ରାଜ୍ୟ ସ୍ପେଶାଲ ରିପୋର୍ଟ

‘ସେବା ଏକ୍ସପ୍ରେସ୍‌’ର ଯାନ୍ତ୍ରିକ ତ୍ରୁଟି; ନୟାଗଡ଼ ଷ୍ଟେସନରେ ପୁଣି ଅଟକିଲା ୨ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ, ଯାତ୍ରୀ ହନ୍ତସନ୍ତ

ନୟାଗଡ଼: ‘ସେବା ଏକ୍ସପ୍ରେସ୍‌’ ନାମରେ ନୟାଗଡ଼ରୁ ଭୁବନେଶ୍ବର ଚାଲୁଥିବା ମେମୁ ଟ୍ରେନ୍‌ ପୁଣି ଅଟକିଛି। ପୂର୍ବରୁ ଜଙ୍ଗଲ ଭି‌ତରେ ଏହି ଟ୍ରେନ୍‌ ଅଟକିଥିବା ବେଳେ ଆଜି ନୟାଗଡ଼ ଷ୍ଟେସନରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଷ୍ଟାର୍ଟ ହୋଇପାରି ନଥିଲା। ସକାଳ ୬ଟା ୪୫ରେ ଟ୍ରେନ୍ ଛାଡ଼ିବା ପାଇଁ ନିର୍ଦ୍ଧାରିତ ଥିଲା କିନ୍ତୁ ଯାନ୍ତ୍ରିକ ତ୍ରୁଟି କାରଣରୁ ଠିକ୍‌ ସମୟରେ ଟ୍ରେନ୍‌ଟି ଭୁବନେଶ୍ବର ଅଭିମୁଖେ ଗଡ଼ିପାରି ନଥିଲା। ପ୍ରାୟ ୨ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଷ୍ଟେସନରେ ଅଚଳ ଅବସ୍ଥାରେ ରହିବା ପରେ ଟ୍ରେନ୍‌ଟି ସକାଳ ୯ଟାରେ ଭୁବନେଶ୍ବର ଅଭିମୁଖେ ଗଡ଼ିଥିଲା। ତେବେ ଦୀର୍ଘ ସମୟ ଧରି ଟ୍ରେନ୍ ଷ୍ଟାର୍ଟ ହୋଇ ନଥବାରୁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହି ଘଟଣାକୁ ନେଇ ଷ୍ଟେସନ ମାଷ୍ଟରଙ୍କୁ ଲୋକେ ଘେରି ପାଟିତୁଣ୍ଡ କରିଥିଲେ। ରେଳ ଷ୍ଟେସନରେ ଉତ୍ତେଜନା ଦେଖା ଦେଇଥିଲା । ଟିକେଟ କ୍ୟାନସେଲେସନ ପାଇଁ ଷ୍ଟେସନ ମାଷ୍ଟର ରାଜି ହୋଇ ନଥିଲେ।

ନୟାଗଡ଼ ଭୁବନେଶ୍ୱର ମଧ୍ୟରେ ଚଳାଚଳ କରୁଥିବା ଏହି ଏକମାତ୍ର ମେମୁ ଟ୍ରେନଟି ବାରମ୍ବାର ଅଚଳ ହେଉଥିବା ବେଳେ ଏହି ଟ୍ରେନକୁ ବଦଳାଇ ପୂର୍ବରୁ ନୟାଗଡ଼ ଭୁବନେଶ୍ୱର ମଧ୍ୟରେ ଚାଲୁଥିବା ମେମୁ ଟ୍ରେନକୁ ପୁନର୍ବାର ଏଠାରୁ ଚଳାଇବାକୁ ବିଗତ ଦିନରେ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ରେଳ ବିଭାଗ ନିକଟରେ ଦୃଢ଼ ଦାବି କରାଯାଇଥିଲା। ସେବା ଏକ୍ସପ୍ରେସ ଟ୍ରେନ (ନଂ-୧୮୪୨୩/୧୮୪୨୪) ନାମରେ ନୟାଗଡ଼ ଟାଉନ-ଭୁବନେଶ୍ୱର ଏବଂ ନୂଆଗାଁ ରୋଡ଼-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ (ନଂ-୦୮୪୨୩/୦୮୪୨୪) ନାମରେ ଚଳାଚଳ କରୁଥିବା ଏହି ମେମୁ ଟ୍ରେନର ଇଞ୍ଜିନ ବାରମ୍ବାର ଅଚଳ ହେଉଛି । ଫଳରେ ନିର୍ଦ୍ଧାରିତ ସମୟର ବହୁ ବିଳମ୍ବରେ ଚାଲୁଥିବା ଏହି ଟ୍ରେନ ଉପରେ ନିର୍ଭର କରୁଥିବା ଯାତ୍ରୀମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି।  

ସୂଚନାଯୋଗ୍ୟ, ଗତ ୧ ତାରିଖ ଦିନ ନୂଆଗାଁ ରୋଡ଼ରୁ ଭୁବନେଶ୍ୱର ଯାଉଥିବା ମେମୁ ଟ୍ରେନଟି ନୂଆଗାଁ ଜଙ୍ଗଲ ମଧ୍ୟରେ ଅଚଳ ହୋଇ ଯାଇଥିଲା। ନୂଆଗାଁ ରୋଡ଼ରୁ ଅପରାହ୍ନ ୪:୧୫ରେ ଏହି ଟ୍ରେନ ଛାଡ଼ିବାର କିଛି କିଲୋମିଟର ଦୂର ତଥା ମହୀପୁର ଷ୍ଟେସନ ପହଞ୍ଚିବା ପୂର୍ବରୁ ନୂଆଗାଁ ଜଙ୍ଗଲ ମଧ୍ୟରେ ଏହାର ଇଞ୍ଜିନ ଅଚଳ ହୋଇଯାଇଥିଲା। ଏହାର ଲୋକ ପାଇଲଟ ଟ୍ରେନ ନିର୍ମାଣ କରିଥିବା କମ୍ପାନି ସହିତ ଯୋଗାଯୋଗ କରି ଟ୍ରେନ ମରାମତି କରିବା ପରେ ଟ୍ରେନଟି ପ୍ରାୟ ଅଧଘଣ୍ଟା ବିଳମ୍ବରେ ଛାଡ଼ିଥିଲା । ଫଳରେ ଏଥିରେ ଭୁବନେଶ୍ୱର ଯିବା ପାଇଁ ବସିଥିବା ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।