ଗୁୁରୁଗ୍ରାମ: ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ତଥା ହରିଆଣାର ପୂର୍ବତନ ଗୃହ ମନ୍ତ୍ରୀ ଅନୀଲ ବିଜ୍ ନୂଆ ରାଜ୍ୟ କ୍ୟାବିନେଟ୍ରେ ସ୍ଥାନ ପାଇନାହାନ୍ତି। ହରିଆଣାରେ ନୂଆ ବିଜେପି ସରକାରରେ ବିଦ୍ରୋହ ଆଶଙ୍କା ଉପୁଜିଛି।
ମଙ୍ଗଳବାର ଦିନ ଦଳର ନେତା ନୟାବ ସିଂହ ସାଇନି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହରଲାଲ୍ ଖଟ୍ଟର ଏବଂ ତାଙ୍କ କ୍ୟାବିନେଟ୍ର ସମସ୍ତ ମନ୍ତ୍ରୀ ଇସ୍ତଫା ଦେବା ପରେ ସାଇନି ଶପଥ ଗ୍ରହଣ କରିଛନ୍ତି।
ଅନ୍ୟ ବିଧାୟକମାନେ ତାଙ୍କ ସହ ଶପଥ ଗ୍ରହଣ କରିଥିବା ବେଳେ ଅନୀଲ ବିଜ୍ ଶପଥ ନେଇନାହାନ୍ତି। ମନୋହର ଲାଲ ଖଟ୍ଟରଙ୍କ ଘନିଷ୍ଠ ସହଯୋଗୀ ନୟାବ ସିଂହ ରାଜ୍ୟର ୧୨ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ମଙ୍ଗଳବାର ସେ ୫ ଜଣ ମନ୍ତ୍ରୀଙ୍କ ସହ ଶପଥ ଗ୍ରହଣ କରିଛନ୍ତି।
ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିବା ପରେ ଅନିଲ ବିଜ୍ ବିଦ୍ରୋହୀ ହୋଇପାରନ୍ତି ବୋଲି ଆଶଙ୍କା ପ୍ରକାଶ କରାଯାଉଛି । କାରଣ ଶପଥ ଗ୍ରହଣ ପୂର୍ବରୁ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ନୟାବ ସାଇନିଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତାବ ଦିଆଯାଇଥିବା ବେଳେ ଅନିଲ ବିଜ୍ ବୈଠକ ଛାଡ଼ି ନିଜ ଘର ଅମ୍ବାଲା ପଳାଇ ଆସିଥିଲେ ।
ଏହାପରେ ଅନିଲ ବିଜଙ୍କୁ ଉପ ମୁଖ୍ୟମନ୍ତ୍ରୀ କରାଯିବ ବୋଲି ଚର୍ଚ୍ଚା ହୋଇଥିଲା । ହେଲେ ଶେଷ ମୁହୂର୍ତ୍ତରେ ଅନୀଲ ବିଜଙ୍କୁ ବୁଝାଇବାକୁ ଚେଷ୍ଟା ହୋଇଥିଲେ ମଧ୍ୟ ସେ ରାଜି ହୋଇନଥିଲେ । ଏହାପରେ ଶପଥ ସମାରୋହକୁ ମଧ୍ୟ ବର୍ଜନ କରିଥିଲେ । ଦଳୀୟ ନିଷ୍ପତିରେ ଅସନ୍ତୁଷ୍ଟ ଥିବା ଅନୀଲ ନିଜର ଅନୁଗତ ବିଧାୟକ ମାନଙ୍କୁ ନେଇ ବିଦ୍ରୋହ କରିବାର ଆଶଙ୍କା ରହିଛି । ତେବେ ଏହି ଆଶଙ୍କାକୁ ଏଡାଇବାକୁ ଦଳୀୟ ଶୀର୍ଷ ନେତୃତ୍ୱ କଣ ପଦକ୍ଷେପ ନେଉଛନ୍ତି ତା ଉପରେ ନଜର ରହିଛି ।