ରାଉରକେଲା: ସ୍ମାର୍ଟସିଟି ରାଉରକେଲା ଓ ଏହାର ଆଖପାଖ ଅଞ୍ଚଳ ଏବେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ ସୁରକ୍ଷିତ ସ୍ଥାନ ପାଲଟିଛି। ସେମାନଙ୍କ ଗତିବିଧି ଉପରେ ଜିଲ୍ଲା ପ୍ରଶାସନର କଟକଣା ରହୁ ନଥିବାରୁ ସେମାନେ ଏହାର ଭରପୂର ଫାଇଦା ଉଠାଉଛନ୍ତି। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ରାସ୍ତା ଦେଇ ସୁରକ୍ଷିତ ଭାବେ ରାଉରକେଲା, ବନ୍ଧମୁଣ୍ଡା ସମେତ ଏହାର ଆଖପାଖ ଅଞ୍ଚଳକୁ ସେମାନେ ପ୍ରବେଶ କରୁଛନ୍ତି। ଛୋଟମୋଟ ବେପାର କରୁଛନ୍ତି। କିଏ ଫେରି, ନିର୍ମାଣ ଶ୍ରମିକ ତ ଅନ୍ୟ କିଏ ଅନ୍ୟାନ୍ୟ କାମ କରୁଛନ୍ତି। ବିଶେଷକରି କୋଠାବାଡିରେ ନିର୍ମାଣ ଶ୍ରମିକ ଭାବେ ଅଧିକାଂଶ ଅନୁପ୍ରବେଶକାରୀ କାମ କରୁଛନ୍ତି। ନିର୍ମାଣ ଶ୍ରମିକ ବନିବା ପରେ ସହରର କିଛି ନିର୍ମାଣ ଶ୍ରମିକ ସଙ୍ଗଠନ ଜରିଆରେ ଏଠାକାର ପରିଚୟପତ୍ର ହାତଉଛନ୍ତି। ପରେ ସେହି ପରିଚୟପତ୍ର ସହାୟତାରେ ନିର୍ମାଣ ଶ୍ରମିକ କାର୍ଡ ବି ପାଉଛନ୍ତି। ଅନ୍ୟପଟେ ଯେଉଁ ବସ୍ତିବାସିନ୍ଦାଙ୍କ ସହ ମିଶି କାମ କରୁଛନ୍ତି, ସେମାନଙ୍କୁ ହାତକରି ବସ୍ତି ଅଞ୍ଚଳରେ ଘର ନିର୍ମାଣ କରୁଛନ୍ତି। ପ୍ରଥମେ ୨-୩ ଜଣ ଲେଖାଏଁ ନିର୍ମାଣ କରୁଥିବା ଘରେ ରହୁଛନ୍ତି।
କିଛି ମାସ ରହିବା ପରେ ଜଣେ ପରେ ଜଣେ ପରିବାରକୂ ଆଣି ରହିବା ଆରମ୍ଭ କରୁଛନ୍ତି। ସହରରେ ଘଟୁଥିବା ଅନେକ ଅପରାଧ ପଛରେ ସେମାନଙ୍କର ହାତ ରହୁଛି। ସବୁଠୁ ଆଶ୍ଚର୍ଯ୍ୟ କଥା, ଅନୁପ୍ରବେଶକାରୀଙ୍କୁ ଭାରତୀୟ ନାଗରିକ ଭାବେ ପ୍ରମାଣପତ୍ର ମଧ୍ୟ ମିଳିଯାଉଛି। ଯେଉଁ ପ୍ରମାଣପତ୍ରକୁ ବ୍ୟବହାର କରି ସେମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାର ଫାଇଦା ଉଠାଉଛନ୍ତି। ଉଦାହରଣ ରୂପେ ବନ୍ଧମୁଣ୍ଡା ଅଞ୍ଚଳକୁ ନିଆ ଯାଇପାରେ। ବନ୍ଧମୁଣ୍ଡାର ତିଲକାନଗର, ଫୁଲବାରୀ, ଡିଜେଲ କଲୋନି, ଶୀଳତନଗର ପରି କିଛି ବସ୍ତିରେ ସଂଖ୍ୟାଧିକ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବାସସ୍ଥାନ ପାଲଟିଛି। ଉପରୋକ୍ତ ସରକାରୀ ସୁବିଧା ସମତ ସ୍ଥାନୀୟ ଅଞ୍ଚଳର କିଛି ଦଲାଲଙ୍କୁ ମୋଟା ରକମର ହାତଗୁଞ୍ଜା ଦେଇ ସେମାନେ ଭୋଟର ପରିଚୟ ପତ୍ର, ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ହାତେଇ ସାରିଛନ୍ତି। ସମାନ ସ୍ଥିତି ମଧ୍ୟ ସ୍ମାର୍ଟସିଟି ରାଉରକେଲା ଉଭୟ ଇସ୍ପାତ ସହରାଞ୍ଚଳ ଓ ମହାନଗର ନିଗମ ଅଞ୍ଚଳରେ। ଇସ୍ପାତ ସହରାଞ୍ଚଳରେ ଏମାନଙ୍କ ସଂଖ୍ୟା ଢ଼େର ଅଧିକ।
ସେକ୍ଟର-୧୯, ସେକ୍ଟର-୬, ସେକ୍ଟର-୨୧ , ଛେଣ୍ଡ କଲୋନି, ବାଲୁଘାଟ ଏରିଆର, ମହତାବ ରୋଡ ସମେତ ଅନ୍ୟ କିଛି ବସ୍ତିରେ ୨,୦୦୦ରୁ ଅଧିକ ବାଂଲାଦେଶୀ ବର୍ଷ ବର୍ଷ ଧରି ରହୁଛନ୍ତି। ଜିଲ୍ଲା ପ୍ରଶାସନ କିନ୍ତୁ ଏଦିଗରେ ତଥ୍ୟ ରଖିବାର କୌଣସି ଆଗ୍ରହ ଦେଖାଉନାହିଁ। ବାଂଲାଦେଶୀ ଅନୁପ୍ରେବଶକାରୀଙ୍କ ସମ୍ପର୍କିତ ପ୍ରଶ୍ନକୁ ପ୍ରଶାସନିକ ଅଧିକାରୀମାନେ ଏଡାଇ ଯାଉଛନ୍ତି। ମାସକୁ ମାସ ସହରରେ ଗୋଟିଏ ପରେ ଗୋଟିଏ ବାଂଲାଦେଶୀ ବସ୍ତିରେ ସେମାନଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। କିନ୍ତୁ ଏମାନଙ୍କୁ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମିତି କୌଣସି ଠୋସ୍ ପଦକ୍ଷେପ ନିଆଯାଉ ନାହିଁ। ଏହାର ଭରପୁର ଫାଇଦା ଉଠାଉଛନ୍ତି ବାଙ୍ଗଲାଦେଶୀ ଅନୁପ୍ରବେଶକାରୀମାନେ। ସେମାନେ ନିଜର ସମ୍ପର୍କୀୟ ଓ ବନ୍ଧୁ ପରିଜନଙ୍କୁ ମଧ୍ୟ ରାଉରକେଲା ଆସିବାକୁ ସହାୟତା କରୁଛନ୍ତି। ଏହାକୁ ରୋକା ନଗଲେ ସୁନ୍ଦରଗଡ଼ ଜିଲ୍ଲା, ବିଶେଷ କରି ରାଉରକେଲା ଅନୁପ୍ରବେଶକାରୀଙ୍କ ପେଣ୍ଠସ୍ଥଳୀ ପାଲଟିଯିବ, ଏଥିରେ ଦ୍ବିମତ ନାହିଁ।