ମୁମ୍ୱାଇ: ବାପି ଲାହିରିଙ୍କୁ ସୁନା ବହୁତ ପସନ୍ଦ ଥିଲା। ସେ ସୁବର୍ଣ୍ଣକୁ ନିଜର କ୍ୟାରିୟର ପାଇଁ ଶୁଭ ବୋଲି ମାନୁଥିଲେ। ସେଥିଲାଗି ସେ ସବୁବେଳେ ସୁନା ପିନ୍ଧୁଥିଲେ। ୨୦୧୪ରେ ଭାରତୀୟ ଜନତା ପାର୍ଟିରୁ ସେ ପଶ୍ଚିମବଙ୍ଗର ସିରମ୍ ଲୋକସଭାରୁ ନିର୍ବାଚନ ଲଢ଼ିବା ବେଳେ ଯେଉଁ ସତ୍ୟପାଠ ଦାଖଲ କରିଥିଲେ ତାହା ଅନୁଯାୟୀ, ତାଙ୍କ ପାଖରେ ୭୫୪ଗ୍ରାମ୍ ସୁନା ଥିଲା। ସେତେବେଳେ ଏହାର ମୂଲ୍ୟ ଅତିକମ୍ରେ ୧୭ଲକ୍ଷରୁ ଅଧିକ ହେବ। ତାଙ୍କର ରୋଜଗାରର ଏକମାତ୍ର ମାଧ୍ୟମ ଥିଲା ସଂଗୀତ। ସେ ଜୀବନର ଶେଷ ପର୍ଯ୍ୟନ୍ତ ସଂଗୀତ ସହିତ ଯୋଡ଼ି ହୋଇ ରହିଥିଲେ। ଗୀତ ଗାଇବା ସହିତ ସଂଗୀତ ନିର୍ଦ୍ଦେଶନା ମଧ୍ୟ ଦେଉଥିଲେ। ଲାଇଭ୍ ସୋ, ରିୟାଲଟି ଟିଭି ଶୋ’ରୁ ମଧ୍ୟ ସେ ବେଶ୍ ଭଲ ରୋଜଗାର କରୁଥିଲେ।
ବାପି-ମିଥୁନ୍-କିଶୋର
ଗାୟକ କିଶୋର କୁମାରଙ୍କ ସହିତ ବାପିଙ୍କର ଅନ୍ତରଙ୍ଗ ସଂପର୍କ ରହିଥିଲା। ସେ ଥିଲେ ତାଙ୍କର ‘ମେଣ୍ଟର’। ବଲିଉଡ୍ରେ ବାପିଙ୍କ ପାଦ ଦୃଢ଼ କରିବାରେ କିଶୋର ଅନେକ ସାହାଯ୍ୟ କରିଥିଲେ। ତେବେ ସେତିକି ନୁହେଁ, ବାପି ତାଙ୍କୁ ‘ମାମା’ (ମାମୁ) ଡାକୁଥିଲେ। କୁହାଯାଏ, କିଶୋର ନିଜ ପୁଅ ଅମିତ ଓ ସୁମିତଙ୍କ ଅପେକ୍ଷା ବି ବାପିଙ୍କ ସହିତ ଅଧିକ ଘନିଷ୍ଠ ଥିଲେ।
କିଶୋର କୁମାର ଗାୟକ ହେବା ସହ ବେଶ୍ କିଛି ଫିଲ୍ମରେ ଅଭିନୟ କରିଥିଲେ ଓ ନିର୍ଦ୍ଦେଶନା ଦେଇଥିଲେ। କିଶୋରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ବଢ଼୍ତି କା ନାମ୍ ଦାଢ଼ି’ (୧୯୭୪)ରେ ବାପି ଅଭିନୟ ଆରମ୍ଭ କରିଥିଲେ। ୧୯୭୬ରେ ମୃଣାଳ ସେନଙ୍କ ‘ମୃଗୟା’ ଜରିଆରେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ବଲିଉଡ୍ରେ ପ୍ରବେଶ କଲେ। ୧୯୬୯ରେ ନିଜର ଦ୍ବିତୀୟ ପତ୍ନୀ ତଥା ଅଭିନେତ୍ରୀ ମଧୁବାଲାଙ୍କ ଅକାଳ ମୃତ୍ୟୁ ପରେ କିଶୋର ୧୯୭୬ରେ ଯୋଗିତା ବାଲିଙ୍କୁ ବାହା ହୋଇଥିଲେ। ଠିକ୍ ସେହି ସମୟରେ ଅଭିନେତା ଭାବେ ମିଥୁନଙ୍କର ଉଦୟ ଘଟୁଥିଲା। ଯୋଗିତା ୧୯୭୮ରେ କିଶୋରଙ୍କୁ ଛାଡ଼ପତ୍ର ଦେଇ ତା’ପର ବର୍ଷ ମିଥୁନଙ୍କୁ ବାହା ହୋଇଥିଲେ। ଏହାପରେ କିଶୋର ମିଥୁନ୍ଙ୍କ ଫିଲ୍ମରେ ନ ଗାଇବାର ନିଷ୍ପତ୍ତି ନେଲେ। ସେତେବେଳକୁ ସଙ୍ଗୀତ ନିର୍ଦ୍ଦେଶକ ଭାବେ ବାପିଙ୍କର ନାଁ ହୋଇ ଯାଇଥିଲା। ତେଣୁ ସେହି ଭିତରେ ଆସିଥିବା ମିଥୁନ୍ଙ୍କର ବେଶ୍ କିଛି ଫିଲ୍ମରେ ବାପି ସଙ୍ଗୀତ ନିର୍ଦ୍ଦେଶନା ଦେବା ସହିତ ଗାଇଥିଲେ।
ବିଦେଶରେ ବି ଲୋକପ୍ରିୟ
ବଲିଉଡରେ ଡିସ୍କୋ ପରଂପରା ଆରମ୍ଭ କରିବାର ଶ୍ରେୟ ବାପିଙ୍କୁ ଦିଆଯାଏ। ଏହା ସହିତ ସେ ଅନେକ ବିଦେଶୀ ଗୀତକୁ ନକଲ କରିଥିଲେ। ତେବେ ବିଦେଶରେ ମଧ୍ୟ ତାଙ୍କର କିଛି କମ୍ ଲୋକପ୍ରିୟତା ନଥିଲା। ମିଥୁନ୍ଙ୍କ ଫିଲ୍ମ ‘ଡିସ୍କୋ ଡାନ୍ସର୍’ ଭାରତ ସମେତ ବିଦେଶରେ, ବିଶେଷକରି ରୁଷରେ ହିଟ୍ ହୋଇଥିଲା। ୧୯୯୬ରେ ପପ୍ କିଙ୍ଗ୍ ମାଇକେଲ୍ ଜ୍ୟାକ୍ସନ୍ ଭାରତ ଆସିଥିଲେ। ସେହି ସମୟରେ ତାଙ୍କୁ ଭେଟିବାର ସୁଯୋଗ ପାଇବାରେ ବାପି ଥିଲେ ବଲିଉଡର ଏକମାତ୍ର ସଙ୍ଗୀତ ନିର୍ଦ୍ଦେଶକ। ୨୦୦୯ରେ ଜ୍ୟାକ୍ସନଙ୍କ ମୃତ୍ୟୁପରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାଲାଗି ବାପି ଗୋଟିଏ ସ୍ବତନ୍ତ୍ର ଗୀତ ତିଆରି କରିଥିଲେ– ‘ଡୋଣ୍ଟ୍ ସେ ଗୁଡ୍ବାୟ’। ୨୦୧୨ରେ ବାପି ପ୍ରଥମ ଭାରତୀୟ ସଙ୍ଗୀତ ନିର୍ଦ୍ଦେଶକ ଭାବେ ଗ୍ରାମି ଆୱାର୍ଡର ବିଚାରକମଣ୍ଡଳୀରେ ସ୍ଥାନ ପାଇଥିଲେ। ସେହିପରି ଇଂରାଜି ଫିଲ୍ମ ‘ମୋଆନା ଆଣ୍ଡ ଲାୟନ୍’ ପାଇଁ ଉଭୟ ଓସ୍କାର ଓ ଗୋଲଡେନ୍ ଗ୍ଲୋବ୍ସ ଆୱାର୍ଡ ପାଇଁ ସେ ନମିନେଟେଡ୍ ହୋଇଥିଲେ।

