ରାଜ୍ୟ

ସୁଦର୍ଶନ ଚକ୍ରାକୃତିର ଗାଁ ଚକେଇସିହାଣୀ

ରାତିରେ ଜଳୁଥିଲା କାଉଁରିଆ କାଠି

୬୦ ବର୍ଷ ତଳେ, ଗାଁରେ ମାତ୍ର ହାତଗଣତି ୫୦ରୁ ୬୦ଟି ଘର ଥିଲା। ସବୁ ଘର ଦୋପରୀ ଚାଳ ଓ ଆଟୁଘର। କାଁଭାଁ ହାତଗଣତି ୩ରୁ ୪ଟି କଡ଼ିବରଗା ଛାତ ଥିଲା। ଗାଁ ଚାରିପଟ ଚାଷ ଜମି ଥିବା ବେଳେ ଗାଁ ଦାଣ୍ଡରେ ଆଣ୍ଠୁଏ ଉଚ୍ଚର ବାଲି ଜମି ରହୁଥିଲା। କେବଳ ଶଗଡ଼ ଯିବା ପାଇଁ ଗୁଳାରାସ୍ତା ଥିଲା। ଗାଁର ପ୍ରବେଶପଥକୁ ଲାଗି ଯାଇଥିବା ଦୟାୱେଷ୍ଟ୍ କେନାଲ୍‌ରେ ବ୍ରିଜ୍ ନଥିଲା। ଲୋକମାନେ ସେହି ପାଣିରେ ପଶି ଯାତାୟାତ କରୁଥିଲେ। ଲୋକେ ସେହି କେନାଲ ପାଣିରେ ମଧ୍ୟ ଶଗଡ଼, ବଳଦ ନେଉଥିଲେ। ସେତେବେଳେ ଲୋକମାନଙ୍କ ଆର୍ଥିକ ସ୍ଥିତି ଆଦୌ ଭଲ ନଥିଲା। ଏମିତିକି, ଲୋକଙ୍କ ଘରେ କିରାସିନି ନଥିଲା। ରାତିରେ କାଉଁରିଆ କାଠି ଜାଳି ଖିଆପିଆ କରୁଥିଲେ। ୮୦ ଦଶକରେ ଗାଁକୁ ବିଜୁଳି ଆଲୁଅ ଆସିଲା। ରାସ୍ତା ସବୁ ମୋରମ୍ ହେଲା। ୧୯୮୫ ମସିହା ବେଳକୁ ରାସ୍ତାଘାଟ ସିମେଣ୍ଟ୍ ଓ ପିଚୁ ହୋଇଥିଲା।

୨୫୦ ଟଙ୍କାର ଜମି ଏବେ ୫୦ ଲକ୍ଷ

ଦିନ ଥିଲା, ଗାଁ ଚାରିପାଖ ସବୁଜ ଧାନକ୍ଷେତ ଥିଲା। ଲୋକମାନେ ଚାଷବାସ କରି ଚଳୁଥିଲେ। ନଦୀକୂଳିଆ ଗାଁ ହୋଇଥିବାରୁ ଭଲ ଫସଲ ହେଉଥିଲା। ହେଲେ ପ୍ରତିବର୍ଷ ବୁଡ଼ୁ ନଦୀର ଉଚ୍ଛୁଳା ପାଣି ଫସଲ ଧୋଇ ନେଉଥିଲା। ଖାଦ୍ୟ ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହେଉଥିଲା। ପରବର୍ତ୍ତୀ ସମୟରେ ପଟିଆ ବନ୍ଧ ପଡ଼ିବାରୁ ନଦୀ ପାଣି ବିଲରେ ପଶିଲାନି। ୮୦ ଦଶକରେ ଗାଁର ଅଧା ଜମି ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଚାଲିଗଲା। ୯୦ ମସିହା ବେଳକୁ ଚାଷ ଜମି ଧୀରେଧୀରେ ବିକ୍ରି ଆରମ୍ଭ ହୋଇଗଲା। ପ୍ରଥମେ ଏକ ବଙ୍ଗାଳୀ ପରିବାର ଜମି ଗୁଣ୍ଠ ମାତ୍ର ୨୫୦ ଟଙ୍କାରେ କିଣି ଘର ତୋଳି ରହିଥିଲେ। ଏବେ ସେ ଜମିର ମୂଲ୍ୟ ଅନ୍ୟୂନ ୫୦ ଲକ୍ଷ ଟଙ୍କା ହେବ। ଏବେ ଆଉ ଗାଁରେ ଚାଷ ଜମି ନାହିଁ। ସବୁ ଜମିରେ ବୃହତ୍‌ ଅଟ୍ଟାଳିକା ଛିଡ଼ା ହୋଇଛି। ଚକେଇସିହାଣୀ ଏକ ରାଜସ୍ବ ଗ୍ରାମ ହୋଇଥିଲେ ହେଁ ଗାଁର ଜମି ଓ ଘର ଗାଡ଼କଣ, ପାଣ୍ଡରା ଓ ମଞ୍ଚେଶ୍ବର ମଉଜାରେ ରହିଛି।

