ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର ବିଣାପଦା ଦାସସାହି ପ୍ରାଥମିକ ବିଦ୍ୟାଳୟର କବାଟ ତାଡ଼ି ଚାଉଳ ନେଇଗଲେ ଚୋର । ପ୍ରାୟ ୭ କ୍ୱିଣ୍ଟାଲ ଚାଉଳ ସହ ରୋଷେଇ ସାମଗ୍ରୀ ଓ ଚେୟାର ଚୋରି ନେଇଯାଇଥିବା ଜଣାପଡ଼ିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଗ୍ରାମାଞ୍ଚଳରେ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବା ଦିଗରେ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ସେଥିମଧ୍ୟରୁ ସ୍କୁଲ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଯୋଜନା ଅନ୍ୟତମ । କିନ୍ତୁ କିଛି ଲୋଭି ବ୍ୟକ୍ତି ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଆସୁଥିବା ଚାଉଳ ଓ ରୋଷେଇ ସାମଗ୍ରୀ ଉପରେ ଆଖି ପକାଇବାକୁ ପଛାଉ ନାହାଁନ୍ତି ।
ପିଲାଙ୍କ ଥାଳିରୁ ନେଇଗଲେ ଭାତ:
ବାସୁଦେବପୁର ବିଣାପଦା ଦାସସାହି ପ୍ରାଥମିକ ବିଦ୍ୟାଳୟରେ କିଛି ଚୋର କବାଟ ତାଡ଼ି ପ୍ରାୟ ୭ କ୍ୱିଣ୍ଟାଲ ଚାଉଳ ସହ ଅନ୍ୟାନ୍ୟ ରୋଷେଇ ସାମଗ୍ରୀ ଚୋରି କରିଛନ୍ତି । ଏହା ସହ ଚୋର ସ୍କୁଲର କିଛି ଚେୟାର ମଧ୍ୟ ନେଇଥିବା ଜଣାପଡ଼ିଛି । ଚୋରମାନେ ଭାବିଲେନି ଯେ ଏହି ଚାଉଳରେ କୁନି କୁନି ପିଲାଙ୍କ ପେଟ ପୁରିଥାନ୍ତା ।
ତେବେ ଏଭଳି ଏକ ଘଟଣାକୁ ନେଇ ଗ୍ରାମବାସୀ ଅସନ୍ତୁଷ୍ଟ ଥିବା ପ୍ରକାଶ । ସ୍ଥାନୀୟ ପ୍ରଶାସନ ଏଭଳି ଘଟଣାକୁ ନେଇ କିଭଳି ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ରହିଲା ।