ଅପରାଧ ରାଜ୍ୟ

ସୁନ୍ଦରଗଡ଼ରେ ଝିଅ ଚାଲାଣର ନୂଆ ତରିକା: ବିବାହ ବେଦିରେ ୬୦ ହଜାରର କନିଆ, ମଧ୍ୟପ୍ରଦେଶରୁ ଉଦ୍ଧାର ହେଲା ଝିଅ

ସୁନ୍ଦରଗଡ଼: ଦାରିଦ୍ର୍ୟ ଓ ଅଭାବ ମଧ୍ୟରେ କଲବଲ ହେଉଥିବା ପରିବାରର ଝିଅମାନଙ୍କୁ ଅଧିକ ରୋଜଗାରର ଲୋଭ ଦେଖାଇ ଦଲାଲ ବାହାର ରାଜ୍ୟକୁ ଚାଲାଣ କରିବା ସୁନ୍ଦରଗଡ଼ ପାଇଁ ଆଉ ନୂଆ କଥା ହୋଇ ରହି ନାହିଁ। ସେଠାରେ ଅନେକଙ୍କୁ ହୋଟେଲ, ଗୃହ ଚାକରାଣୀ, ଏପରିକି ଦେହ ବେପାର ପାଇଁ ବିକ୍ରି କରିଦେବା ଭଳି ଅତି ଅମାନବୀୟ ଓ ସମ୍ବେଦନଶୀଳ ଖବର ବି ଏକ ପ୍ରକାର ଦେହସୁହା ହୋଇଗଲାଣି କହିଲେ ଚଳେ। ତେବେ ଏହା ମଧ୍ୟରେ ସୁନ୍ଦରଗଡ଼ର ସରଳ ଆଦିବାସୀ ଝିଅଙ୍କୁ ଠକିବା ପାଇଁ ଆଉ ଏକ ନୂଆ ତରିକା ବା ଫିକର ବାହାର କରିଛନ୍ତି ଦଲାଲ। ଭଲ ରୋଜଗାରିଆ, ସ୍ବଚ୍ଛଳ ପରିବାରର ପୁଅ ସହ ବିବାହର ଲୋଭ ଦେଖାଇ ବାହାର ରାଜ୍ୟକୁ ଚାଲାଣ କରି ଲକ୍ଷାଧିକ ଟଙ୍କାରେ ବିକ୍ରି କରି ଦେଉଛନ୍ତି। ବିବାହ ହେଉଛି ସତ, କିନ୍ତୁ ବହୁ ଝିଅଙ୍କ କ୍ଷେତ୍ରରେ ଏ ବିବାହ ଅଭିଶାପ ପାଲଟି ଯାଉଛି।

ଟଙ୍କା ନେଇ ବୃଦ୍ଧ, ଭିନ୍ନକ୍ଷମ, ଅସାମାଜିକ ବର ସହ ଜୋର୍ କରି ସେମାନଙ୍କ ହାତକୁ ଛନ୍ଦି ଦିଆଯାଉଛି। ତେବେ ଅନେକ ଝିଅଙ୍କୁ ରୋଜଗାର ଯୋଗାଇ ଦେବା ନାମରେ ବାହାର ରାଜ୍ୟକୁ ନେଇ ବିବାହ ପାଇଁ ବିକ୍ରି କରି ଦିଆଯାଉଥିବା ଅଭିଯୋଗ ହେଉଛି। ସୁନ୍ଦରଗଡ଼ ସଦର ଥାନା ଅଞ୍ଚଳରୁ ସେମିତି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ନିଜ ବିବାହ ଖର୍ଚ୍ଚ ଉଠାଇବାକୁ ରୋଜଗାର ଖୋଜୁଥିବା ଜଣେ ଯୁବତୀକୁ ୩ ଜଣ ଦଲାଲ ମଧ୍ୟପ୍ରଦେଶ ନେଇ ଅତି ଚତୁରତାର ସହ ସେଠାରେ ଅନ୍ୟ ଏକ ବ୍ୟକ୍ତିଙ୍କୁ ବିବାହ ପାଇଁ ଅଢ଼େଇ ଲକ୍ଷରେ ବିକ୍ରି କରି ଦେଇଥିଲେ। ଅଭିଯୋଗ ପରେ ପୁଲିସ ଯୁବତୀଙ୍କୁ ଉଦ୍ଧାର କରି ଗାଁକୁ ଫେରାଇ ଆଣିଛି। ତେବେ ଏହି ଚାଞ୍ଚଲ୍ୟକର ମାମଲାରେ ସମ୍ପୃକ୍ତ ବର, ଦଲାଲମାନଙ୍କ ଉପରେ ପୁଲିସ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ।

