ମଧୁମେହ ରୋଗୀମାନେ କରୋନା ଭୂତାଣୁ ଦ୍ବାରା ସ˚କ୍ରମିତ ହେବାର ସମ୍ଭାବନା ଅଧିକ। କାରଣ ମଧୁମେହ ରୋଗୀଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍ ଥାଏ। ଦ୍ବିତୀୟରେ ମଧୁମେହ ରୋଗୀଙ୍କ କ୍ଷେତ୍ରରେ କୋଭିଡ୍ ରୋଗର ତୀବ୍ରତା ଅଧିକ ଦେଖାଯାଏ। ଅଧିକ ଜଟିଳତା ଉପୁଜିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼ିପାରେ। ଯେଉଁ ରୋଗୀମାନଙ୍କର ରକ୍ତଶର୍କରା ନିୟନ୍ତ୍ରଣରେ ନଥାଏ ବା ମଧୁମେହ ଜନିତ ଜଟିଳତା ଥାଏ ସେମାନଙ୍କ କୋଭିଡ୍ ସ୍ଥିତି ଗୁରୁତର ହେବାର ସମ୍ଭାବନା ଥାଏ। ମଧୁମେହ ରୋଗୀଙ୍କ ଶରୀରରେ ଭୂତାଣୁ, ସାଧାରଣ ବ୍ୟକ୍ତିଙ୍କ ତୁଳନାରେ ଅଧିକ ଦିନ ପର୍ଯ୍ୟନ୍ତ ଜୀବିତ ରହିପାରେ, ଯାହାଦ୍ବାରା ସେମାନଙ୍କ ଜଟିଳତା ବଢିଥାଏ। କୋଭିଡ୍ ରୋଗୀଙ୍କ କ୍ଷେତ୍ରରେ ଯେଉଁମାନଙ୍କର ମଧୁମେହ ଥାଏ, ତାଙ୍କ ରକ୍ତଶର୍କରା ନିୟନ୍ତ୍ରଣରେ ରଖିବା ଅତି କଷ୍ଟକର ହୋଇଥାଏ। କେତେବେଳେ ଏହା ଅତ୍ୟଧିକ ବଢିଯାଏ ତ କେତେବେଳେ ଏହା ଅତି କମ୍ ହେବାରୁ ରୋଗୀ ଅସୁବିଧାର ସମ୍ମୁଖୀନ ହୁଏ। ଯେଉଁ ରୋଗୀଙ୍କର କୋଭିଡ୍ ଚିକିତ୍ସାରେ ଷ୍ଟେରଏଡ୍ ଦିଆଯିବା ଦରକାର ହୁଏ, ସେମାନଙ୍କ ରକ୍ତ ଶର୍କରା ଅତ୍ୟଧିକ ବଢି କିଟୋ ଏସିଡୋସିସ୍ ଭଳି ଜଟିଳତା ହେବାର ସମ୍ଭାବନା ଥାଏ। କେତେକ କୋଭିଡ ରୋଗୀଙ୍କ କ୍ଷେତ୍ରରେ ମଧୁମେହ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଥାଏ, କାରଣ କରୋନା ଭୂତାଣୁ ଶରୀରର ରକ୍ତ ଶର୍କରା ପରିଚାଳନାର ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଏହା ପ୍ରଭାବ ପକାଇଥାଏ।
ସୁରକ୍ଷାର ଉପାୟ:
ମଧୁମେହ ରୋଗୀଙ୍କର କରୋନା ଭୂତାଣୁ ସ˚କ୍ରମଣଠାରୁ ରକ୍ଷା ପାଇବାର ଉପାୟ ସାଧାରଣ ଲୋକଙ୍କ ଠାରୁ କିଛି ଅଲଗା ନୁହେଁ। ସାଧାରଣ ଲୋକ ଯେପରି ସାମାଜିକ ଦୂରତ୍ବ ରକ୍ଷା କରିବା, ବାରମ୍ବାର ହାତ ସାବୁନ୍ରେ ଧୋଇବା (ଅତିକମ୍ରେ ୨୦ରୁ ୩୦ ସେକେଣ୍ତ), ମାସ୍କ ବ୍ୟବହାର କରିବା, ଜନଗହଳି ସ୍ଥାନକୁ ନଯିବା, ଅତ୍ୟନ୍ତ ଜରୁରି ନଥିଲା ବାହାରକୁ ନବାହାରିବା ଏବ˚ ଅତ୍ୟନ୍ତ ଆବଶ୍ୟକ ନଥିଲେ ଭ୍ରମଣକୁ ଏଡ଼ାଇବା ଇତ୍ୟାଦି ଉପାୟ ଅବଲମ୍ବନ କରିବା ଦରକାର। ଏହାବ୍ୟତୀତ ମଧୁମେହ ରୋଗୀଙ୍କୁ କିଛିଟା ଅଧିକ ସତର୍କତା ଅବଲମ୍ବନ କରିବା ଦରକାର। ଯେମିତିକି ନିଜ ରକ୍ତ ଶର୍କରାର ପରିମାଣକୁ ନିୟନ୍ତ୍ରଣରେ ରଖିବା, ଠିକ୍ ସମୟରେ ସନ୍ତୁଳିତ ଆହାର ଖାଇବା, ନିୟମିତ ବ୍ୟାୟାମ କରିବାକୁ ହେବ। ଅତି ବୟସ୍କ ମଧୁମେହ ରୋଗୀଙ୍କ ଯତ୍ନ ନେଉଥିବା ବ୍ୟକ୍ତିମାନଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ନିଜେ ସଫା ସୁତୁରା ରହିବା ସହ ବାରମ୍ବାର ହାତ ଧୋଇବା, ରୋଗୀଙ୍କଠୁ ସାମାଜିକ ଦୂରତା ରକ୍ଷା କରିବା ଇତ୍ୟାଦିକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ହେବ। ଯଦି ସମ୍ଭବପର ହୁଏ, ତାହେଲେ ଜଟିଳତା ଥିବା ଡାଇବେଟିସ୍ ରୋଗୀଙ୍କୁ ଘରେ ଏକ ଅଲଗା ପ୍ରକୋଷ୍ଠରେ ରଖିଲେ ଭଲ। ଯଦି କୌଣସି ମଧୁମେହ ରୋଗୀଙ୍କୁ କାଶ, ଥଣ୍ତା, ଜ୍ବର କିମ୍ବା ନିଶ୍ବାସ ପ୍ରଶ୍ବାସରେ କଷ୍ଟ ହୁଏ, ତାହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ଏବ˚ ଦରକାର ହେଲେ ଡାକ୍ତରଖାନାରେ ଭର୍ତ୍ତି କରାଯିବା ଦରକାର। ଯେଉଁ ମଧୁମେହ ରୋଗୀମାନଙ୍କର ଜଟିଳତା ଅଛି ସେମାନେ ଅଧିକ ସତର୍କ ରହିବା ଦରକାର। ସେମାନେ ଡାକ୍ତର, ସ୍ବାସ୍ଥ୍ୟକର୍ମୀଙ୍କ ସହିତ ସବୁବେଳେ ସମ୍ପର୍କରେ ରହିବା ଆବଶ୍ୟକ। ସାମାନ୍ୟ ଅବହେଳା ମଧ୍ୟ ତାଙ୍କୁ ଗୁରୁତର ଅବସ୍ଥାରେ ପକାଇପାରେ।
ଚିକିତ୍ସା:
ଯଦି କୌଣସି ମଧୁମେହ ରୋଗୀ କରୋନାରେ ଆକ୍ରାନ୍ତ ହୁଅନ୍ତି, ସେମାନେ ତୁରନ୍ତ ନିଜ ଡାକ୍ତରଙ୍କୁ ପରାମର୍ଶ କରି ରୋଗର ଚିକିତ୍ସା ବ୍ୟବସ୍ଥା କରିବା ଦରକାର। ଚିକିତ୍ସା କେବଳ କୋଭିଡ୍ ପାଇଁ ନୁହେଁ, ମଧୁମେହର ଠିକ୍ ଚିକିତ୍ସା ମଧ୍ୟ କରିବାକୁ ପଡେ଼। ଖାଦ୍ୟର ସମୟ, ପ୍ରକାର, ପରିମାଣ ଠିକ୍ କରିବାକୁ ହୁଏ। ଏହାବ୍ୟତୀତ ରକ୍ତ ଶର୍କରା ନିୟନ୍ତ୍ରଣ, ରକ୍ତଚାପ ନିୟନ୍ତ୍ରଣ ଓ ଆନୁସଙ୍ଗିକ ସ୍ଥିତିରେ ମଧ୍ୟ ଯତ୍ନ ନେବା ଆବଶ୍ୟକ। ଦରକାର ହେଲେ ଔଷଧର ପରିମାଣ, ପ୍ରକାର ବଦଳାଇବାକୁ ମଧ୍ୟ ପଡ଼ିପାରେ। ଆବଶ୍ୟକ ହେଲେ ଇନ୍ସୁଲିନ୍ ଇଞ୍ଜେକ୍ସନ ନେବାକୁ ପଡ଼ିପାରେ। ଯେଉଁ ରୋଗୀଙ୍କର ଜଟିଳତା ପ୍ରକାଶ ପାଏ, ସେମାନଙ୍କୁ ପ୍ରାୟତଃ ଇନ୍ସୁଲିନ୍ର ଆବଶ୍ୟକ ପଡ଼ିଥାଏ। ବାରମ୍ବାର ରକ୍ତ ନମୁନା ପରୀକ୍ଷା କରି ସେହି ଅନୁସାରେ ଚିକିତ୍ସାର ପ୍ରକାର ବଦଳାଇ ରକ୍ତ ଶର୍କରା ନିୟନ୍ତ୍ରଣ କରିବା ନିତାନ୍ତ ଜରୁରି। ଏସବୁ ପ୍ରକାର ପଦକ୍ଷେପ ନେଲେ ରୋଗୀ ଶୀଘ୍ର ଠିକ୍ ହୁଏ ଓ ଅନ୍ୟ କୌଣସି ଜଟିଳତାରେ ପଡ଼ିନଥାଏ।
(ଅବଶିଷ୍ଟାଂଶ ପ୍ରକାଶ ପାଇବ ଆସନ୍ତା ମଙ୍ଗଳବାର)