ରାଜ୍ୟ

ସ୍କୁଲ କାନ୍ଥରେ ରହିବ ପିଏମ୍‌ ପୋଷଣ ତଥ୍ୟ: ପ୍ରତି ବିଦ୍ୟାଳୟ ୫ ହଜାର ଟଙ୍କା ଖର୍ଚ୍ଚ କରିବେ

ଭୁବନେଶ୍ବର: ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନଭୋଜନକୁ ନେଇ ବାରମ୍ବାର ଅଭିଯୋଗ ଉଠୁଛି। ପିଲାଙ୍କ ଥାଳିରେ ନିମ୍ନମାନର ସୋୟାବିନ୍ ସାଙ୍ଗକୁ ପାଣିଆ ଡାଲି, ଫାଳେ ଅଣ୍ଡାକୁ ନେଇ ଅସନ୍ତୋଷ ବଢ଼ୁଥିବା ବେଳେ ପିଏମ୍ ପୋଷଣ ସଂପର୍କିତ ତଥ୍ୟକୁ ସ୍କୁଲ୍‌ କାନ୍ଥରେ ଲେଖିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଗୋଟିଏ ପଟେ ମଧ୍ୟାହ୍ନଭୋଜନ ଦର ବୃଦ୍ଧି କରାଯାଉ ନ ଥିବା ବେଳେ ଅନ୍ୟପଟେ କାନ୍ଥରେ ପିଏମ୍ ପୋଷଣ ଲେଖାଯିବା ଦ୍ବାରା ଛାତ୍ରଛାତ୍ରୀ କିଭଳି ଲାଭ ପାଇବେ ତାହାକୁ ନେଇ ପ୍ରଶ୍ନ ଉଠିଛି।

ସୂଚନା ଅନୁଯାୟୀ, ଗଣଶିକ୍ଷା ବିଭାଗର ଅଧିକାରୀମାନେ କିଛି ବର୍ଷ ହେଲା ସ୍କୁଲ ପରିଦର୍ଶନ ସମୟରେ ମଧ୍ୟାହ୍ନଭୋଜନ ସମ୍ପର୍କିତ ତଥ୍ୟ କ୍ୟାମ୍ପସରେ ଲିଭି ଯାଇଥିବା ଦେଖିବାକୁ ପାଉଛନ୍ତି। କେଉଁଠି ବ୍ୟାନର ଚିରି ଯାଇଛି ତ ଆଉ କେଉଁଠି ଲିଭି ଯାଇଥିବା ନଜରକୁ ଆସିବା ପରେ ବିଦ୍ୟାଳୟ କାନ୍ଥରେ ମଧ୍ୟାହ୍ନଭୋଜନ ତଥ୍ୟ ସମେତ ହେଲ୍‌ପ ଲାଇନ୍‌ ନମ୍ବର ସ୍ପଷ୍ଟ ଭାବେ ଲେଖିବାକୁ କୁହାଯାଇଛି। ଏ ବାବଦରେ ପ୍ରତି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ୫ ହଜାର ଟଙ୍କା ଲେଖାଏ ମଞ୍ଜୁର ହୋଇଛି। ସ୍କୁଲ କାନ୍ଥରେ ମଧ୍ୟାହ୍ନ ଭୋଜନ ଲୋଗୋ ସହ ୬ ଦିନର ଖାଇବା ତାଲିକା, ଛାତ୍ରଛାତ୍ରୀଙ୍କ ଅଧିକାର, ହେଲ୍ପ ଲାଇନ ନମ୍ବର(୧୮୦୦୩୪୫୬୭୨୨) ଆଦି ପେଣ୍ଟିଂ କରାଯିବ। ୫ଟି ନିୟମ ଯଥା ନିରାପଦ, ସ୍ବଚ୍ଛ ଓ ସ୍ବାସ୍ଥ୍ୟକର ପରିବେଶ, ପୁଷ୍ଟିକର ଭୋଜନ ରନ୍ଧନ ଓ ପରିବେଷଣ, ଖାଇବା ପୂର୍ବରୁ ଓ ପରେ ହାତ ଧୋଇବା, ଲିଙ୍ଗଗତ, ସାମାଜିକ ବାଛବିଚାର ଦୂରୀକରଣ, ନିରାପଦ ପାନୀୟ ଜଳ ବ୍ୟବସ୍ଥା ବିଷୟରେ ମଧ୍ୟ ଉଲ୍ଲେଖ ରହିବ। କେଉଁ ‌ଶ୍ରେଣୀର ଛାତ୍ରଛାତ୍ରୀ କେତେ କ୍ୟାଲୋରି ଓ ପୁଷ୍ଟିକର ଖାଦ୍ୟ ଗ୍ରହଣ କରିବେ ସେସମ୍ପର୍କରେ ମଧ୍ୟ ଲେଖାଯିବ। ଏଥିସହ ନିକଟତମ ଡାକ୍ତରଖାନା, ଆମ୍ବୁଲାନ୍ସ, ଦମକଳ କେନ୍ଦ୍ର, ପୁଲିସ ଷ୍ଟେସନ ନମ୍ବର ଲେଖିବାକୁ କୁହାଯାଇଛି।

ତେବେ ବିଡ଼ମ୍ବନାର ବିଷୟ ହେଉଛି ଯେ ମଧ୍ୟାହ୍ନଭୋଜନ ବାବଦରେ ପ୍ରାଥମିକ ସ୍କୁଲ ପିଲାଙ୍କ ପିଛା ମାତ୍ର ୫ ଟଙ୍କା ୯୦ ପଇସା ଓ ଉଚ୍ଚ ପ୍ରାଥମିକ ପିଲାଙ୍କୁ ୮ ଟଙ୍କା ୮୨ ପଇସା ଖର୍ଚ୍ଚ କରାଯାଉଛି। ଅଣ୍ଡା ଗୋଟ‌ାକୁ ୭ରୁ ୮ ଟଙ୍କା, ଡାଲି କେଜି ୧୫୦ରୁ ୨୦୦ ଟଙ୍କା ମଧ୍ୟରେ ରହିଥିବା ବେଳେ ଏତେ ଅଳ୍ପ ଟଙ୍କାରେ କେଉଁ ପ୍ରକାର ପୋଷଣ ଦେବା ସମ୍ଭବ ତାହା ଜଳଜଳ ହୋଇ ଦିଶୁଛି। ଏନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ରାଜ୍ୟ କିମ୍ବା କେନ୍ଦ୍ର ସରକାର କେହି ଦୃଷ୍ଟି ଦେଉନାହାନ୍ତି। କାନ୍ଥରେ ଖାଇବା ତାଲିକା ଲେଖି ଦେଲେ ଯେ ପିଲା ଭଲ ଖାଦ୍ୟ ଖାଇବେ, ଏଭଳି ଚିନ୍ତା କରିବା ଦୁଭାର୍ଗ୍ୟଜନକ ବୋଲି ଶିକ୍ଷାବିତ୍‌ମାନେ ମତପ୍ରକାଶ କରିଛନ୍ତି। ତେବେ ସର୍ବସାଧାରଣରେ ଦେଖିପାରିବା ଭଳି ସ୍କୁଲ କାନ୍ଥରେ ପିଏମ୍ ପୋଷଣ ସଂପର୍କିତ ତଥ୍ୟ ଲେଖିବାକୁ ପ୍ରଧାନଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ନିର୍ଦ୍ଦେଶ ଦେବାକୁ ପିଏମ୍‌ ପୋଷଣ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ରାଜ୍ୟର ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ଚିଠି ଲେଖି ଜଣାଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।