ଏଭଳି ସମସ୍ୟାର ସରକାରୀ ସ୍ତରରେ ସମାଧାନ କରିବାକୁ ପରାମର୍ଶ ଦେଇଛନ୍ତି। ନଚେତ ତ୍ରୁଟି କରିଥିବା ଅଧିକାରୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବାପାଇଁ ନିର୍ଦ୍ଦେଶ ଦିଆଯିବ ଏବଂ ଅଦାଲତ ଅବମାନନା ଆଇନ ଅନୁସାରେ ପଦକ୍ଷେପ ନିଆଯିବ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ କ୍ରିଷ୍ଣ କୁମାରଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି କରି ମୁଖ୍ୟ ସଚିବଙ୍କୁ ଏହି ପ୍ରସଂଗରେ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ନିଶାଦ୍ରବ୍ୟ କାରବାର ମାମଲାରେ ଗିରଫ ହୋଇ ଜେଲରେ ଥିବା ଆବେଦନକାରୀ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନକାରୀ ଉତ୍ତରପ୍ରଦେଶର ହାଥରସ ଜିଲ୍ଲାର ବାସିନ୍ଦା ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା। ଏପରି ତଥ୍ୟର ସତ୍ୟାସତ୍ୟ ଯାଞ୍ଚ କରି ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟ ଗତ ଫେବ୍ରୁଆରି ୬ରେ କହିଥିଲେ। ଏହି ପ୍ରସଂଗରେ ହାଥରସ ଏସପିଙ୍କ ସହିତ ଯୋଗାଯୋଗ କରି ପରବର୍ତ୍ତୀ ଶୁଣାଣି ପୂର୍ବରୁ ରିପୋର୍ଟ ଦାଖଲ ପାଇଁ ଗଞ୍ଜାମ ଏସପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଫେବ୍ରୁଆରି ୨୭, ମାର୍ଚ୍ଚ ୧୪, ଏପ୍ରିଲ ୩ ଓ ୧୧ରେ ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ଠିକଣା ଯାଞ୍ଚ ସଂପର୍କିତ ରିପୋର୍ଟ ଦାଖଲ ପାଇଁ ସରକାର ସମୟ ଲୋଡିଥିଲେ। ମେ ୨ରେ ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ଫେବ୍ରୁଆରି ୬ର ନିର୍ଦ୍ଦେଶ ଅନୁସାରେ ହାଥରସ ଏସପିଙ୍କୁ ଗଞ୍ଜାମ ଏସପି ଚିଠି ଲେଖି ଆବଶ୍ୟକ ତଥ୍ୟ ଦେବାକୁ କହିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ଜବାବ ମିଳି ପାରିନାହିଁ।

ଏହି ପ୍ରସଂଗରେ ସତ୍ୟପାଠ ଦାଖଲ ପାଇଁ ଗଞ୍ଜାମ ଏସପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ମେ ୧୫ରେ ଶୁଣାଣି ସମୟରେ ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ଯେ ଏହା ଏକ ଅବକାରୀ ମାମଲା, ତେଣୁ ବ୍ରହ୍ମପୁର ଅବକାରୀ ଅଧୀକ୍ଷକ ସତ୍ୟପାଠ ଦାଖଲ କରିବେ। ହାଇକୋର୍ଟ ପୂର୍ବ ନିର୍ଦ୍ଦେଶରେ ପରିବର୍ତ୍ତନ କରି ଅବକାରୀ ଅଧୀକ୍ଷକଙ୍କୁ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଜୁନ ୨୧ରେ ମାମଲାର ଶୁଣାଣି ସମୟରେ ସତ୍ୟପାଠ ଦାଖଲ ପାଇଁ ପୁଣି ସରକାର ସମୟ ଲୋଡିଥିଲେ। ଶେଷରେ ଜୁନ ୨୩ରେ ବ୍ରହ୍ମପୁର ଅବକାରୀ ଅଧୀକ୍ଷକ ସତ୍ୟପାଠ ଦାଖଲ କରି ଦର୍ଶାଇଥିଲେ ଯେ ହାଥରସ ଏସପିଙ୍କୁ ବାରମ୍ବାର ଯୋଗଯୋଗ କରାଯାଇ ଆବେଦନକାରୀଙ୍କ ଠିକଣାର ସତ୍ୟାସତ୍ୟ ପ୍ରସଂଗରେ ତଥ୍ୟ ଦେବାକୁ କୁହାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ରିପୋର୍ଟ ମିଳି ପାରିନାହିଁ। ଆବେଦନକାରୀ ଦେଇଥିବା ଠିକଣା ଠିକ୍ ଅଛି ବା ନାହିଁ ତାହା ଯାଞ୍ଚ କରିବାକୁ ରାଜ୍ୟ ସରକାରଙ୍କୁ ବାରମ୍ବାର ସୁଯୋଗ ଦିଆଯାଇଥିଲେ ମଧ୍ୟ ଏହି ନିର୍ଦ୍ଦେଶ ପାଳନ କରାଯାଇ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ଅନ୍ୟପକ୍ଷରେ ଆବେଦନକାରୀଙ୍କ ତରଫରୁ ଦୁଇ ଜାମିନଦାରଙ୍କ ସଂପର୍କରେ ସୂଚନା ପ୍ରଦାନ କରାଯାଇଥିବା ବେଳେ ଏହି ପ୍ରସଂଗରେ ତଥ୍ୟ ଉପସ୍ଥାପନ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଅଧିକ ସମୟ ଲୋଡା ଯାଇଥିଲା। ଜୁଲାଇ ୨୪ରେ ଆରମ୍ଭ ହେବାକୁ ଥିବା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।