ହରିଦ୍ୱାର ୨୧/୦୩ : ଉତ୍ତରାଖଣ୍ଡ ହରିଦ୍ୱାରରେ ହେବାକୁଥିବା ମହାକୁମ୍ଭ ମେଳାରେ କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି। ଏଥିପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଉତ୍ତରାଖଣ୍ଡ ସରକାରଙ୍କୁ ସତର୍କ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଉତ୍ତରାଖଣ୍ଡ ଚିଫ ସେକ୍ରେଟାରୀଙ୍କୁ ରବିବାର ଦିନ ଚିଠି ଲେଖି ସତର୍କ କରିଛନ୍ତି ଯେ ହରିଦ୍ୱାର କୁମ୍ଭମେଳାରେ କରୋନା ସଂକ୍ରମଣ ବଢିପାରେ। ହରିଦ୍ୱାରରେ ବର୍ତ୍ତମାନ ଯେତିକି ଟେଷ୍ଟ ହେଉଛି ତାହା ଯଥେଷ୍ଟ ନୁହେଁ।
କୁମ୍ଭମେଳାକୁ ଦୃଷ୍ଟିରେ ରାଖୀ କେନ୍ଦ୍ର ସରକାର ଉତ୍ତରାଖଣ୍ଡ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ତରଫରୁ ପଠାଯାଇଥିବା ଚିଠିରେ କୁହାଯାଇଛି ଯେ କୁମ୍ଭମେଳା ସମୟରେ ଉଚ୍ଚ ସ୍ଥରୀୟ ସେଣ୍ଟ୍ରାଲ ଟିମ ପରାମର୍ଶ ଦିଆଯାଇଥିବା ପଦକ୍ଷେପ ଉପରେ କାର୍ଯ୍ୟକାରୀ କରିବାକୁ ସୁନିଶ୍ଚିତ କରନ୍ତୁ। ୧୨ ରାଜ୍ୟରେ ଗତ କିଛି ଦିନ ହେଲା କରୋନା ମାମଲା ବୃଦ୍ଧି ପାଇଛି। ଏହିସବୁ ପ୍ରଭାବିତ ରାଜ୍ୟରୁ ମଧ୍ୟ ଶ୍ରଦ୍ଧାଳୁ କୁମ୍ଭମେଳାକୁ ଆସିପାରନ୍ତି। ସେଣ୍ଟ୍ରାଲ ଟିମ ଅନୁଯାୟୀ, ପ୍ରତିଦିନ ୧୦-୨୦ ଶ୍ରଦ୍ଧାଳୁ ଓ ୧୦-୨୦ ସାଧାରଣ ଲୋକ ପଜିଟିଭ ଚିହ୍ନଟ ହେଉଛନ୍ତି।
କେନ୍ଦ୍ର ସରକାରଙ୍କ ତରଫରୁ କୁହାଯାଇଛି ଯେ ଏମର୍ଜେନ୍ସି ଅପରେସନାଲ ସେଣ୍ଟର ଜରିଆରେ ଶ୍ୱାସ ସମ୍ବନ୍ଧୀୟ ରୋଗ ଓ ଏହାର ଲକ୍ଷଣ ଥିବା ବ୍ୟକ୍ତିଙ୍କ ଉପରେ ନଜର ରଖାଯାଉ। ସବୁ ଅଞ୍ଚଳରେ କରୋନା ଯାଞ୍ଚ ସଂଖ୍ୟା ବଢାଯାଉ। ଯେଉଁଠାରେ କରୋନା ମାମଲା ବଢିବାର ଆଶଙ୍କା ରହିଛି ସେହି ସ୍ଥାନରେ ଖାସ ନଜର ରଖାଯାଉ। କୁମ୍ଭ ସ୍ନାନ ପୂର୍ବରୁ ଓ ପରେ ଫ୍ରଣ୍ଟଲାଇନ କାର୍ଯ୍ୟକର୍ତ୍ତାଙ୍କ ଯାଞ୍ଚ କରାଯାଉ। ଯଦି ମାମଲା ବୃଦ୍ଧି ପାଉଛି ତାହେଲେ ଜେନୋମିକ୍ କ୍ରମ ପାଇଁ NCDC ସହିତ ସମନ୍ୱୟ କରି ନମୁନା ପଠାନ୍ତୁ।
ରବିବାର ଦିନ ଦେଶରେ ୪୩ ହାଜର ୮୪୬ ମାମଲା ସାମ୍ନାକୁ ଆସିଛି। ନଭେମ୍ବର ୨୬ ତାରିଖ ପରେ ଗୋଟିଏ ଦିନରେ ଆସିଥିବା ମାମଲା ମଧ୍ୟରେ ଏହା ସବୁଠାରୁ ଅଧିକ ମାମଲା। ଗତ ୨୪ ଘଣ୍ଟାରେ ଦେଶରେ ୧୯୭ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ଦେଶରେ ୩ ଲକ୍ଷରୁ ଅଧିକ ଆକ୍ଟିଭ ମାମଲା ରହିଛି।