ପୁରୀ: ଶ୍ରୀମନ୍ଦିର ଭିତରେ ଆଦାୟ ହୋଇପାରିବନି ଦାନଦକ୍ଷିଣା। ତିନିବର୍ଷ ତଳେ ଏହି ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ। ଏହି ଆଦେଶର ଅନୁପାଳନ ପାଇଁ ବି ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ତଥାପି ବଦଳିନି ସ୍ଥିତି। ଏବେ ବି ଖୋଲାଖୋଲି ଶ୍ରୀମନ୍ଦିର ବାହାରେ ଓ ଭିତରେ ଦାନଦକ୍ଷିଣା ଆଦାୟ ହେଉଛି। ଅରୁଣସ୍ତମ୍ଭରୁ ଗରୁଡ଼ସ୍ତମ୍ଭ, ସବୁଠି ଏକାଧିକ ଥାଳି ପଡ଼ୁଛି। ବେତମାଡ଼ କରି ଦାନଦକ୍ଷିଣା ଆଦାୟ ହେଉଛି। ଯାହା ଭକ୍ତଙ୍କ ମନରେ ଅସନ୍ତୋଷ ଭରିବା ସହ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶକୁ ଖୋଲା ଉଲ୍ଲଂଘନ କରୁଛି।
ଭକ୍ତଙ୍କଠାରୁ ଜୋର ଜବରଦସ୍ତ ଦାନଦକ୍ଷିଣା ଆଦାୟ ନେଇ ଅସନ୍ତୋଷ ପରେ ୨୦୧୮ ମସିହାରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଏଥିରେ ରୋକ୍ ଲଗାଇଥିଲେ। ଶ୍ରୀମନ୍ଦିରରେ ଭକ୍ତଙ୍କଠାରୁ କେହି ବି ଦାନଦକ୍ଷିଣା ଆଦାୟ କରିପାରିବେନି ବୋଲି ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀମନ୍ଦିର ପ୍ରଶାସନକୁ ଭର୍ତ୍ସନା କରିବା ସହ ଦାନଦକ୍ଷିଣା ଆଦାୟ ବନ୍ଦ କରିବାକୁ ଆଦେଶ ଦେଇଥିଲେ। ଏହାପରେ ତତ୍ପର ହୋଇ ଉଠିଥିଲା ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ଭିତରେ ଓ ବାହାରେ ଦାନଦକ୍ଷିଣା ଆଦାୟ ନ କରିବାକୁ ନିର୍ଦ୍ଦେଶନାମା ଜାରି କରିଥିଲା। ତତ୍କାଳୀନ ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା ବି ବାରମ୍ବାର ବୈଠକ ଡାକି ଶ୍ରୀମନ୍ଦିରରୁ ଥାଳି, ଗରା ହଟାଇବାକୁ ନିଷ୍ପତ୍ତି ନେଇଥିଲେ। ଯିଏ ବି ଦାନଦକ୍ଷିଣା ନେବା ବେଳେ ଧରାପଡ଼ିବ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଥିଲା। ଦାନଦକ୍ଷିଣା ବନ୍ଦ ପରେ ପାଳିଆ ପୁରସ୍କାର ବୃଦ୍ଧିଠାରୁ ଆରମ୍ଭ କରି ଅନ୍ୟାନ୍ୟ ବ୍ୟବସ୍ଥା ବି ସେବାୟତଙ୍କ ପାଇଁ କରାଗଲା। ଏଥିପାଇଁ ବାର୍ଷିକ କୋଟି କୋଟି