ଘଟଣାଟି ଥିଲା ଏମିତି, ସୁନ୍ଦରଗଡ଼ ସଦର ଥାନା ଅଞ୍ଚଳର ଜଣେ ୨୨ ବର୍ଷିୟା ଯୁବତୀଙ୍କ ବିବାହ ପାଖ ଗାଁରେ ସ୍ଥିର ହୋଇଥିଲା। ଆଉ କିଛି ମାସ ପରେ ସେ ଶାଶୂ ଘର ଯାଇଥାନ୍ତେ। ହେଲେ ଗରିବ ବାପା ବିବାହ ଖର୍ଚ୍ଚ ତୁଲାଇବାକୁ ଅକ୍ଷମ ଥିବାରୁ ଗତ ମାର୍ଚ୍ଚ ଶେଷ ସପ୍ତାହରେ ବାହାର ରାଜ୍ୟକୁ ପାଦ କାଢ଼ିଥିଲେ ଝିଅ। ଆଶା ଥିଲା ଭଲ ରୋଜଗାର କରି ବିବାହରେ ବାପାଙ୍କ ବୋଝକୁ ହାଲୁକା କରିବ। ରୋଜଗାର ପାଇଁ ପୂର୍ବରୁ ଦିଲ୍ଲୀ, ମୁମ୍ବେଇ ଯାଇଥିବାରୁ ବାପା ବି ତାଙ୍କୁ ମନା କରି ନଥିଲେ। ଘଟଣାକ୍ରମେ, ସେ ଲୁହୁରାଢିପାର ଜଣେ ଯୁବତୀଙ୍କୁ ନିଜ ସମସ୍ୟା କହିଥିଲେ। ଯୁବତୀ ତାକୁ ଭଲ ରୋଜଗାର ସ୍ଥାନକୁ ନେଇଯିବାର ବିଶ୍ବାସ ଦେଇ ନେଇ ଯାଇଥିଲା ଝାରସୁଗୁଡ଼ା। ସେଠାରେ ଅପେକ୍ଷା କରିଥିଲେ ୩ ଦଲାଲ। ସେମାନଙ୍କ ହାତରେ ଝିଅକୁ ଦେଇ ଫେରି ଆସିଥିଲା ଯୁବତୀ। ଦଲାଲମାନେ ଝିଅକୁ ଭଲ କାମ ଓ ଅଧିକ ରୋଜଗାରର ଲୋଭ ଦେଖାଇ ମଧ୍ୟପ୍ରଦେଶ ନେଇ ଯାଇଥିଲେ। ଗଲା ବେଳେ ଝିଅ ହାତରେ ଅଗ୍ରିମ ୫୦ ହଜାର ଟଙ୍କା ଥୋଇଦେଲେ। କେବେ ଏତେ ଟଙ୍କା ଛୁଇଁ ନଥିବାରୁ ସେ ଚମକି ପଡ଼ିଥିଲେ, ସନ୍ଦେହ ବି କରିଥିଲେ।

