କୋଲକାତା ୩୦/୦୧ : ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟାବସ୍ଥା ଧିରେ ଧିରେ ସୁଧୁରୁଛି । ବର୍ତ୍ତମାନ ତାଙ୍କୁ ହସ୍ପିଟାଲର ପ୍ରାଇଭେଟ୍ ଓ୍ବାର୍ଡକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଏ ନେଇ ସୂଚନା ଦେଇଛନ୍ତି ଚିକିତ୍ସା କରୁଥିବା ଡାକ୍ତର ।
ସୌରଭ ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ପୁଣି ଥରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ଦିନେ ପୂର୍ବରୁ ତାଙ୍କର ପୁଣିଥରେ ଏନ୍ଜିଓପ୍ଲାଷ୍ଟି ହୋଇଥିଲା । ହାର୍ଟରେ ବ୍ଳକେଜ୍ ଥିବାରୁ ତାଙ୍କୁ ନିଃଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ହୋଇଥିଲା । ତେବେ ଗାଙ୍ଗୁଲିଙ୍କୁ ଦ୍ବିତୀୟ ଥର ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ଗାଙ୍ଗୁଲିଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମର ବରିଷ୍ଠ ଅଧିକାରୀ କହିଛନ୍ତି, ସୌରଭ ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି । ଗୁରୁବାର ରାତିରେ ତାଙ୍କୁ ଭଲ ନିଦ ହୋଇଥିଲା । ତାଙ୍କର ବର୍ତ୍ତମାନ କୌଣସି ଅସୁବିଧା ନାହିଁ । ଗାଙ୍ଗୁଲିଙ୍କୁ ସିସିୟୁରୁ ପ୍ରାଇଭେଟ୍ ଓ୍ବାଡ୍କୁ ସ୍ଥାନାନ୍ତର କରାଯାଇ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି ।
ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ଦେବୀ ସେଟ୍ଟି, ଡାକ୍ତର ଅଶ୍ବିନ ମେହେଟ୍ଟାଙ୍କ ସମେତ ଡାକ୍ତରଙ୍କ ଏକ ଟିମ୍ ଗୁରୁବାର ଗାଙ୍ଗୁଲିଙ୍କର ହାର୍ଟ ଏନଜିଓପ୍ଲାଷ୍ଟି କରିଥିଲେ । ଏହା ପରେ ତାଙ୍କୁ ଆଇସିୟୁରେ ରଖାଯାଇଥିଲା । ଗତ ବୁଧବାର ଦିନ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ଏହା ପୂର୍ବରୁ ମଧ୍ୟ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କୋଲକାତାର ଉଡଲାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସଫଳତାର ସହ ତାଙ୍କର ଏନଜିଓପ୍ଲାଷ୍ଟି କରାଯାଇଥିଲା ଏବଂ ସେ ସମ୍ପୂର୍ଣ୍ଣ ସୁସ୍ଥ ମଧ୍ୟ ଥିଲେ । ତେବେ ଗତ ବୁଧବାର ପୁଣି ଥରେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ହସ୍ପିଟାଲ ଯିବାକୁ ପଡିଥିଲା । ସେଠାରେ ପୁଣି ଥରେ ତାଙ୍କର ଏନଜିଓପ୍ଲାଷ୍ଟି କରାଯାଇଥିଲା । ଏବେ ଗାଙ୍ଗୁଲି ସୁସ୍ଥ ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।