ଉଗାଳମଣିଙ୍କ ପାଖ‌‌ରେ ଜନ୍ତାଳ ଭୋଜି

ଗାଁର ମୁଖ୍ୟ ଉତ୍ସବ ହେଉଛି ସତ୍ୟନାରାୟଣଙ୍କ ମନ୍ଦିରରେ ପ୍ରତିବର୍ଷ ବାଦିପାଲା। ଏହା ଶହଶହ ବର୍ଷ ଧରି ହୋଇ ଆସୁଛି। ସେତେବେଳେ ଚାରିପାଖରେ ଥିବା ଦଶ ଖଣ୍ଡ ମଉଜାରୁ ଲୋକମାନେ ରାତିରେ ଲଣ୍ଠନ ଧରି ପାଲା ଦେଖିବାକୁ ଆସୁଥିଲେ। ଦରି ପାଲ ପକାଇ ପାଲା ମଣ୍ଡପ ଚାରିପଟ ବସି ଦେଖୁଥିଲେ। ଗୁଡ଼ିଆମାନେ ଜଳଖିଆ ଦୋକାନ ପକାଉଥିଲେ। ପାଲା ଗାୟକମାନଙ୍କୁ ଦର୍ଶକମାନେ ପ୍ରଶ୍ନ ପଚାରି ଅକଳରେ ପକାଇ ଦେଉଥିଲେ। ଏବେ ଆଉ ସେ ସମୟ ନାହିଁ। ପରମ୍ପରା ବଞ୍ଚିବା ପାଇଁ ଏବେ ପାଲା ହେଉଛି ସତ ହେଲେ ଦର୍ଶକ ଭାବେ ହାତଗଣତି କେତୋଟି ଲୋକଙ୍କୁ ଦେଖିବାକୁ ମିଳୁଛି। ସେହିଭଳି ଉଗାଳମଣିଙ୍କ ପାଖରେ ବର୍ଷକୁ ଥରେ ଜନ୍ତାଳ ହେଉଛି। ଗାଁ ସାରା ଲୋକ ଏହି ଜନ୍ତାଳ ଭୋଜି ଖାଆନ୍ତି। ଏବେ ବି ଏହି ପରମ୍ପରା ବଞ୍ଚି ରହିଛି।

ନଦୀ ପାର୍‌ ହୋଇ ଯାଉଥିଲେ ବାଲିଅନ୍ତା ହାଟ

ପନିପରିବା ପାଇଁ ଗାଁ ଲୋକମାନେ ସେତେବେଳେ ବଜାର ଯାଉ ନଥିଲେ। ସମସ୍ତଙ୍କ ବାଡ଼ିରେ ପ୍ରଚୁର ପନିପରିବା ହେଉଥିଲା। ଲୋକମାନେ କେବଳ ତେଲ, ଲୁଣ ପାଇଁ ବାଲିଅନ୍ତା ହାଟକୁ ଯାଉଥିଲେ। କୁଆଖାଇ ନଦୀରେ ବ୍ରିଜ୍ ନଥିଲା। ନଦୀ ପାଣିରେ ପଶି ଚାଲିଚାଲି ଓ ଶଗଡ଼ରେ ଲୋକମାନେ ବାଲିଅନ୍ତା ହାଟକୁ ଯାଉଥିଲେ। ହାଟରୁ ଫେରିଲା ବେଳକୁ ନଦୀରେ ପାଣି ବଢ଼ି ଯାଉଥିଲା। ଲୋକେ ବଡ଼ କାଠଗଣ୍ଡିରେ ସୁଅ କାଟି ନଦୀ ପାର୍‌ ହେଉଥିଲେ। ସେହିଭଳି ଗାଁ ବିଲ ଓ ଚୁଆ ଗାଡ଼ିଆରୁ ମାଛଧରା ହେଉଥିଲା। ବର୍ଷକୁ ଦୁଇ ତିନିଥର, ଭଲ ଦିନମାନଙ୍କରେ ଜଣେ ମୁସଲମାନ୍‌ ଛେଳି ମାଂସ ବିକ୍ରି କରିବା ପାଇଁ ଆସୁଥିଲା। ଘରକୁ ଘର ବୁଲି ଗ୍ରାହକ ଠିକ୍ କରିବା ପରେ ମାଂସ କାଟୁଥିଲେ।

