ରାଜ୍ୟ ସ୍ପେଶାଲ ରିପୋର୍ଟ

ହଇଜା: ସଂକ୍ରମଣ କମିଥିଲେ ବି ସ୍ଥିତି ଉଦ୍‌ବେଗଜନକ, ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି

ରାଉରକେଲା: ରାଉରକେଲାରେ ହଇଜା ସଂକ୍ରମଣ କିଛିଟା କମିଥିଲେ ବି ସ୍ଥିତି ଉଦ୍‌ବେଗଜନକ ରହିଛି। ଗୁରୁତର ରୋଗୀଙ୍କ ସଂଖ୍ୟା କମୁଥିଲେ ବି ବୁଧବାର ରାତିରେ ହଇଜା ପୁଣି ଆଉ ଜଣଙ୍କର ଜୀବନ ନେଇଛି। ଏଥିସହ ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଛି। ମୃତକ ହେଲେ ରାଉରକେଲା ମଧୁସୂଦନପାଲିର ସାବିତ୍ରୀ ଗିରି (୪୫)। ଗୁରୁବାର ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ଚିକିତ୍ସିତ ହଇଜା ରୋଗୀଙ୍କ ସଂଖ୍ୟା ତିନିରୁ ଦୁଇ ଅଙ୍କକୁ ଖସିଛି। ସଂଧ୍ୟା ସୁଦ୍ଧା ଆର୍‌ଜିଏଚ୍‌ରେ ୯୭ ହଇଜା ରୋଗୀ ଚିକିତ୍ସିତ ହେଉଛନ୍ତି। ହାଇଟେକ୍‌ ମେଡିକାଲରେ ୩୩, ବେଦବ୍ୟାସସ୍ଥ ଜୟପ୍ରକାଶ ହସ୍ପିଟାଲରେ ୩୭ ଓ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌)ରେ ୨୦ରୁ ଅଧିକ ହଇଜା ରୋଗୀ ଚିକିତ୍ସାଧୀନ ଅଛନ୍ତି।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ଅଶୋକ କୁମାର ପାଇକରାୟ, ଡାକ୍ତର ସଞ୍ଜିତ ଗରାବଡ଼ୁଙ୍କ ସମେତ ହଇଜା ଚିକିତ୍ସା ପାଇଁ ୧୮ ଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ଏମାନଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଡାକ୍ତର ସୋମ୍‌ ଶୁଭଙ୍କର, ଡାକ୍ତର ସାଗର ଦଳାଇ, ସୁନ୍ଦରଗଡ଼ ମେଡ଼ିକାଲ କଲେଜର ଡାକ୍ତର ନଳିନୀକାନ୍ତ ତ୍ରିପାଠୀ, ଡାକ୍ତର ଆଶିଷ କୁମାର ବିଶ୍ବାଳ, ଡାକ୍ତର ବିବେକାନନ୍ଦ ସିଂହ, ଡାକ୍ତର ରଞ୍ଜନ କୁମାର ସାମଲ ପ୍ରମୁଖ ଗତ ପ୍ରାୟ ୭ ଦିନ ଧରି ଆର୍‌ଜିଏଚ୍‌ରେ ସଂକ୍ରମିତ ରୋଗୀଙ୍କ ଚିକିତ୍ସା କରୁଛନ୍ତି। ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ସିବିର ଡାକ୍ତର ତୁଷାରକାନ୍ତି ବେହେରା, ଡାକ୍ତର ମଦନମୋହନ ମାଝୀ, ଡାକ୍ତର ସସ୍ମିତା ଖଟୁଆ ଏବଂ ଡାକ୍ତର ଭାଗବତ ସ୍ବାଇଁ ଗୁରୁବାର ସକାଳୁ ଆର୍‌ଜିଏଚ୍‌ର ବିଭିନ୍ନ ୱାର୍ଡ ବୁଲି ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ସଂକ୍ରମଣର କାରଣ ଖୋଜୁଛନ୍ତି। ଆଞ୍ଚଳିକ ଚିକିତ୍ସା ଅନୁସନ୍ଧାନ କେନ୍ଦ୍ର (ଆର୍‌ଏମ୍‌ଆର୍‌ସି)ର ଦୁଇ ବୈଜ୍ଞାନିକ ଡାକ୍ତର ଆନ୍ନା ସାଲୋମି କେର୍କେଟା ଏବଂ ଡାକ୍ତର ଜୟନ୍ତ ସିଂହ ବସ୍ତି ଓ କଲୋନିକୁ ଯୋଗାଣ ହେଉଥିବା ପାଣିର ନମୁନା ସଂଗ୍ରହ କରି ପରୀକ୍ଷା କରିଛନ୍ତି। କାହିଁକି ସହରରେ ଏମିତି ସ୍ଥିତି ଉପୁଜିଲା? ଜଳ ନା ଖାଦ୍ୟରୁ ହଇଜା ସଂକ୍ରମଣ ହୋଇଛି? ତା’ର ଟିକିନିକି ତଦନ୍ତ କରୁଛନ୍ତି।

