ପୋର୍ଟ ଅଫ ସ୍ପେନ,୨୮/୦୭: ଘରୋଇ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ୩ଟି ଯାକ ମ୍ୟାଚ୍ ଜିତି ଭାରତ ଦିନିକିଆ ସିରିଜ ପୋଛି ନେଇଛି । ବୁଧବାର ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ତୃତୀୟ ଦିନିକିଆରେ ଭାରତ ୧୧୯ ରନ୍ରେ ବିଜୟ ହାସଲ କରିଛି । ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଭାରତ ୩୬ ଓଭରରେ ୩ ୱିକେଟ୍ ହରାଇ ୨୨୫ ରନ୍ କରିଥିଲା । ବର୍ଷା ବାଧକ ସାଜିବା ଫଳରେ ଡକ୍ ୱର୍ଥ ଲୁଇସ ନିୟମ ଅନୁଯାୟୀ ୱେଷ୍ଟ ଇଣ୍ଡିଜ୍ ସମ୍ମୁଖରେ ବିଜୟ ପାଇଁ ୩୫ ଓଭରରେ ୨୫୭ ରନ୍ ଧାର୍ଯ୍ୟକରାଯାଇଥିଲା । ଜବାବରେ ଦଳ ୨୬ ଓଭରରେ ୧୩୭ ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଥିଲା ।
ବୁଧବାର ଟସ୍ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଦଳ ପକ୍ଷରୁ ଶିଖର ଧାୱନ ଓ ଶୁଭମନ ଗିଲ୍ ଦର୍ଶନୀୟ ସସଟ୍ମାନ ଖେଳି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଧାୱନ ୬୨ଟି ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ଶେଷରେ ୨୩ତମ ଓଭରରେ ହେଡେନ ୱାଲ୍ସ ଯୋଡି ଭାଙ୍ଗିବାରେ ସଫଳ ହୋଇଥିଲେ । ଧାୱନ ବ୍ୟକ୍ତିଗତ ୫୮ ନର୍ କରି ଆଉଟ୍ ହୋଇଥିଲେ । ଏହି ଇନିଂସରେ ସେ ୭ଟି ଚୌକା ମାରିଥିଲେ । ପରେ ପରେ ଗିଲ୍ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ପ୍ରଥମ ୱିକେଟ୍ର ପତନ ପରେ ଶ୍ରେୟାସ ଆୟର କ୍ରିଜ୍କୁ ଓହ୍ଲାଇଥିଲେ । ଉଭୟ ଦଳୀୟ ସ୍କୋରକୁ ୧୧୫ରେ ପହଞ୍ଚାଇବା ପରେ ବର୍ଷା ଆରମ୍ଭ ହୋଇଥିଲା ।
ପାଖା ପାଖି ଅଢେଇ ଘଣ୍ଟା ପରେ ଖେଳ ଆରମ୍ଭ ହୋଇଥିଲା । ମ୍ୟାଚ୍କୁ ୪୦ ଓଭର ବିଶିଷ୍ଟ କରାଯାଇଥିଲା । ଦୁଇ ଅପରାଜିତ ବ୍ୟାଟର ଗିଲ୍ ଓ ଆୟର ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ଦ୍ୱିତୀୟ ୱିକେଟ୍ରେ ୮୬ ରନ୍ ସଂଗୃହୀତ ହୋଇଥିଲା । ଦଳୀୟ ସ୍କୋର ୧୯୯ ବେଳେ ବ୍ୟକ୍ତିଗତ ୪୪(୪ଚୌକା, ୧ଛକା) ରନ୍ କରି ଆୟର ଆଉଟ୍ ହୋଇଥିଲେ । ପରେ ପରେ ସୂର୍ଯ୍ୟକୁମାର ଯାଦବ ୮ ରନ୍ କରି ପାଭିଲିୟନ ଫେରିଥିଲେ । ଗିଲ୍ ଗୋଟିଏ ପଟେ ଦୃଢ ବ୍ୟାଟିଂ ଜାରି ରଖି ଦଳୀୟ ସ୍କୋରକୁ ୨୨୫ରେ ପହଞ୍ଚାଇବା ପରେ ପୁଣିଥରେ ବର୍ଷା ଆରମ୍ଭ ହେବାରୁ ଭାରତର ଇନିଂସ ସମାପ୍ତି ଘୋଷଣା କରାଯାଇଥିଲା । ଡକ୍ୱର୍ଥ ଲୁଇସ ନିୟମ ଅନୁଯାୟୀ ୱେଷ୍ଟ ଇଣ୍ଡିଜ୍ ସମ୍ମୁଖରେ ବିଜୟ ପାଇଁ ୩୫ ଓଭରରେ ୨୫୭ ରନ୍ର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ଗିଲ୍ ୭ଚୌକା ଓ ୨ଛକା ବଳରେ ଅପରାଜିତ ୯୮ ରନ୍ କରିଥିଲେ ।
ଜବାବରେ ୱେଷ୍ଟ ଇଣ୍ଡିଜ୍ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦ୍ୱିତୀୟ ଓଭରରେ ମହମ୍ମଦ ସିରାଜ ଉଭୟ କେଲି ମେୟର୍ସ ଓ ସାମରା ବ୍ରୁକ୍ସଙ୍କୁ ଆଉଟ୍ କରିଥିଲେ । ଉଭୟ ଖାତା ଖୋଲି ପାରି ନଥିଲେ । ମଧ୍ୟଭାଗରେ ବ୍ରାଣ୍ଡନ କିଙ୍ଗ୍ସ ଲଢୁଆ ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ହେଲେ ଉଭୟଙ୍କ ୱିକେଟ୍ର ପତନ ପରେ ୱେଷ୍ଟ ଇଣ୍ଡିଜ୍ର ପରାଜୟ ନିଶ୍ଚିତ ହୋଇଯାଇଥିଲା ।
ଅନ୍ୟ କୌଣସି ବ୍ୟାଟର କ୍ରିଜ୍ରେ ତିଷ୍ଠି ପାରି ନଥିଲେ । ଘରୋଇ ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଶେଷରେ ୧୩୭ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା । କିଙ୍ଗ୍ ୪୨(୫ଚୌକା, ୧ଛକା), ପୂରନ୍ ୪୨(୫ଚୌକା, ୧ଛକା) ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଇ ହୋପ ୨୨, କିସ୍ କାର୍ତି ୫, ଅକିଲ ହୋସେନ ୧ ଓ ଜାସନ ହୋଲ୍ଡର ଅପରାଜିତ ୯ ରନ୍ କରିଥିଲେ । ଭାରତ ପକ୍ଷରୁ ୟୁଝବେନ୍ଦ୍ର ଚହଲ ୪ଟି ୱିକେଟ୍ ନେଇଥିଲେ ।