ଭୁବନେଶ୍ବର: ଲଗାତାର ନିଅଣ୍ଟିଆ ବର୍ଷା ଜୁଲାଇର ସ୍ଥିତିକୁ ଅଧିକ ସାଂଘାତିକ କଲାଣି। ଗତ ୨୪ ଘଣ୍ଟାରେ ରାଜ୍ୟରେ ସର୍ବମୋଟ ୬.୧ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଏହା ସ୍ବାଭାବିକ ବର୍ଷା ୯.୬ ମିମି ତୁଳନାରେ ୩୭% କମ୍ ରହିଛି। ଏଥିସହ ୧ ଜୁନ୍ରୁ ଆଜି ୧୨ ଜୁଲାଇ ମଧ୍ୟରେ ରାଜ୍ୟରେ ୨୩୮.୮ ମିମି ବର୍ଷା ରେକର୍ଡ ହୋଇଛି, ଯାହାକି ସ୍ବାଭାବିକ ବର୍ଷା ୩୨୩.୬ ମିମି ତୁଳନାରେ ୨୬% କମ୍।
ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତାକାଲି ରାଜ୍ୟର ଅଧିକାଂଶ ସ୍ଥାନ ଯଥା, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଏଣୁ ଏହି ଜିଲ୍ଲା ପାଣି ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିଭଳି ୧୪ ତାରିଖ ଦିନ ବର୍ଷାର ବିସ୍ତୃତି ବଢ଼ିପାରେ। ୧୫ ଓ ୧୬ ତାରିଖରେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଆସନ୍ତାକାଲି ରାଜଧାନୀ ଭୁବନେଶ୍ବରର ପାଗ ଆଂଶିକ ମେଘୁଆ ରହିବ। ବର୍ଷା ମଧ୍ୟ ହୋଇପାରେ। ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୬ ଡିଗ୍ରି ମଧ୍ୟରେ ରହିବ।