ଦାରିଙ୍ଗବାଡି: ସ୍କୁଲ ଚାଉଳ ବିକ୍ରି କରିବାକୁ ଯାଇ ଶିକ୍ଷକ ହେଲେ ହାଟହଟା । ଚାଉଳ ପାଇଁ ଟଙ୍କା ନେଇଗଲେ, ହେଲେ ନା ଦେଉଛନ୍ତି ଚାଉଳ ନା ଗାଡି ଭଡା । ଏପରିକି ଫୋନ ଉଠାଉ ନାହାନ୍ତି କି ଧରାଛୁଆ ମଧ୍ୟ ଦେଉନାହାନ୍ତି । ଯାହାକୁ ନେଇ ଗୁରୁବାର ବୁଡ଼ାଗୁଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଦେଖିବାକୁ ମିଳିଥିଲା ଅପ୍ରିତିକର ପରିସ୍ଥିତି । ଟଙ୍କା ଦେଇଥିବା ବ୍ୟକ୍ତି ଜଣକ ସ୍କୁଲକୁ ଆସି ହଙ୍ଗାମା କରିବା ସହ ଶିକ୍ଷକଙ୍କ ସାର୍ଟ ଚିରି ଗାଳି ଗୁଲଜ କରିବାକୁ ମଧ୍ୟ ପଛାଇନଥିଲେ ।
ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବୁଡ଼ାଗୁଡା ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ । ଶିକ୍ଷକଙ୍କ ସାର୍ଟ କଲର ଧରି ଗାଳି ଗୁଲଜ କରିବା ସହ ମାଡ ମାରିବାକୁ ପଛାଇ ନାହାନ୍ତି ବୋଲେରୋ ଗାଡି ମାଲିକ । ଗାଡି ମାଲିକଙ୍କ କହିବା କହିବା କଥା ହେଲା, ଦୁଇ ମାସ ତଳେ ବୋଲେରୋ ଭଡା କରି ହଷ୍ଟେଲ ପାଇଁ ଚାଉଳ ଆଣିଥିଲେ ସ୍କୁଲର ଶିକ୍ଷକ । ହେଲେ ଆଜି ପର୍ଯ୍ୟନ୍ତ ଗାଡି ଭଡା ଦେଇନଥିବା ବେଳେ ଚାଉଳ ଦେବା ପାଇଁ ସମ୍ପକ୍ତ ବୋଲେରୋ ମାଲିକଙ୍କ ଠାରୁ ଅଗ୍ରୀମ ଟଙ୍କା ନେଇ ମଧ୍ୟ ନେଇଯାଇଥିଲେ । ଟଙ୍କା ନେଇଯିବା ପରେ ଦୁଇ ମାସ ଧରି ଧରାଛୁଆଁ ଦେଉନଥିଲେ ପ୍ରଧାନ ଶିକ୍ଷକ ଯୁଧିଷ୍ଠିର ଦଳାଇ ଏବଂ ସହକାରୀ ଶିକ୍ଷକ ନବକିଶୋର ମାଝୀ । ଯାହାକୁ ନେଇ ଆଜି ସମ୍ପୃକ୍ତ ବୋଲେରୋ ଗାଡି ମାଲିକ ଚାଉଳ ନେବା ପାଇଁ ସ୍କୁଲକୁ ଆସି ହଙ୍ଗାମା କରିଥିଲେ ।