କିନ୍ତୁ ଆଗକୁ ବିବାହ ଥିବାରୁ ସେମାନଙ୍କ ସହ ଯିବାକୁ ରାଜି ହୋଇଗଲେ। କିନ୍ତୁ ମଧ୍ୟପ୍ରଦେଶରେ ପହଞ୍ଚିବାର ଦିନକ ପରେ ସେ ଠକି ଯାଇଥିବା ଜାଣିଲେ। ତାଙ୍କୁ ଜଣେ ଲୋକ ବିବାହ କରିବାକୁ କିଣି ନେଇଥିବା ଓ ସେଥିପାଇଁ ଦୁଇ ଦଲାଲକୁ ଅଢ଼େଇ ଲକ୍ଷ ଟଙ୍କା ଦେଇଥିବା ଜାଣି କାନ୍ଦି ପକାଇଥିଲେ। ଗାଁରେ ତାଙ୍କୁ ବିବାହ କରିବାକୁ ଅନ୍ୟ ଜଣେ ଅପେକ୍ଷା କରିଛି କହି ଛାଡ଼ି ଦେବାକୁ ବହୁ ନେହୁରା ହୋଇଥିଲେ। କିନ୍ତୁ ବର କିମ୍ବା ତା’ ପରିବାର ଲୋକେ କିଛି ଶୁଣି ନଥିଲେ। ଧମକଚମକ ଦେଇ ବିବାହ କରି ଦେଇଥିଲେ। ଦଲାଲମାନେ ଟଙ୍କା ନେଇ ଚାଲି ଆସିଥିଲେ। ପରେ ତାଙ୍କୁ ନଜରବନ୍ଦୀ କରି ଘରେ ରଖାଯାଇଥିଲା।

କିନ୍ତୁ ସୁଯୋଗ ଦେଖି ଝିଅ ବାପାଙ୍କୁ ଫୋନ୍ କରି ସବୁ କଥା କହି ତୁରନ୍ତ ତାଙ୍କୁ ନେଇ ଯିବାକୁ କହିଥିଲେ। ଝିଅର ଦୁର୍ଦ୍ଦଶାରେ ବିଚଳିତ ବାପା ତୁରନ୍ତ ସଦର ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରିବା ସହ ଫୋନ୍ ଟ୍ରାକିଂ କରି ମଧ୍ୟପ୍ରଦେଶରେ ଥିବା ବର ଘର ପତ୍ତା ପାଇଥିଲା। ପରେ ସେଠାକୁ ଯାଇ ଯୁବତୀଙ୍କୁ ଉଦ୍ଧାର କରିଥିଲା। ଝିଅ ଉଦ୍ଧାର ହୋଇ ଘରକୁ ଫେରି ଆସିଲେ ସତ, କିନ୍ତୁ ଗାଁ ପୁଅଟି ତାଙ୍କୁ ଆଉ ବିବାହ କରିବ କି ନା କିଏ ଜାଣେ, ସେ ଚିନ୍ତାରେ ଏବେ ବାପଝିଅ। ସୂଚନାଯୋଗ୍ୟ, ବଲାଙ୍ଗୀର, ସୋନପୁର ପରେ ସରଳ ଆଦିବାସୀଙ୍କ ଜିଲ୍ଲା ସୁନ୍ଦରଗଡ଼ରେ ବିବାହ ନାମରେ ଆରମ୍ଭ ହୋଇଛି ଯୁବତୀ ଚାଲାଣର ଏ ନୂଆ ତରିକା। ପୁଲିସ, ପ୍ରଶାସନ ଗମ୍ଭୀରତାର ସହ ଏହାକୁ ଗ୍ରହଣ କରି ରୋକିବାକୁ ଦାବି ହେଉଛି। ନହେଲେ ଆଗକୁ ଏ ବିବାହ ବେଦିରେ ସୁନ୍ଦରଗଡ଼ର ଶହ ଶହ ସରଳ ଝିଅମାନଙ୍କ ଜୀବନ ବଳି ପଡ଼ିବା ନିଶ୍ଚିତ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।