ଟଙ୍କା ଶ୍ରୀମନ୍ଦିର ପ୍ରଶାସନ ରାଜସ୍ବ ଗଣୁଛି। କିନ୍ତୁ ବର୍ଷ ଗଡ଼ିବା ସହ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ଆଦେଶକୁ ସତେ ଯେପରି ଭୁଲିଯାଇଛି ଶ୍ରୀମନ୍ଦିର ପ୍ରଶାସନ। ଆଉ ଆଗଭଳି କଟକଣା ନାହିଁ କି କାର୍ଯ୍ୟାନୁଷ୍ଠାନ ନାହିଁ। ଯେଉଁଥିପାଇଁ ଖୋଲାଖୋଲି ଭକ୍ତଙ୍କଠାରୁ ଦାନଦକ୍ଷିଣା ଆଦାୟ ହେଉଛି। ସିଂହଦ୍ବାର ପ୍ରବେଶ ପଥରେ ଅରୁଣସ୍ତମ୍ଭ ଚାରିପଟେ ଏକାଧିକ ଥାଳି ଦାନଦକ୍ଷିଣା ପାଇଁ ପକାଯାଉଛି। ସାତପାହାଚ ଦେଇ ପ୍ରବେଶ ବେଳେ ସେବାୟତମାନେ ବେତ ଧରି ଭକ୍ତଙ୍କଠାରୁ ଟଙ୍କା ଆଦାୟ କରୁଛନ୍ତି। ସେହିଭଳି ଗରୁଡ଼ସ୍ତମ୍ଭ ପାଖରେ ବି ଦାନଦକ୍ଷିଣା ପାଇଁ ଥାଳି ପଡ଼ୁଛି।
ସୂଚନାନୁସାରେ, ଭିତରକାଠ ଦର୍ଶନ ହେଉ କି ବାହାରୁ, ସବୁଠି ଦାୟିତ୍ବରେ ଥିବା ପାଳିଆ ସେବକମାନେ ତିନୋଟି ଗରା ପକାଉଛନ୍ତି। ଭକ୍ତଙ୍କୁ ଏଥିରେ ଦାନ ଦେବାକୁ ବାଧ୍ୟ କରୁଛନ୍ତି। ପୂର୍ବରୁ ଫୁଲ, ତୁଳସୀ ଧରି ଶ୍ରୀମନ୍ଦିର ଭିତରେ ବୁଲି ଦାନଦକ୍ଷିଣା ଆଦାୟ କରୁଥିବା ସେବକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉଥିଲା। ଏବେ କିନ୍ତୁ କାର୍ଯ୍ୟାନୁଷ୍ଠାନ ଅଭାବରୁ ଶ୍ରୀମନ୍ଦିର ନାଟମଣ୍ଡପ, ଜଗମୋହନ ଭିତରେ ବି ଫୁଲ, ତୁଳସୀ ଦେଇ ଦାନଦକ୍ଷିଣା ଆଦାୟ କରାଯାଉଛି। ଶ୍ରୀମନ୍ଦିର ବେଢ଼ା ଭିତରେ ବି ସମାନ ଅବସ୍ଥା। ପାର୍ଶ୍ବ ଦେବାଦେବୀ ମନ୍ଦିରରେ ବି ଦାନଦକ୍ଷିଣା ଆଦାୟ ହେଉଛି। ଯେଉଁଥିପାଇଁ କେବଳ ଶ୍ରୀମନ୍ଦିର ଦାନଦକ୍ଷିଣା ପରିମାଣ କମୁନି, ଭକ୍ତଙ୍କ ମହଲରେ ଅସନ୍ତୋଷ ବି ବଢ଼ୁଛି। ଏହି ଦାନଦକ୍ଷିଣା ଆଦାୟ ବନ୍ଦ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ମନ୍ଦିର ଭିତରେ ବିଭିନ୍ନ ସ୍ଥାନରେ ସିସି କ୍ୟାମେରା ଲଗାଇଛି। କିନ୍ତୁ ଏହା ଆଧାରରେ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ପୁଣି ପୂର୍ବାବସ୍ଥା ଫେରିବାକୁ ବସିଲାଣି। ଏଣୁ ଏ ଦିଗରେ ଆବଶ୍ୟକୀୟ ପଦକ୍ଷେପ ପାଇଁ ଭକ୍ତ ମହଲ ଦାବି କରିଛନ୍ତି।

