ରାଜ୍ୟ

‘ସୁଭଦ୍ରା’ ପାଇଁ ଜାରି ହେଲା ନିର୍ଦ୍ଦେଶାବଳୀ: ଜାଲିଆତି କଲେ କାର୍ଯ୍ୟାନୁଷ୍ଠାନ

ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ‘ସୁଭଦ୍ରା’ ଯୋଜନାର ନିର୍ଦ୍ଦେଶାବଳୀ ଜାରି ହୋଇଛି। ୨୧ରୁ ଅଧିକ ୬୦ବର୍ଷରୁ କମ୍ ବୟସ୍କ ମହିଳା ‘ସୁଭଦ୍ରା’ ଯୋଜନା ପାଇଁ ଆବେଦନ କରିପାରିବେ।

ଭୁବନେଶ୍ବର: ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ‘ସୁଭଦ୍ରା’ ଯୋଜନାର ନିର୍ଦ୍ଦେଶାବଳୀ ଜାରି ହୋଇଛି। ୨୧ରୁ ଅଧିକ ୬୦ବର୍ଷରୁ କମ୍ ବୟସ୍କ ମହିଳା ‘ସୁଭଦ୍ରା’ ଯୋଜନା ପାଇଁ ଆବେଦନ କରିପାରିବେ। ଆବେଦନକାରୀଙ୍କର ଯୋଗ୍ୟତାର ମାନଦଣ୍ଡ ସରକାର ସ୍ଥିର କରିଥିବା ବେଳେ ଏଥିରେ ଠକିବାକୁ କେହି ଉଦ୍ୟମ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ହିତାଧିକାରୀ ଆବେଦନ ସମୟରେ ଠିକ୍ ଓ ନିର୍ଭୁଲ ସୂଚନା ପ୍ରଦାନ କରିବା ଜରୁରି। ଯଦି କୌଣସି ସମୟରେ ହିତାଧିକାରୀ ଅଯୋଗ୍ୟ ପ୍ରମାଣିତ ହୁଅନ୍ତି ତାହେଲେ ଅର୍ଥ ପ୍ରଦାନ ତ ବନ୍ଦ କରାଯିବ। ତାହା ସହ ଦିଆଯାଇଥିବା ଅର୍ଥକୁ ଫେରାଇ ଅଣାଯିବ ଏବଂ ଠକେଇ ପାଇଁ ଆଇନଗତ ଓ ପ୍ରାଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ସରକାରଙ୍କ ଦ୍ବାରା ଜାରି ନିର୍ଦ୍ଦେଶାବଳୀରେ କୁହାଯାଇଛି, ‘ସୁଭଦ୍ରା’ ହିତାଧିକାରୀଙ୍କ ଆକାଉଣ୍ଟ୍‌ରେ ଡିବିଟି ଜରିଆରେ ଏହି ଅର୍ଥ ଜମା କରାଯିବ। ଏଥିପାଇଁ ଆବେଦନକାରୀ ଓଡ଼ିଶାର ବାସିନ୍ଦା ହୋଇଥିବା ଆବଶ୍ୟକ। ଆଧାର କାର୍ଡରେ ଲିପିବଦ୍ଧ ହୋଇଥିବା ଜନ୍ମ ତାରିଖକୁ ତାଙ୍କ ବୟସ ଗଣନା ପାଇଁ ଶେଷ ତାରିଖ ଭାବେ ଗ୍ରହଣ କରାଯିବ। ୨୦୨୪-୨୫  ଆର୍ଥିକ ପାଇଁ ଚଳିତବର୍ଷ ଜୁଲାଇ ୧ ତାରିଖ ସୁଦ୍ଧା ମହିଳାଙ୍କ ବୟସ ୨୧ବର୍ଷ କିମ୍ବା ତା’ଠାରୁ ଅଧିକ ଓ ୬୦ବର୍ଷରୁ କମ୍ ହେବା ଆବଶ୍ୟକ। ସେହିପରି ଆବେଦନକାରୀଙ୍କ ଜନ୍ମ ତାରିଖ ୧୯୬୪ ମସିହା ଜୁଲାଇ ୨ ପୂର୍ବରୁ କିମ୍ବା ୨୦୦୩ ଜୁଲାଇ ୧ ତାରିଖ ପରେ ହେବା ଉଚିତ ନୁହେଁ। ପରବର୍ତ୍ତୀ ବର୍ଷଗୁଡ଼ିକ ପାଇଁ ଯୋଗ୍ୟତା ତାରିଖ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ହେବ। 

ଗ୍ରହଣୀୟ ହେବ ଆଧାର କାର୍ଡରେ ଥିବା ଜନ୍ମ ତାରିଖ
ସ୍ବଇଚ୍ଛାରେ ଯୋଜନାରୁ ବାହାରିବା ପାଇଁ ମିଳିବ ସୁଯୋଗ
ଅଯୋଗ୍ୟ ପ୍ରମାଣିତ ହେଲେ ହିତାଧିକାରୀଙ୍କଠୁ ଆଦାୟ ହେବ ଅର୍ଥ
ଆବେଦନକାରୀଙ୍କୁ ବିଭ୍ରାନ୍ତ, ଠକେଇ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ

‘ସୁଭଦ୍ରା’ ଯୋଜନା ପାଇଁ କେଉଁମାନେ ଯୋଗ୍ୟ ହେବେ ନାହିଁ, ସେ ସଂପର୍କରେ ଉଲ୍ଲେଖ କରାଯାଇଛି। କୌଣସି ମହିଳା ମାସକୁ ୧୫ଶହ କିମ୍ବା ତା’ଠାରୁ ଅଧିକ କିମ୍ବା ବାର୍ଷିକ ୧୮ହଜାର ଟଙ୍କା ତା’ଠାରୁ ଅଧିକ କୌଣସି ରାଜ୍ୟ କିମ୍ବା କେନ୍ଦ୍ର ସରକାରୀ ଯୋଜନା ଯଥା ପେନ୍‌ସନ, ଛାତ୍ରବୃତ୍ତି ଇତ୍ୟାଦି ସହାୟତା ଗ୍ରହଣ କରୁଛନ୍ତି ସେମାନେ ଯୋଗ୍ୟ ବିବେଚିତ ହେବେ ନାହିଁ। ଏହାସହ ବର୍ତ୍ତମାନର କିମ୍ବା ପୂର୍ବତନ ସାଂସଦ କିମ୍ବା ବିଧାନସଭାର ସଦସ୍ୟ ହୋଇଥିଲେ, ଆୟକର ଦେୟ ହିତାଧିକାରୀ, କୌଣସି ସହରାଞ୍ଚଳ ସ୍ବାୟତ୍ତ ଶାସନ ସଂସ୍ଥା କିମ୍ବା ପଞ୍ଚାୟତିରାଜ ଅନୁଷ୍ଠାନରେ ନିର୍ବାଚିତ ଜନ ପ୍ରତିନିଧି, କେନ୍ଦ୍ର ବା ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଯେ କୌଣସି ଅଣ୍ଡରଟେକିଂ-ବୋର୍ଡ-ସ୍ଥାନୀୟ ସଂସ୍ଥା-ସଂଗଠନ-ନିୟମିତ-ସ୍ଥାୟୀ-ଚୁକ୍ତିଭିତ୍ତିକ କର୍ମଚାରୀଭାବେ ନିଯୁକ୍ତ କିମ୍ବା ଅବସର ପରେ ପେନସନ ଗ୍ରହଣ କରୁଥିଲେ ସେମାନେ ଆବେଦନ କରିପାରିବେ ନାହିଁ। ଆବେଦନକାରୀଙ୍କ ପରିବାର ଜଳସେଚିତ ଜମିର ପରିମାଣ ୫ ଏକରରୁ ଅଧିକ ଓ ଅଣଜଳସେଚିତ ଜମିର ପରିମାଣ ୧୦ ଏକରରୁ ଅଧିକ, ଟ୍ରାକ୍ଟର, ମିନି ଟ୍ରକ୍, ‌ଛୋଟ ବାଣିଜ୍ୟିକ ଯାନ ଓ ଅନ୍ୟ ସମାନ ହାଲୁକା ସାମଗ୍ରୀ ଯାନ ବ୍ୟତୀତ ୪ ଚକିଆ ମୋଟର ଯାନର ମାଲିକ ହୋଇଥିଲେ ଅଯୋଗ୍ୟ ବିବେଚିତ ହେବେ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ-ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ କାର୍ଡରୁ ବଞ୍ଚିତ ଥିବା ପରିବାରର ଜଣେ ମହିଳା ଏହି ଯୋଜନା ପାଇଁ ଆବେଦନ କରିପାରିବେ। ‌ସେମାନଙ୍କ ପରିବାରର ଆୟ ୨.୫ଲକ୍ଷରୁ ଅଧିକ ରହିଥିବା ଆବଶ୍ୟକ।  ‘ସୁଭଦ୍ରା’ ପାଇଁ ଅଫ୍‌ଲାଇନ୍‌ ଓ ପୋର୍ଟାଲ ମାଧ୍ୟମରେ ଆବେଦନ ହୋଇପାରିବ। ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ୍, ମୋ ସେବା କେନ୍ଦ୍ର, ସାଧାରଣ ସେବା କେନ୍ଦ୍ର ଇତ୍ୟାଦିରେ ପର୍ଯ୍ୟାପ୍ତ ମୁଦ୍ରିତ ଆବେଦନ ଫର୍ମ ମାଗଣାରେ ମିଳିବ। ସଂଗୃହୀତ ଆବେଦନକୁ ସରକାରଙ୍କ ପାଖରେ ଥିବା ଉପଲବ୍ଧ ଡାଟ‌ାବେସ ସହ ଯାଞ୍ଚ କରାଯିବ। ଆବଶ୍ୟକ ସ୍ଥଳେ ଅନୁସନ୍ଧାନ ମାଧ୍ୟମରେ ଯାଞ୍ଚ ହେବ। ‌ଆବେଦନକାରୀଙ୍କ ନିଜ ନାମରେ ଆଧାର କାର୍ଡ-ଆଧାର ନମ୍ବର ରହିବା ଆବଶ୍ୟକ। ସେମାନେ ନିଶ୍ଚିତ ଭାବେ ସେମାନଙ୍କ ମୋବାଇଲ ନମ୍ବରକୁ ଆଧାର କାର୍ଡ ସହିତ ଲିଙ୍କ କରିଥିବେ। 

ଯଦି ହିତାଧିକାରୀ ଦୁର୍ଘଟଣାରେ ପ୍ରାଣ ହରାନ୍ତି ତାହେଲେ ଅନୁମୋଦିତ ସହାୟତା ବାତିଲ କରାଯିବ। ମୃତ ବ୍ୟକ୍ତିଙ୍କ ନାମରେ ଦିଆଯାଉଥିବା ଲାଭ ଦାବି କରାଯାଇପାରିବ ନାହିଁ। ସରକାରୀ ଚାକିରିରେ ନିଯୁକ୍ତି କିମ୍ବା ଘରର ଆର୍ଥିକ ସ୍ଥିତିରେ ଉନ୍ନତି ଆସିଲେ ହିତାଧିକାରୀଙ୍କୁ ନିଜକୁ ଏଥିରୁ ବାଦ୍ ଦେଇପାରିବେ। ଏହି ଯୋଜନାକୁ ତଦାରଖ କରିବା ପାଇଁ ରାଜ୍ୟ ସ୍ତରରେ ଏକ ରାଜ୍ୟସ୍ତରୀୟ ପରିଚାଳନା ଓ ତଦାରଖ କମିଟି ଗଠନ କରାଯିବ। ଜିଲ୍ଲାସ୍ତରରେ ଜିଲ୍ଲାସ୍ତରୀୟ ତଦାରଖ କମିଟି ଗଠନ କରାଯାଇ ଯୋଜନାର ସମଗ୍ର ତଦାରଖ ଓ କାର୍ଯ୍ୟକାରିତା ପାଇଁ ଦାୟୀ ରହିବେ। ସେହିପରି ବ୍ଲକ୍‌ସ୍ତରରେ ବ୍ଲକ୍‌ସ୍ତରୀୟ ଯାଞ୍ଚ କମିଟି, ସହରାଞ୍ଚଳରେ ନଗର ନିଗମ ଓ ସହରାଞ୍ଚଳ ସ୍ତରୀୟ ଯାଞ୍ଚ କମିଟି ଗଠିତ ହେବ। ରାଜ୍ୟ ମହିଳା ଓ ଶିଶୁ ବିକାଶ ପକ୍ଷରୁ ଏକ ସୁଭଦ୍ରା ସମିତି ଗଠନ ହେବା ସହ ସାମୂହିକ କାର୍ଯ୍ୟକାରିତା ଓ ନିରୀକ୍ଷଣ ମୂଲ୍ୟାୟନ ପାଇଁ ସୋସାଇଟିକୁ ଦାୟିତ୍ବ ଦିଆଯିବ। ତୃତୀୟ ପକ୍ଷ ସଂସ୍ଥା ମାଧ୍ୟମରେ ବିଭାଗ ଏହି ଯୋଜନାର ନିୟମିତ ମୂଲ୍ୟାଙ୍କନ କରିବା ଓ ଖ୍ୟାତିସଂପନ୍ନ ବିଶ୍ବବିଦ୍ୟାଳୟ-ଅନୁସନ୍ଧାନ ପ୍ରତିଷ୍ଠାନ-ସଂଗଠନ ଏହି ଯୋଜନାର କାର୍ଯ୍ୟକାରିତା ଉପରେ ଏକକାଳୀନ ମୂଲ୍ୟାଙ୍କନ କିମ୍ବା ଅଧ୍ୟୟନ ପାଇଁ ନିୟୋଜିତ କରାଯିବ। ଆବେଦନକାରୀଙ୍କୁ ବିଭ୍ରାନ୍ତ କରିବା କିମ୍ବା କୌଣସି ସଂସ୍ଥା କିମ୍ବା ବ୍ୟକ୍ତି ବିଶେଷଙ୍କ ଦ୍ବାରା ଠକେଇ ପ୍ରୟାସକୁ ଗମ୍ଭୀରତାର ସହ ବିଚାର କରାଯାଇ ନିୟମ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।