ନୂଆଦିଲ୍ଲୀ,୧୩/୦୩: ୨୦୨୦ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି । ଚଳିତ ବର୍ଷ ଓଡ଼ିଆ ଭାଷା ଲାଗି କେନ୍ଦ୍ର ସାହିତ୍ୟ ଏକାଡେମୀ ମୁଖ୍ୟ ପୁରସ୍କାର ଘୋଷଣା ହୋଇନାହିଁ । ବାଲ୍ ଓ ଯୁବ ସାହିତ୍ୟରେ ଓଡ଼ିଆ ଭାଷାରେ ପୁରସ୍କାର ଘୋଷଣା ହୋଇଛି । ବାଲ୍ ସାହିତ୍ୟରେ ପିଲାଙ୍କ ଗଳ୍ପ ପୁସ୍ତକ ‘ବଣ ଦେଉଳରେ ସୁନା ନେଉଳ’ ପାଇଁ ରାମଚନ୍ଦ୍ର ନାୟକ ଏବଂ ଯୁବ ସାହିତ୍ୟରେ ପ୍ରବନ୍ଧ ‘ଚେତନାର ଅନ୍ୱେଷଣ’ ପାଇଁ ଚନ୍ଦ୍ରଶେଖର ହୋତା ପୁରସ୍କାର ପାଇବେ । ଏହାପରେ ଉଭୟଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ୧୯୫୦ ମସିହା ଜୁଲାଇ ୯ରେ ଜନ୍ମିତ କେନ୍ଦୁଝର ଜିଲ୍ଲା ଘଷିପୁରା, ଅତାସାହିର ଶ୍ରୀ ନାୟକ ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ । ସେ ଶିକ୍ଷକତା ସହ ସାହିତ୍ୟ ସାଧନା କରିଆସିଛନ୍ତି । ଅବସର ପରେ ବି ତାକୁ ଜାରି ରଖିଛନ୍ତି ।
ତେବେ ବଲାଙ୍ଗୀର ଜିଲ୍ଲାର ଗୁଜିଭଟା ଗ୍ରାମରେ ଜନ୍ମିତ ଶ୍ରୀ ହୋତା ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ ଓ ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ଗବେଷଣା କରିଛନ୍ତି । ସ୍ୱାମୀ ବିବେକାନନ୍ଦଙ୍କ ଉପରେ ବି ଗବେଷଣା କରିଛନ୍ତି । ଓଡ଼ିଶା ପୋଲିସ୍ରେ ଉଚ୍ଚ ପଦରେ ଅବସ୍ଥାପିତ ଅଛନ୍ତି । ସେ ଓଡ଼ିଶା ସାହିତ୍ୟ ଏକାଡେମୀର କାର୍ଯ୍ୟକାରୀ ପରିଷଦର ସଦସ୍ୟ ମଧ୍ୟ ଅଛନ୍ତି । ତାଙ୍କ ଦ୍ୱାରା ରଚିତ ‘କଳ୍ପନା ଅନୁଭବ ଓ ସାହିତ୍ୟ’ ଏବଂ ‘ଚେତନାର ଅନ୍ୱେଷଣ’ ପରି ପ୍ରବନ୍ଧ ବହୁ ଆଦୃତି ଲାଭ କରିଛି ।
ରାଜନୈତିକ ଲେଖକ ଏମ ବିରାପ୍ପା ମୋଇଲୀ ଓ କବି ଅରୁନ୍ଧତୀ ସୁବ୍ରମଣ୍ୟମଙ୍କୁ ମଧ୍ୟ ସାହିତ୍ୟ ଆକାଡେମୀ ପୁରସ୍କାର ମିଳିଛି । ସୁବ୍ରମଣ୍ୟମ ଇଂରାଜୀରେ ହ୍ୱେନ୍ ଗଡ୍ ଇଜ୍ ଏ ଟ୍ରାଭେଲର୍ ଓ ବୀରାପ୍ପା ମୋଇଲି ଫେଷ୍ଟିଭାଲ୍ ଅଫ୍ ଲେଟର୍ସ ପାଇଁ ପୁରସ୍କାର ପାଇଛନ୍ତି ।
ପୂର୍ବରୁ ଜୁରୀମାନଙ୍କ ଦ୍ୱାରା ମନୋନୀତ ପୁସ୍ତକ ତାଲିକାକୁ ଏକାଡେମୀ କାର୍ଯ୍ୟକାରୀ ପରିଷଦ ଗ୍ରହଣ କରିଥିଲେ। ଏକାଡେମୀ ସଭାପତି ଡ. ଚନ୍ଦ୍ରଶେଖର କମ୍ବରଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ସର୍ବସମ୍ମତିକ୍ରମେ ପୁରସ୍କାର ଘୋଷଣା ହୋଇଥିଲା । ସାହିତ୍ୟ ଏକାଡେମୀ ପୁରସ୍କାର ବାବଦରେ ମନୋନୀତ ସାରସ୍ୱତ ପ୍ରତିଭାମାନଙ୍କୁ ତାମ୍ରଫଳକ, ଉପଢ଼ୌକନ ଏବଂ ୧ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ । ବାଲ୍ ଏବଂ ଯୁବ ସାହିତ୍ୟ ପୁରସ୍କାର ଲାଗି ୫୦ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ । ଏକ ସ୍ୱତନ୍ତ୍ର ଉତ୍ସବ ଆୟୋଜନ କରାଯାଇ ପୁରସ୍କୃତ କରାଯିବ ବୋଲି ଏକ ପ୍ରେସ୍ ବିଜ୍ଞପ୍ତିରେ ଏକାଡେମୀ ସଚିବ ଡ. କେ. ଶ୍ରୀନିବାସ ରାଓ ସୂଚନା ଦେଇଛନ୍ତି ।
୨୦ଟି ଭାଷାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ହୋଇଛି । ପରେ ନେପାଳୀ, ଓଡ଼ିଆ, ମାଲାୟଲମ୍ ଏବଂ ରାଜସ୍ଥାନୀ ପାଇଁ ପୁରସ୍କାର ଘୋଷଣା ହେବ । ସେହିପରି ୨୧ଜଣ ସାହିତ୍ୟିକ ପାଇବେ ବାଲ୍ ପୁରସ୍କାର । ପରେ ମାଲାୟଲମ୍, ସଂସ୍କୃତ ଏବଂ ତାମିଲ୍ ଭାଷା ଲାଗି ପୁରସ୍କାର ଘୋଷଣା ହେବ । ୧୮ଟି ଭାଷାରେ ଯୁବ ପୁରସ୍କାର କରାଯାଇଥିଲା ବେଳେ ବେଙ୍ଗଲୀ, ଗୁଜରାଟୀ, ମାଲାୟଲମ୍, ମରାଠୀ, ରାଜସ୍ଥାନୀ ଏବଂ ସିନ୍ଧି ଭାଷାରେ ପରେ ପୁରସ୍କାର ଘୋଷଣା ହେବ ।

