ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ୨୦୨୨-୨୩ ବଜେଟ୍ ପ୍ରସ୍ତୁତି ବେଳେ ସରକାର ଯାହା ଆକଳନ କରିଥିଲେ, ଜାନୁଆରି ୩୧ ତାରିଖ ସୁଦ୍ଧା ରିପୋର୍ଟ କହୁଛି, କେନ୍ଦ୍ର ସରକାର କମ୍ ଅର୍ଥ ଦେଇଛନ୍ତି। ତା ସତ୍ତ୍ବେ ୨୦୨୨-୨୩ବର୍ଷରେ ରାଜ୍ୟ ସରକାର ଖୋଲାବଜାରରୁ ଟଙ୍କାଟିଏ ବି ଋଣ କରିନାହାନ୍ତି। ଚଳିତବର୍ଷ ଜାନୁଆରି ଶେଷ ସୁଦ୍ଧା ରାଜ୍ୟର ମୋଟ ଋଣ ପରିମାଣ ୮୭ ହଜାର କୋଟି ଟଙ୍କା ରହିଛି। ମାର୍ଚ୍ଚ ଶେଷ ବେଳକୁ ଏହା ୯୭ ହଜାର କୋଟି ଟଙ୍କାକୁ ଛୁଇଁପାରେ। ଆଜି ବଜେଟ୍ ଉପସ୍ଥାପନ ପରେ ଅର୍ଥ ବିଭାଗ ଏଭଳି ସୂଚନା ଦେଇଛି। ବିଭାଗ ହିସାବ କରୁଛି ଯେ ଆସନ୍ତାବର୍ଷ ୨୫ ହଜାର ୮୪୪ କୋଟି ଟଙ୍କା ବିତ୍ତୀୟ ନିଅଣ୍ଟ ଥିବାରୁ ୨୦୨୩-୨୪ ବର୍ଷ ଶେଷକୁ ମୋଟ ଋଣ ପରିମାଣ ୧ଲକ୍ଷ ୧୨ ହଜାର କୋଟିକୁ ଛୁଇଁଯିବ।
ପ୍ରତିବର୍ଷ ରାଜ୍ୟ ସରକାର ବଜେଟ୍ ଉପସ୍ଥାପନ କରିବା ବେଳେ ସ୍ବାଭାବିକ ଭାବେ ଗୋଟିଏ ପ୍ରଶ୍ନ ଉଠିଥାଏ ଯେ ଏହି ବଜେଟ୍ ପାଇଁ କେଉଁଠୁ ସମ୍ବଳ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆଉ ଯେତେବେଳେ ପୂରା ବିଶ୍ବରେ ଅର୍ଥନୀତି ଗୋଳମାଳିଆ ସ୍ଥିତିରେ ଅଛି, ସେତେବେଳେ ରାଜ୍ୟ ସରକାରଙ୍କ ବଜେଟ୍ ଗୋଲାପି ଗୋଲାପି ଦିଶିବା ଘଟଣା ସବୁ ମହଲରେ ଉତ୍ସୁକତା ବଢ଼ାଇ ଦେବା ଗୋଟିଏ ସ୍ବାଭାବିକ କଥା।
ଏହି ଦୃଷ୍ଟିରୁ ବଜେଟ୍କୁ ଦେଖିଲେ ଜଣାପଡ଼ୁଛି ଯେ ୨୦୨୩-୨୪ ଆର୍ଥିକ ବର୍ଷରେ ସରକାର ନିଜସ୍ବ ଟିକସ ଉତ୍ସରୁ ୫୩ ହଜାର କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। କେବଳ ସେତିକି ନୁହେଁ, ଏସ୍ଜିଏସ୍ଟିରୁ ୨୨ ହଜାର ୦୪ କୋଟି ଟଙ୍କା, ବିକ୍ରି କରରୁ ୧୩,୨୭୩ କୋଟି ଟଙ୍କା, ମୋଟର ଯାନ ଟିକସରୁ ୨୨୨୬ କୋଟି ଟଙ୍କା, ଜମି ରାଜସ୍ବ ଭାବେ ୮୧୫ କୋଟି ଟଙ୍କା, ଷ୍ଟାମ୍ପ୍ ଓ ପଞ୍ଜୀକରଣ ଫି’ ୨୪୫୧ କୋଟି ଟଙ୍କା, ବିଦ୍ୟୁତ୍ ଟିକସ ଓ ଶୁଳ୍କରୁ ୩୯୩୫ କୋଟି ଟଙ୍କା, ରାଜ୍ୟ ଅବକାରୀ ଟିକସରୁ ୭୭୪୦ କୋଟି ଟଙ୍କା ଏବଂ ଅନ୍ୟାନ୍ୟ ଟିକସ ଓ ଶୁଳ୍କରୁ ୫୫୬କୋଟି ଟଙ୍କା ସଂଗ୍ରହ ହେବ।