ଦୟାୱେଷ୍ଟ କେନାଲ ପାଣିରେ ଶୋଷ ମେଣ୍ଟୁଥିଲା

ଗାଁ ଲୋକଙ୍କ ପାଇଁ ଜୀବନରେଖା ଥିଲା ଦୟାୱେଷ୍ଟ କେନାଲ। କେନାଲ ପାଣିରେ ଲୋକେ ଗାଧୁଆଠାରୁ ଆରମ୍ଭ କରି ଶୁଦ୍ଧିକ୍ରିୟା ପର୍ଯ୍ୟନ୍ତ ସବୁ କରୁଥିଲେ। କେନାଲ ପାଣି ଏତେ ସ୍ବଚ୍ଛ ଥିଲା ଯେ ଲୋକମାନେ ସେହି ପାଣିକୁ ଘରେ ରନ୍ଧାବଢ଼ାରେ ବ୍ୟବହାର କରିବା ସହ ପିଉଥିଲେ। ପରବର୍ତ୍ତୀ ସମୟରେ କେନାଲ କଡ଼ରେ ବସ୍ତି ଗଢ଼ି ଉଠିଲା ଓ ବିଏମ୍‌ସି କେନାଲକୁ ବର୍ଜ୍ୟଜଳ ଛାଡ଼ିବାରୁ ୨୦୦୦ ମସିହାରୁ ପାଣି ଆଉ ବ୍ୟବହାରଯୋଗ୍ୟ ହୋଇ ରହିଲା ନାହିଁ।

ହାଇସ୍କୁଲରେ ପଢ଼ିବାକୁ ପଟିଆ ଯାଉଥିଲେ ପିଲା

୧୯୫୪ରେ ଗାଁରେ ନିମ୍ନ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ହେଲା। ପ୍ରଥମ ଶିକ୍ଷକ ଥିଲେ ଯୁଧିଷ୍ଠିର ସ୍ବାଇଁ। ଏଠି ପିଲାମାନେ ତୃତୀୟ ଯାଏ ପଢ଼ୁଥିଲେ। ତା’ ପରେ ମଞ୍ଚେଶ୍ବର ଓ ହାଇସ୍କୁଲ ପଢ଼ିବାକୁ ପଟିଆ ଯାଉଥିଲେ। ସେହିଭଳି କଲେଜ ପଢ଼ିବାକୁ ପୂର୍ବରୁ ବାରଙ୍ଗ ଯାଉଥିଲେ। ପରବର୍ତ୍ତୀ ସମୟରେ ନହରକଣ୍ଟାରେ ପ୍ରତିଷ୍ଠା ହୋଇଥିବା ଜୟଦେବ କଲେଜକୁ ପିଲାମାନେ ଯାଉଛନ୍ତି।

ଥାନାକୁ ଯାଉ ନଥିଲା କଳି ଝଗଡ଼ା

ସେତେବେଳେ ଗାଁରେ କଳିଝଗଡ଼ା ହେଲେ ଲୋକମାନେ ଥାନା କିମ୍ବା କୋର୍ଟ କଚେରିକୁ ଯାଉ ନଥିଲେ। ଗାଁର ମୁରବି ଶ୍ରେଣୀୟ ଲୋକମାନେ ପାଲା ମଣ୍ଡପରେ ବସି ସବୁ ସମାଧାନ କରି ଦେଉଥିଲେ। ସେଥିରେ ସମସ୍ତଙ୍କ ସମ୍ମତି ରହୁଥିଲା। ସେତେବେଳେ ଏହି ଗାଁ କଟକ ସଦର ଥାନା ଅଧୀନରେ ଆସୁଥିଲା। ସେଠାରୁ ଜଣେ ପୁଲିସ ବାବୁ ସାଇକେଲରେ ବେଳେବେଳେ ଆସୁଥିଲେ। ଗାଁର ମୁଖିଆଙ୍କଠାରୁ ଗାଁ ବିଷୟରେ ବୁଝି ଚାଲି ଯାଉଥିଲେ।

୫୦ ହଜାରରୁ ଆରମ୍ଭ ହୋଇଥିବା ପୂଜା ୨୨ ଲକ୍ଷରେ ପହଞ୍ଚିଲାଣି

୨୦୦୧ ମସିହାରୁ ଗାଁରେ ଦୁର୍ଗାପୂଜା ଆରମ୍ଭ ହେଲା। ଦେବେନ୍ଦ୍ର ମହାନ୍ତି ଓ ନାରାୟଣ ଦାସଙ୍କ ଉଦ୍ୟମରେ ୫୦-୬୦ ହଜାର ଟଙ୍କାରୁ ପୂଜା ଆରମ୍ଭ ହୋଇଥିଲା। ଛୋଟମୂର୍ତ୍ତି ଓ ନିରାଡ଼ମ୍ବର ଭାବେ ସେତେବେଳେ ପୂଜା କରାଯାଉଥିଲା। ଏବେ ତା’ର କଳେବର ବଢ଼ି ବ୍ୟୟ ଅଟକଳ ୨୦ ଲକ୍ଷ ଟପିଲାଣି। ବେଶ୍ ଧୁମ୍‌ଧାମ୍‌ରେ ବଡ଼ ତୋରଣ ହୋଇ ମା’ଙ୍କର ପୂଜା ଆୟୋଜନ ହେଉଛି।

ପ୍ରତ୍ୟକ୍ଷ ଠାକୁରାଣୀ ମା’ ଉଗାଳମଣି

ଗାଁର ଇଷ୍ଟଦେବୀ ମା’ ଉଗାଳମଣି ହୋଇଥିବା ବେଳେ ଇଷ୍ଟଦେବତା ହେଉଛନ୍ତି ପ୍ରଭୁ ସତ୍ୟନାରାୟଣ। ଏହି ଦୁଇ ବହୁ ପୁରାତନ ବିଗ୍ରହ। ଚାରି ପୁରୁଷ ଧରି ଏମାନେ ପୂଜା ପାଇ ଆସୁଛନ୍ତି ବୋଲି ଗାଁର ପୁରୁଖା ଲୋକମାନେ ମତ ଦିଅନ୍ତି। ପରବର୍ତ୍ତୀ ସମୟରେ ଗ୍ରାମବାସୀଙ୍କ ଉଦ୍ୟମରେ ତ୍ରିନାଥ ମନ୍ଦିର, ଅର୍ଜୁନେଶ୍ବର ମନ୍ଦିର, ଶନି ମନ୍ଦିର, ଗଣେଶ ମନ୍ଦିର ଆଦି ଏକାଧିକ ମନ୍ଦିର ଗଢ଼ି ଉଠିଛି।

ଐତିହାସିକ ପୃଷ୍ଠଭୂମିକୁ ନେଇ ଐତିହାସିକ ପ୍ରଫୁଲ୍ଲ ତ୍ରିପାଠୀ ମତ ଦେଇଥିବାବେଳେ ଗାଁର ପୁରୁଖା ଲୋକ ବୈକୁଣ୍ଠ ଦାସ, ବରିଷ୍ଠ ଅଭିନେତା ଭିକାରୀ ଚରଣ ସ୍ବାଇଁ, ଚୈତନ୍ୟ ଚରଣ ଦାସ, ଦିଲ୍ଲୀପ ସ୍ବାଇଁ, ବାବୁଲି ଦାସ, ଅଭୟ ମଙ୍ଗରାଜ ଓ ବିଜୟ ରାଉତଙ୍କ ସହଯୋଗ ଓ ସୂଚନା ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।