ନୂଆଦିଲ୍ଲୀ: ଭାରତର ଶେଷ ଏସିଆଡ୍ ସ୍ବର୍ଣ୍ଣ ବିଜୟୀ ଫୁଟ୍ବଲ୍ ଦଳର ସଦସ୍ୟ ଫର୍ତୁନାତୋ ଫ୍ରାଙ୍କୋଙ୍କର ସୋମବାର ୮୪ ବର୍ଷ ବୟସରେ ଦେହାନ୍ତ ଘଟିଛି। ୧୯୬୨ ମସିହାର ଏସିଆଡ୍ ସ୍ବର୍ଣ୍ଣ ବିଜୟୀ ଭାରତୀୟ ଦଳ ସଫଳତା ପଛରେ ଫ୍ରାଙ୍କୋ ମେରୁଦଣ୍ଡ ସଦୃଶ ଥିଲେ। ପତ୍ନୀ, ପୁତ୍ର ଓ କନ୍ୟାକୁ ସେ ଛାଡ଼ିଯାଇଛନ୍ତି। ଷାଠିଏ ଦଶକରେ ସେ ଭାରତର ଅନ୍ୟତମ ଉତ୍କୃଷ୍ଟ ମଧ୍ୟଭାଗ (ହାଫ୍ ବ୍ୟାକ୍) ଭାବେ ପରିଚିତ ଥିଲେ। ଭାରତୀୟ ଫୁଟ୍ବଲ୍ର ସ୍ବର୍ଣ୍ଣିମ ଯୁଗର (୧୯୬୦-୬୪) ସେ ଅନ୍ୟତମ କର୍ଣ୍ଣଧାର ଥିଲେ। ୧୯୬୦ ରୋମ୍ ଅଲିମ୍ପିକ୍ସ ଦଳରେ ସାମିଲ ଥିଲେ ମଧ୍ୟ ମ୍ୟାଚ୍ ଖେଳିବାର ସୁଯୋଗ ପାଇନଥିଲେ। କିନ୍ତୁ ୧୯୬୪ ଜାକର୍ତା ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ବିଜୟୀ ଦଳର ପ୍ରମୁଖ ଖେଳାଳି ରହିଥିଲେ। ୧,୦୦,୦୦୦ ଲୋକଙ୍କ ଉପସ୍ଥିତିରେ ଭାରତ ୨-୧ରେ ଦକ୍ଷିଣ କୋରିଆକୁ ହରାଇ ସ୍ବର୍ଣ୍ଣ ପଦକ ଜିତିଥିଲା।
ପିକେ ବାନାର୍ଜୀ, ଚୁନି ଗୋସ୍ବାମୀ, ତୁଳସୀଦାସ ବଳରାମ ଓ ଜର୍ନେଲ ସିଂହଙ୍କ ଭଳି ମହାନ ଖେଳାଳି ସହ ଖେଳିଥିଲେ ମଧ୍ୟ ଫାଇନାଲର୍ ବିଜୟ ସୂଚକ ଗୋଲଟି ଦେଇଥିବା ଜର୍ନେଲ୍ ସିଂହଙ୍କୁ ସେ ସହାୟତା କରିଥିଲେ। ଭାରତ ପାଇଁ ୨୬ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ଫ୍ରାଙ୍କୋ ୧୯୬୨ ଏସୀୟ କପ୍ ରୌପ୍ୟ ଏବଂ ଦୁଇ ଥର ମେର୍ଡେକା କପ୍ କାଂସ୍ୟ (୧୯୬୪, ୧୯୬୫) ହାସଲ କରିଥିଲେ।
ସର୍ବଭାରତୀୟ ଫୁଟ୍ବଲ୍ ସଂଘ (ଏଆଇଏଫଏଫ୍) ଫ୍ରୋଙ୍କୋଙ୍କ ପାଇଁ ଶୋକ ପ୍ରକାଶ କରିଥିଲେ ମଧ୍ୟ ପରଲୋକର କାରଣ ସ୍ପଷ୍ଟ କରିନାହାନ୍ତି। ଗୋଆର ମୂଳ ଅଧିବାସୀ ହୋଇଥିଲେ ମଧ୍ୟ ମୁମ୍ବାଇରେ ସେ ଟାଟା ଫୁଟ୍ବଲ୍ କ୍ଲବ୍ ପାଇଁ ଶ୍ରେଷ୍ଠ ସମୟ ବିତାଇଥିଲେ। ୧୯୫୯ରୁ ୧୯୬୬ ମସିହା ପର୍ଯ୍ୟନ୍ତ ଲଗାତାର ୮ ବର୍ଷ ସେ ସନ୍ତୋଷ ଟ୍ରଫିରେ ମହାରାଷ୍ଟ୍ର ଦଳର ନେତୃତ୍ବ ନେଇଥିଲେ। ୧୯୬୪ରେ ମହାରାଷ୍ଟ୍ରକୁ ମଧ୍ୟ ବିଜେତା କରିଥିଲେ। ଆଣ୍ଠୁରେ ଆହତ କାରଣରୁ ୩୦ ବର୍ଷ ବୟସ ପୂର୍ବରୁ ସେ ଅବସର ନେଇଥିଲେ। ନ ହେଲେ ୧୯୬୬ ବ୍ୟାଙ୍କକ୍ ଏସିଆଡ୍ରେ ସେ ଭାରତର ନେତୃତ୍ବ ନେଇଥାନ୍ତେ ବୋଲି ଅନେକ ବିଶ୍ବାସ କରନ୍ତି।