ସେହିଭଳି ରାଜ୍ୟର ନିଜସ୍ବ ଅଣ-ଟିକସ ଉତ୍ସରୁ ସରକାର ୫୨ ହଜାର ୫୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି। ସୁଧ ଆୟ ଭାବେ ୨୧୨୯କୋଟି ଟଙ୍କା, ଲାଭାଂଶ ଓ ଲାଭ ଭାବେ ୧୦୦୦ କୋଟି ଟଙ୍କା ଆଦାୟ ହୋଇପାରେ। ସବୁଠାରୁ ବଡ଼ ଅର୍ଥ ଖଣି ରୟାଲ୍ଟିରୁ ୪୫ହଜାର ୨୫୧କୋଟି ଟଙ୍କା ମିଳିବ। ଏହାବ୍ୟତୀତ ବୃହତ ଓ ମଧ୍ୟମ ଜଳସେଚନରୁ ୧,୦୯୨ କୋଟି ଟଙ୍କା ଏବଂ ଅନ୍ୟାନ୍ୟ ଉତ୍ସରୁ ୩୦୨୮ କୋଟି ଟଙ୍କା ମିଳିବ ବୋଲି ଆକଳନ କରାଯାଇଛି।
ଟିକସ ଭାଗବଣ୍ଟାରେ ନିଜ ଭାଗ ସ୍ବରୂପ ରାଜ୍ୟ ସରକାର ୨୦୨୩-୨୪ ଆର୍ଥିକ ବର୍ଷରେ ୪୬ ହଜାର ୨୫୧ କୋଟି ୧୮ଲକ୍ଷ ଟଙ୍କା ପାଇବେ ବୋଲି ବଜେଟ୍ରେ ଉଲ୍ଲେଖ କରିଛନ୍ତି। କେନ୍ଦ୍ରୀୟ ଜିଏସ୍ଟିରୁ ଭାଗ ୧୪ ହଜାର ୯୫୫ କୋଟି ୪୫ଲକ୍ଷ ଟଙ୍କା, କଂପାନି ଟିକସରୁ ୧୪,୮୦୩ ହଜାର ୪୨ ଲକ୍ଷ ଟଙ୍କା, ଆୟ ଓ ସମ୍ପତ୍ତି ଟିକସରୁ ନିଜ ଭାଗ ଭାବେ ୧୪, ୪୦୧କୋଟି ୩୫ ଲକ୍ଷ ଟଙ୍କା, ସୀମା ଶୁଳ୍କରୁ ୧୪୬୭.୧୮ କୋଟି ଟଙ୍କା ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ଶୁଳ୍କ ଓ ଟିକସରୁ ନିଜ ଭାଗ ଭାବେ ରାଜ୍ୟ ସରକାର ୬୨୩.୭୮ କୋଟି ଟଙ୍କା ପାଇବେ ବୋଲି ହିସାବ କରିଛନ୍ତି।
କେନ୍ଦ୍ରରୁ ଅନୁଦାନ ଭାବେ ସରକାର ୩୨,୭୪୮. ୮୨ କୋଟି ଟଙ୍କା ପାଇବେ ବୋଲି ବଜେଟ୍ରେ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। କେନ୍ଦ୍ର ପ୍ରାୟୋଜିତ ସ୍କିମ୍ ବାବଦରେ ୨୬୪୬୯ କୋଟି ୮୪ ଲକ୍ଷ ଟଙ୍କା, କେନ୍ଦ୍ରୀୟ କ୍ଷେତ୍ରର ସ୍କିମ୍ ଭାବେ ୩୭୧.୪୦ କୋଟି ଟଙ୍କା, ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ୨୭୭୫.୫୦ କୋଟି ଟଙ୍କା, ରାଜ୍ୟରୁ ହସ୍ତାନ୍ତର ଭାବେ ୩୧୩୨.୦୮ କୋଟି ଟଙ୍କା ପାଇବାକୁ ବଜେଟ୍ରେ ଲକ୍ଷ୍ୟ ରଖାଯାଇଛି।
