ମୁମ୍ବାଇ: ସାଧାରଣତଃ ଖବରକାଗଜରେ ମିଳୁଥିବା ବୈବାହିକ ବିଜ୍ଞାପନରେ ଅନେକ ସମୟରେ ଅଜବ ସର୍ତ୍ତ ରଖାଯାଇଥାଏ। ନିକଟରେ ଏକ ଖବରକାଗଜ ବିଜ୍ଞାପନକୁ ନେଇ ଇଣ୍ଟରନେଟ୍ରେ ଗୁଞ୍ଜରଣ ସୃଷ୍ଟି ହୋଇଛି। ଏକ ଖବରକାଗଜରେ ଗୋଟିଏ ପରିବାର ନିଜ ଝିଅର ‘ସ୍ବଳ୍ପ ଅବଧିର ବିବାହ ଲାଗି ବର ଲୋଡ଼ା’ବୋଲି ବିଜ୍ଞାପନ ଦେଇଥିବା ଦେଖିବାକୁ ମିଳିଛି। ପ୍ରଶ୍ନ ଉଠୁଛି, ‘ସ୍ବଳ୍ପ ଅବଧି ବିବାହ’ର ପ୍ରକୃତ ଅର୍ଥ କ’ଣ? ଏହି ମଜାଦାର ବିଜ୍ଞାପନର ଏକ ସ୍ନାପସଟ୍ ଭାଇରାଲ ହେବା ପରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ମଧ୍ୟରେ ହସ ଖେଳିଯାଇଥିଲା।

ତନିଷ୍କା ସୋଧି ନାମକ ଜଣେ ୟୁଜର ଏହି ବିଜ୍ଞାପନର ଏକ ଫଟୋ ‘ଏକ୍ସ’ରେ ସେୟାର କରିଛନ୍ତି। ବିଜ୍ଞାପନରେ ବିସ୍ତୃତ ଭାବେ ଲେଖାଯାଇଛି, ‘ମୁମ୍ବାଇର ଏକ ଧନୀ ପରିବାର ଏକ ସଂକ୍ଷିପ୍ତ ବିବାହ ପାଇଁ ବର ଖୋଜୁଛନ୍ତି। ପାତ୍ରୀ ବ୍ରାହ୍ମଣ, ଛାଡ଼ପତ୍ରପ୍ରାପ୍ତା, ବୁଦ୍ଧିମତୀ, ଶିକ୍ଷିତା, ୧୯୮୯ ମସିହାରେ ଜନ୍ମ ଗ୍ରହଣ କରିଥିଲେ, ଯାହାର ଉଚ୍ଚତା ୫’୭’’। ଯୁବତୀ ଜଣକ ମୁମ୍ବାଇରେ ନିଜର ଆତିଥେୟତା ବ୍ୟବସାୟ ଚଳାଉଛନ୍ତି। ବରପାତ୍ର ଯେଉଁ ଜାତିର ହେଲେ ବି ଚଳିବ। ତନିଷ୍କା ନିଜର ଆଶ୍ଚର୍ଯ୍ୟ ବ୍ୟକ୍ତ କରି କ୍ୟାପ୍ସନରେ ଲେଖିଛନ୍ତି, ‘ସର୍ଟ ମ୍ୟାରେଜ୍ ?????’ ଏହା ଅନ୍ୟମାନଙ୍କୁ ମଧ୍ୟ ସମାନ ଭାବରେ ଆଶ୍ଚର୍ଯ୍ୟ କରିଥିଲା। ସଂକ୍ଷିପ୍ତ ବିବାହ ପାଇଁ ଜଣାଶୁଣା ଧାରାବାହିକ ‘ମେଡ୍ ଇନ୍ ହେଭେନ୍’ରୁ ପ୍ରେରଣା ନେଇ ଜଣେ ୟୁଜର ମଜାଳିଆ ମନ୍ତବ୍ୟ ଦେଇ ଲେଖିଛନ୍ତି, ‘ମେଡ୍ ଇନ୍ ହେଭେନ୍ ଏସ୍ ୩’। ଆଉ ଜଣେ ଲେଖିଛନ୍ତି, ଆମେ ମାତ୍ର ୪ ରାଉଣ୍ଡରେ ବିବାହ ରୀତିନୀତି ଶେଷ କରିବୁ। ତୃତୀୟ ୟୁଜର କହିଛନ୍ତି, ବୋଧହୁଏ ଝିଅର ଉଚ୍ଚତା ୫’୭’’ ହୋଇଥିବାରୁ ଏଭଳି ହୋଇଛି। ଚତୁର୍ଥ ୟୁଜରଙ୍କ ଦ୍ୱାରା ଏକ ଅଧିକ ଯୁକ୍ତିଯୁକ୍ତ ବ୍ୟାଖ୍ୟା ପ୍ରଦାନ କରାଯାଇଥିଲା, ଯେଉଁଥିରେ ଦର୍ଶାଯାଇଥିଲା, ସର୍ଟ ମ୍ୟାରେଜର ଅର୍ଥ ସ୍ବଳ୍ପକାଳୀନ ବିବାହ ହୋଇପାରେ। ସୂଚନାଯୋଗ୍ୟ, ଗତ ଅଗଷ୍ଟରେ ଏହି ସମ୍ବାଦ ସାମ୍ନାକୁ ଆସିଥିଲା। ତେବେ ଏବେ ଏହା ପୁଣି ସାମ୍ନାକୁ ଆସିବା ସହିତ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି।