ଧର୍ମଗଡ,୨୬/୦୬: ବିଳମ୍ବିତ ରାତିରେ ଘରେ ପଶି ଲୁଟ୍ । ନେଇଗଲେ ଲକ୍ଷାଧିକ ଟଙ୍କା ସହିତ ସୁନା ଗହଣା l ଏପରି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ କାଉଡୋଳା ଗ୍ରାମର ସୁରଥ ସରାବୁଙ୍କ ଘରେ ।
ସୂଚନାନୁସାରେ, ଶନିବାର ବିଳମ୍ବିତ ରାତିରେ ସୁରଥଙ୍କ ଘରେ ୬ ଜଣ ମୁଖାପିନ୍ଧା ଡକାୟତ ଘରେ ପଶିଥିଲେ । ସେମାନେ ସିସିଟିଭି କ୍ୟାମେରା ଭାଙ୍ଗିବା ପରେ କବାଟ ଭାଙ୍ଗିଥିଲେ l ଡକାୟତମାନେ ଘର ମାଲିକ ସୁରଥ ସରାବୁ ଏବଂ ତାଙ୍କ ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ଏବଂ ଟଙ୍କା ଏବଂ ସୁନା ଗହଣା ନେଇ ଫେରାର ହୋଇ ଯାଇଥିଲେ l
ଡକାୟତଙ୍କ ଆକ୍ରମଣରେ ସୁରଥ ସରାବୁ ଏବଂ ତାଙ୍କ ସ୍ତ୍ରୀ ଗୁରୁତର ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରି ପ୍ରଥମେ କୋକସରା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ପ୍ରାଥମିକ ଚିକିତ୍ସା କରି ଭବାନୀପାଟଣା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା l ଖବର ପାଇ ଆମପାଣି ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି l ଡକାୟତ ମାନେ ସୁନାଗହଣା ସହ ନଗଦ ଟଙ୍କା ଲୁଟ କରିଥିବା ଅଭିଯୋଗ କରିଥିବା ବେଳେ କେତେ ସୁନା ଓ ଟଙ୍କା ଲୁଟ କରିଛନ୍ତି ତାହା ଅସ୍ପଷ୍ଟ ରହିଛି l