ଯଦିଓ କେନ୍ଦ୍ରୀୟ ଅନୁଦାନ ବାବଦରେ ଅର୍ଥ କମି କମି ଯାଉଛି, ତଥାପି ରାଜ୍ୟ ସରକାର ନିଜ ଶକ୍ତି ଉପରେ ଭରସା କରି ବଜେଟ୍ ପ୍ରସ୍ତୁତ କରୁଛନ୍ତି। ଜିଏସ୍ଡିପି ଅଭିବୃଦ୍ଧି ପରିପ୍ରେକ୍ଷୀରେ ସରକାରଙ୍କ ଋଣ କରିବାର କ୍ଷମତା ବୃଦ୍ଧି ପାଉଛି ଓ ଏହାକୁ ସୀମା ଭିତରେ ରହି ପୂର୍ଣ୍ଣ ଉପଯୋଗ କରାଯାଉଛି ବୋଲି ଅର୍ଥ ବିଭାଗ ଅଧିକାରୀ କହିଛନ୍ତି।
ଅର୍ଥ ବିଭାଗ ତଥ୍ୟ ରଖିଛନ୍ତି ଯେ ୨୦୨୩ ଜାନୁଆରି ୩୧ ତାରିଖ ସୁଦ୍ଧା ରାଜ୍ୟର ମୋଟ ଋଣ ପରିମାଣ ୮୭ ହଜାର ୬୨୬ କୋଟି ୬୧ ଲକ୍ଷ ଟଙ୍କା ରହିଛି। ଏଥିରୁ ଖୋଲା ବଜାରରୁ କରାଯାଇଥିବା ଋଣର ପରିମାଣ ମାତ୍ର ୨୩ ହଜାର ୫୫୮ କୋଟି ୭ଲକ୍ଷ ଟଙ୍କା। ଅର୍ଥାତ୍ ସଂପ୍ରତି ସରକାର ଖୋଲା ବଜାରରୁ ଋଣ କରିବା ଲାଗି ବିଶେଷ ଆଗ୍ରହ ରଖୁନାହାନ୍ତି। ଅନ୍ୟପକ୍ଷରେ ଜିପିଏଫ୍ରୁ ୨୨ ହଜାର ୬୩୮ କୋଟି ୩୭ଲକ୍ଷ ଟଙ୍କା, କେନ୍ଦ୍ର ସରକାରଙ୍କ ଠାରୁ ୧୮ ହଜାର ୩୧୬ କୋଟି ୯୪ଲକ୍ଷ ଟଙ୍କା, ନାବାର୍ଡରୁ ୧୬ହଜାର ୭୯୧ କୋଟି ଟଙ୍କା ଋଣ ବାବଦରେ ସରକାର ଆଣିଛନ୍ତି। ସେପଟେ ୨୦୨୨-୨୩ ବର୍ଷରେ ୧୪ ହଜାର ୨୭୭ କୋଟି ୭୨ଲକ୍ଷ ଋଣ ଅର୍ଥ ପରିଶୋଧ ହୋଇଛି। ୨୦୨୨ ଏପ୍ରିଲ ୧ ତାରିଖ ବେଳକୁ ରାଜ୍ୟର ମୋଟ ଋଣ ପରିମାଣ ୯୭ ହଜାର ୨୦୪ କୋଟି ୯୮ଲକ୍ଷ ଟଙ୍କା ଥିଲା।
ଅର୍ଥ ବିଭାଗ କହିଛି ଯେ ଖଣି ସୂତ୍ରରୁ ଓଡ଼ିଶା ସରକାର ସଂପ୍ରତି ଭଲ ଅର୍ଥ ପାଉଛନ୍ତି। ଚଳିତବର୍ଷ ୪୩ ହଜାର କୋଟି ଟଙ୍କା ଏହି ସୂତ୍ରରୁ ମିଳିବା ଲାଗି ଲକ୍ଷ୍ୟ ରଖାଯାଇଥିଲା। ମାତ୍ର ପରେ ସଂଶୋଧିତ ବଜେଟ୍ରେ ଏହାର ପରିମାଣ କମାଇ ୪୦ ହଜାର କୋଟି କରାଯାଇଛି। ଜାନୁଆରି ଶେଷ ସୁଦ୍ଧା ଏହି ସୂତ୍ରରୁ ସରକାର ୩୧ ହଜାର କୋଟି ଟଙ୍କା ପାଇଥିବା କହିଛନ୍ତି। ଆସନ୍ତାବର୍ଷ ୪୫ ହଜାର ୨୫୧ କୋଟି ପାଇବାକୁ ଲକ୍ଷ୍ୟ ରଖାଯାଇଛି।
