ରାଜ୍ୟ

ସ୍ମାର୍ଟ ସହରରେ ଏମିତି ସ୍ମାର୍ଟ ଟ୍ରାଫିକ୍‌ ବ୍ୟବସ୍ଥା! ନାହିଁ ଟାଇମର୍‌, ନାହିଁ ସ୍ବୟଂଚାଳିତ ସିଗ୍‌ନାଲ୍‌

ଭୁବନେଶ୍ବର: ରାଜଧାନୀରେ କାମକରୁନି ସ୍ମାର୍ଟ ଟ୍ରାଫିକ୍‌ ବ୍ୟବସ୍ଥା। କେତୋଟି ହାତଗଣତି ଟ୍ରାଫିକ୍‌ ଛକକୁ ବାଦ୍‌ଦେଲେ, ବହୁ ପ୍ରମୁଖ ଛକରେ ଟାଇମର୍‌ ନାହିଁ କି ସ୍ବୟଂଚାଳିତ ଟ୍ରାଫିକ୍‌ ପରିଚାଳନା ବ୍ୟବସ୍ଥା ନାହିଁ। ଫଳରେ ଟ୍ରାଫିକ୍‌ ଜାମ୍‌ରୁ ମୁକୁଳିବାର ରାଜଧାନୀବାସୀଙ୍କ ସ୍ବପ୍ନ ସେମିତି ସ୍ବପ୍ନରେ ରହିଯାଇଛି। ଏବେ ବି ବହୁ ଟ୍ରାଫିକ୍‌ ଛକରେ ଦୁର୍ଘଟଣା ଘଟିବା ନିତିଦିନିଆ କଥା ହୋଇରହିଛି ଏବଂ ଲୋକେ ଟ୍ରା‌ଫିକ୍‌ ଭିଡ଼ରେ ଫସି କଲବଲ ହେଉଛନ୍ତି।
ରାଜଧାନୀବାସୀଙ୍କୁ ଟ୍ରାଫିକ୍‌ ସମସ୍ୟାରୁ ମୁକାଳିବାକୁ ବିଭିନ୍ନ ସମୟରେ ଟ୍ରାଫିକ୍‌ ପରିଚାଳନାରେ ବ୍ୟାପକ ପରିବର୍ତ୍ତନ କରାଯାଇଛି।

ଏଥିପାଇଁ କୋଟି କୋଟି ଟଙ୍କା ବ୍ୟୟରେ ଟ୍ରାଫିକ୍‌ ପୋଷ୍ଟଠାରୁ ଆରମ୍ଭ କରି ସିଗ୍‌ନାଲ ପର୍ଯ୍ୟନ୍ତ ଭିତ୍ତିଭୂମିର ନବୀକରଣ କରାଯାଇଛି। ମାନୁଆଲ୍‌ ଟ୍ରାଫିକ୍‌କୁ ହଟାଇ ସ୍ବୟଂଚାଳିତ ସିଗ୍‌ନାଲ ବ୍ୟବସ୍ଥା ଲାଗୁ କରାଗଲା। ଏମିତିକି ସ୍ମାର୍ଟ ଟ୍ରାଫିକ୍‌ ବ୍ୟବସ୍ଥା ସହ ଲୋକଙ୍କୁ ଅଭ୍ୟସ୍ତ କରାଇବା ଲାଗି ଟ୍ରାଫିକ୍‌ ପୋଷ୍ଟରେ କିଛି ଦିନ ଲାଗି ସଚେତନ କରାଗଲା। ଏହା ସତ୍ତ୍ବେ ସମସ୍ୟାରୁ ବାହାରିପାରି ନାହାନ୍ତି ରାଜଧାନୀବାସୀ। କାରଣ ଏବେ ବି ଅନେକ ଟ୍ରାଫିକ୍‌ ପୋଷ୍ଟ ସ୍ବୟଂଚାଳିତ ହୋଇପାରିନାହିଁ। ବହୁ ଟ୍ରାଫିକ୍‌ ପୋଷ୍ଟରେ ଟାଇମ୍‌ର ନଥିବାରୁ ଲୋକ ଜାଣିନପାରି ଦୁର୍ଘଟଣାର ଶିକାର ହେଉଛନ୍ତି। ବଡ଼ କଥା ହେଉଛି, ଏବେ ମଧ୍ୟ ରାଜଧାନୀର ପ୍ରମୁଖ ୧୦ରୁ ଅଧିକ ଟ୍ରାଫିକ୍‌ ଛକରେ ସ୍ବୟଂଚାଳିତ ବ୍ୟବସ୍ଥା ଲାଗୁକରାଯାଇ ନାହିଁ। ରାଜମହଲ ଛକ, ସତ୍ୟନଗର କାଳୀମନ୍ଦିର ଛକ, ରସୁଲଗଡ଼ ଉର୍ମି ହୋଟେଲ୍‌ କଟ, ପୁରୀ ବାଇପାସ୍‌ କେସୁରା ଛକ, ପାଣ୍ଡରା ଛକ, ନନ୍ଦନକାନନ କଳାରାହଙ୍ଗ କଟ୍‌, କୋୟଲ୍‌ କ୍ୟାମ୍ପସ୍‌ କଟ୍‌, ସମ୍‌ ହସ୍ପିଟାଲ୍‌ ରୋଡ୍‌ ନାକାଗେଟ୍‌ ଛକ, ଜଗନ୍ନାଥବିହାର ରେଣ୍ଟାଲ୍‌‌ କଲୋନି ଛକ, ଜୟଦେବବିହାର ଆଦି ଛକ ଗୁଡ଼ିକରେ ସ୍ବୟଂଚାଳିତ ଟ୍ରାଫିକ୍‌ ବ୍ୟବସ୍ଥା ନାହିଁ। ତେଣୁ ଯିଏ ଯେଉଁପଟୁ ଆସିଲେ ବି ମନ ଇଚ୍ଛା ଗାଡ଼ି ପୂରାଇଦେଉଛନ୍ତି।

