ୱାସିଂଟନ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସିଏନ୍ଏନ୍ର ମଡରେଟର କେଟଲିନ କଲିନ୍ସଙ୍କୁ ‘ବାଜେ ଲୋକ’ ବୋଲି କହିଛନ୍ତି। ଏକ ‘ଟାଉନ ହଲ’ କାର୍ଯ୍ୟକ୍ରମରେ କେଟଲିନ ଯେତେବେଳେ ଟ୍ରମ୍ପଙ୍କୁ ତାଙ୍କ ବିରୋଧରେ ଥିବା କିଛି ମାମଲା ସମ୍ପର୍କରେ ପଚାରିଲେ, ସେତେବେଳେ ଟ୍ରମ୍ପ ଉତ୍ତର ଦେଇଥିଲେ, ‘ଏହା ଅତି ସରଳ। ଆପଣ ଜଣେ ବାଜେ ମହିଳା’। ଟ୍ରମ୍ପଙ୍କ କଥା ଶୁଣି ଶ୍ରୋତାମାନେ ହସିଉଠିଥିଲେ।
ଟ୍ରମ୍ପ ଘରକୁ ନେଇଯାଇଥିବା ଦଲିଲଗୁଡ଼ିକ ବିଷୟରେ କେଟଲିନ ପଚାରିଥିଲେ। ଟ୍ରମ୍ପ ଉତ୍ତର ଦେଇଥିଲେ ଯେ, ଦଲିଲଗୁଡ଼ିକ ଅଣବର୍ଗୀକୃତ ଥିଲା। ଦସ୍ତାବିଜଗୁଡ଼ିକୁ ଘରକୁ ନେବାର ଅଧିକାର ତାଙ୍କର ଥିଲା ଏବଂ ସେ ଏହାକୁ ଲୁଚାଇ ନ ଥିଲେ। ସାକ୍ଷାତ୍କାର ସମୟରେ ଟ୍ରମ୍ପ ମଡେରେଟରଙ୍କ ସହ ରୀତିମତ ଝଗଡ଼ା କରିଥିଲେ। ଅପମାନଜନକ ‘ବାଜେ ଲୋକ’ ଶବ୍ଦ ଟ୍ରମ୍ପ ପ୍ରଥମ କରି ଉଚ୍ଚାରଣ କରିନାହାନ୍ତି। ପୂର୍ବରୁ ୨୦୧୬ରେ ହିଲାରି କ୍ଳିଣ୍ଟନଙ୍କ ପ୍ରତି ସେ ଏପରି ମନ୍ତବ୍ୟ କରିଥିଲେ। ହିଲାରି କ୍ଳିଣ୍ଟନ ଯେତେବେଳେ କହିଲେ ଯେ, ସେ ନିର୍ବାଚିତ ହେଲେ ଧନୀ ଲୋକଙ୍କ ଉପରେ ଅଧିକ ଟିକସ ବସାଇବେ ସେତେବେଳେ ଟ୍ରମ୍ପ ତାଙ୍କୁ ‘ବାଜେ ଲୋକ’ ବୋଲି କହିଥିଲେ।