ଏହି ଅବସରରେ ଅର୍ଥ ବିଭାଗ କହିଛି ଯେ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସରକାର ଏକ ବଜେଟ୍ ଷ୍ଟାବିଲାଇଜେସନ୍ ଫଣ୍ଡ ବା ବଜେଟ୍ ସ୍ଥିରୀକରଣ ପାଣ୍ଠି ପ୍ରତିଷ୍ଠା କରିଥିଲେ। ୧୦ହଜାର କୋଟି ଟଙ୍କାର ଏକ କର୍ପସ ସହିତ ଏହି ପାଣ୍ଠି ସୃଷ୍ଟି କରାଯାଇଥିଲା। ଚଳିତବର୍ଷ ପାଖାପାଖି ୧୨ ହଜାର ୭୦୦ କୋଟି ଟଙ୍କା ଏଥିରେ ଗଚ୍ଛିତ ରଖାଯାଇଛି। କୌଣସି ବିପତ୍ତି ବା ଆର୍ଥିକ ଦୁଃସ୍ଥିତି ବେଳେ ଖର୍ଚ୍ଚ କରିବେ। ଆସନ୍ତାବର୍ଷ ଏଥିରେ ଆଉ ୫ହଜାର କୋଟି ଟଙ୍କା ରଖାଯିବ। ଫଳରେ ଏହି ରାଶିର ପରିମାଣ ୧୭ ହଜାର ୭୦୦ କୋଟିକୁ ବୃଦ୍ଧି ପାଇବ।
ଯେହେତୁ ରାଜ୍ୟର ଆୟ ମୁଖ୍ୟତଃ ଖଣିଜ ସଂପଦ ଉପରେ ନିର୍ଭରଶୀଳ ଏବଂ ଖଣିଜ ଧାତୁର ମୂଲ୍ୟ ଓ ଅନ୍ୟ ରାଜସ୍ବ ଉତ୍ସର ଅନିଶ୍ଚିତତା ରହିଛି; ଏହା ବଜେଟ୍ ଉପରେ ସମ୍ଭାବ୍ୟ ବିପଦକୁ ପ୍ରଶମନ କରିବାରେ ସହଯୋଗ କରିବ।
ଏଠାରେ ଉଲ୍ଲେଖଥାଉକି, ୨୦୨୨-୨୩ ବଜେଟ୍ ପ୍ରସ୍ତୁତ ବେଳେ ରାଜ୍ୟ ସରକାର ହିସାବ କରିଥିଲେ ଯେ କେନ୍ଦ୍ରୀୟ ଟିକସରେ ରାଜ୍ୟ ଅଂଶ ବାବଦରେ ଓଡ଼ିଶାକୁ ୩୬ ହଜାର ୯୭୭ କୋଟି ୮୮ଲକ୍ଷ ଟଙ୍କା ମିଳିବ। ମାତ୍ର ୨୦୨୩ ଜାନୁଆରି ଶେଷ ସୁଦ୍ଧା ୨୪ ହଜାର ୬୯୫ କୋଟି ୪୬ଲକ୍ଷ ଟଙ୍କା ମିଳିଛି। ସେହିଭଳି କେନ୍ଦ୍ରୀୟ ଅନୁଦାନ ବାବଦରେ ୩୨ ହଜାର ୭୮୮ କୋଟି ୬୪ଲକ୍ଷ ଟଙ୍କା ମିଳିବ ବୋଲି ହିସାବ କରାଯାଇଥିଲା। ଏହି ସମୟ ସୁଦ୍ଧା ୧୩ ହଜାର ୨୭୭ କୋଟି ୬୪ଲକ୍ଷ ଟଙ୍କା ମିଳିଛି। ୨୦୨୧ ତୁଳନାରେ ଜାନୁଆରି ସୁଦ୍ଧା ୨୪ ପ୍ରତିଶତ କମ୍ ଅର୍ଥ କେନ୍ଦ୍ର ସରକାର ଏ ବାବଦରେ ପ୍ରଦାନ କରିଛନ୍ତି। ଏହିପରି କେନ୍ଦ୍ର ସୂତ୍ରରୁ ଓଡ଼ିଶା ୬୯ ହଜାର ୭୬୬ କୋଟି ଟଙ୍କା ପାଇବାକୁ ଲକ୍ଷ୍ୟ ରଖିଥିବା ବେଳେ ଜାନୁଆରି ୩୧ ତାରିଖ ସୁଦ୍ଧା ୩୭ ହଜାର ୯୭୩ କୋଟି ଟଙ୍କା ମିଳିଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l