ସେହିପରି ବହୁ ଟ୍ରାଫିକ୍‌ ପୋଷ୍ଟରେ ଟାଇମ୍‌ର ନଥିବା ଏହି ସମସ୍ୟାକୁ ବହୁଗୁଣିତ କରିଛି। କେତେବେଳେ ସବୁଜ ରଙ୍ଗ ଲାଇଟ୍‌ ଜଳିବ, କେତେବେଳେ ନାଲି ରଙ୍ଗ ଲାଇଟ୍‌ ଜଳିବ, କେତେବେ‌ଳେ କମଳା ରଙ୍ଗ ଲାଇଟ୍‌ ଜଳିବ, ସେକଥା ଟ୍ରାଫିକ୍‌ରେ ଅଟକିଥିବା ଲୋକମାନେ ଜାଣିପାରୁ ନାହାନ୍ତି। କମଳା ରଙ୍ଗ ସିଗ୍‌ନାଲ୍‌ ଲାଇଟ୍‌ ଥିବା ବେଳେ ନାଲି ରଙ୍ଗ ସିଗ୍‌ନାଲ ଆସିବା ପୂର୍ବରୁ ଲୋକ ଗାଡ଼ିକୁ ଦ୍ରୁତ ଗତିରେ ଚଳାଇ ଟ୍ରାଫିକ୍‌ରୁ ବାହାରିଯିବାକୁ ଚେଷ୍ଟା କରୁଛନ୍ତି। ଫଳରେ ବିପରୀତ ଦିଗରୁ ଆସୁଥିବା ଗାଡ଼ି ପିଟି ହେଉଛନ୍ତି। ସେହିଭଳି କମଳା ରଙ୍ଗ ଲାଇଟ୍‌ ବନ୍ଦ ହୋଇ ନାଲି ବତି ଜଳିବା ବେଳେ ଲୋକମାନେ ଅଚାନକ ବ୍ରେକ୍‌ ଲଗାଇବାରୁ ପଛରୁ ଆସୁଥିବା ଗାଡ଼ି ଆଗ ଗାଡ଼ିରେ ପିଟି ‌ହୋଇଯାଉଛି। ପୁଣି କେହି କେହି ଜେବ୍ରା କ୍ରସିଂ ଅତିକ୍ରମ କରିଯାଉଛନ୍ତି। ତେବେ ଲୁଇସ୍‌ ରୋଡ୍‌, ଜନପଥ, ସଚିବାଳୟ ମାର୍ଗ, ବିଦ୍ୟୁତ୍‌ ମାର୍ଗ, ଏକାମ୍ର ମାର୍ଗ ଏବଂ ଷ୍ଟାଣ୍ଡାଲୋନ୍‌ ଭଳି ୬ଟି କରିଡର୍‌ରେ ଥିବା ପ୍ରାୟ ୫୧ରୁ ଊର୍ଧ୍ବ ଛକରେ ଟାଇମର୍‌ ଲଗାଇବାକୁ ଟ୍ରାଫିକ୍‌ ପୁଲିସ ଯୋଜନା କରୁଛି। ଟାଇମ୍‌ର ଲାଗିବା ପରେ ଆଉ ଏଭଳି ସମସ୍ୟା ଦେଖାଦେବ ନାହିଁ ବୋଲି କୁହାଯାଉଛି। ସେହିଭଳି ଜଣେ ଅଧିକାରୀ କହିଛନ୍ତି ଯେ ୧୦ଟି ବଡ଼ ଛକରେ ସ୍ବୟଂଚାଳିତ ଟ୍ରାଫିକ୍‌ ବ୍ୟବସ୍ଥା ଲାଗୁକରିବା ସହ ୫୧ଟି ଟ୍ରାଫିକ୍‌ ପୋଷ୍ଟରେ ଟାଇମର୍‌ ଲଗାଇବାକୁ ବିଏସ୍‌ସିଏଲ୍‌କୁ ପ୍ରସ୍ତାବ ଦିଆଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।