ଗୁରୁବାର ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଡ. ସୁରେଶ କୁମାର ଦଳାଇ ଆର୍‌ଜିଏଚ୍‌ରେ ପହଞ୍ଚି ବିଭିନ୍ନ ୱାର୍ଡରେ ଭର୍ତ୍ତି ହଇଜାରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରିବୁଝିଥିଲେ। ଉପଯୁକ୍ତ ଚିକିତ୍ସାସେବା ଯୋଗାଇ ଦିଆଯାଉଛି କି ନାହିଁ, ସମ୍ପର୍କୀୟଙ୍କୁ ପଚାରିଥିଲେ। ଉପସ୍ଥିତ ଆର୍‌ଜିଏଚ୍‌ର ନିର୍ଦ୍ଦେଶକ ଡାକ୍ତର ଗଣେଶ ପ୍ରସାଦ, ଉପ ଅଧୀକ୍ଷକ ଡାକ୍ତର ପଣ୍ଡିତ ସାହୁ, ଅତିରିକ୍ତ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର, ପାନପୋଷ ଉପଜିଲ୍ଲାପାଳ ବିଜୟ ନାୟକଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ପରେ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜଳସାଥୀମାନଙ୍କୁ ନେଇ ବୈଠକ ବସିଥିଲା। ଜଳସାଥୀମାନଙ୍କୁ ଅଧିକରୁ ଅଧିକ ପାଣି ନମୁନାର ପରୀକ୍ଷା ପାଇଁ ପରାମର୍ଶ ଦେଇଥିଲେ। କୌଣସି ସ୍ଥାନରେ ପାଣିପାଇପ୍ ଫାଟିଥିଲେ ଏହାର ମରାମତି ପାଇଁ ସଙ୍ଗେ ସଙ୍ଗେ ସୂଚନା ଦେବା ପାଇଁ ଡା. ଦଳାଇ ପରାମର୍ଶ ଦେଇଥିଲେ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାଜ୍ୟସ୍ବାସ୍ଥ୍ୟ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଡା. ଅଶୋକ ପାଇକରାୟ କହିଲେ, ହଇଜା ଖାଦ୍ୟ ନୁହେଁ ପାଣି ଦ୍ବାରା ବ୍ୟାପିଥିବା ଅନୁମାନ କରାଯାଉଛି। ସହରର ନାଲାରୋଡ, ଛେଣ୍ଡର କିସାନଟୋଲା, ବନପୋଷ, ଉଦିତନଗର, ବାସନ୍ତୀକଲୋନି, ମାଲଗୋଦାମ, ରେଲୱେକଲୋନି, ବନ୍ଧମୁଣ୍ଡା ତିଲକନଗର ଆଜି ୧୨ରୁ ଅଧିକ ସଂକ୍ରମିତ ଅଞ୍ଚଳରେ ପାଣିର ମାନ ଯାଞ୍ଚ କରାଯାଉଛି। ଏସ୍‌ସିବି ଓ ଆର୍‌ଏମ୍‌ଆର୍‌ସି ଟିମ ବସ୍ତିରେ ମିଳିତ ଭାବେ ଯାଞ୍ଚ କରୁଛନ୍ତି। ହଇଜା କେମିତି ବ୍ୟାପିଲା, ତାହା ଏ ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ଭାବେ ଜଣାପଡ଼ିନି। ପରୀକ୍ଷାନିରୀକ୍ଷା ଜାରି ରହିଛି। ସେପଟେ ସହର ମଧ୍ୟରେ ଥିବା ୧୦ଟି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ୨୪ ଘଣ୍ଟା ଖୋଲାଯାଇଛି। ସମ୍ପୃକ୍ତ ଅଞ୍ଚଳରୁ ଆସୁଥିବା ରୋଗୀଙ୍କୁ ଆବଶ୍ୟକୀୟ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ହଇଜା ସଂକ୍ରମଣ କମିବା ସହରବାସୀଙ୍କୁ ସାମାନ୍ୟ ଆଶ୍ବସ୍ତ କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।