ରାଜ୍ୟ

ସାଲେପୁର ରାଜନୀତିରେ ହଟଚମଟ: ବିଜେପିରୁ ପ୍ରକାଶଙ୍କ ଇସ୍ତଫା

କଟକ: କଟକ ରାଜନୀତିରେ ଦଳ ବଦଳର ଧାରା ଜାରି ରହିଛି। ଆଜି ଏହି କ୍ରମରେ କଟକ ଜିଲ୍ଲା ବିଜେପି ସଭାପତି ତଥା ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ଦଳରୁ ଇସ୍ତଫା ଦେଇଛନ୍ତି। ପ୍ରକାଶ ଯଦିଓ ଏଯାଏ ତାଙ୍କର ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ଘୋଷଣା କରି ନାହାନ୍ତି କିନ୍ତୁ ସେ ଖୁବଶୀଘ୍ର ବିଜେଡିରେ ମିଶିବାକୁ ଯାଉଥିବା ଏକ ପ୍ରକାର ନିଶ୍ଚିତ ହୋଇସାରିଛି। ଏଭଳି ସ୍ଥିତିରେ ସାଲେପୁରର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରତି ବିପଦ ବଢିବାରେ ଲାଗିଛି। ପ୍ରଶାନ୍ତଙ୍କ ସ୍ଥାନରେ ପ୍ରକାଶଙ୍କୁ ହୁଏତ ବିଜେଡି ଅଗ୍ରାଧିକାର ଦେଇ ପାରେ ବୋଲି ଆକଳନ କରାଯାଉଛି। ପ୍ରକାଶ ସାଲେପୁରରୁ ଲଗାତାର ଭାବେ ଲଢି ଆସୁଛନ୍ତି। କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇ ସେ ଦୁଇ ଥର ପରାସ୍ତ ହେବା ପରେ ୨୦୧୪ ନିର୍ବାଚନରେ ପ୍ରଶାନ୍ତଙ୍କୁ ହରାଇ ବିଜୟୀ ହୋଇଥିଲେ। କିନ୍ତୁ ୨୦୧୯ ନିର୍ବାଚନ ପୂର୍ବରୁ ସେ ବିଜେପିରେ ସାମିଲ ହୋଇଥିବା ବେଳେ ସାଲେପୁରରୁ ପୁଣି ନିର୍ବାଚନ ଲଢି ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କ ଠାରୁ ପରାସ୍ତ ହୋଇଥିଲେ। ଗଲା ଦୁଇଟି ନିର୍ବାଚନରେ ପରସ୍ପରର ପ୍ରତିଦ୍ବନ୍ଦ୍ବୀ ରହି ଆସିଥିବା ପ୍ରଶାନ୍ତ ଓ ପ୍ରକାଶ ଯଦି ଗୋଟିଏ ଦଳରେ ରହିବେ, ସାଲେପୁର ରାଜନୀତିରେ ତାହାର କିଭଳି ପ୍ରଭାବ ରହିବା ତାହା ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

ଆଜି ପ୍ରକାଶ ତାଙ୍କର ଇସ୍ତଫାପତ୍ର ଦଳର ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ପଠାଇଛନ୍ତି। ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ବିଜେପିରେ ତାଙ୍କ ପାଇଁ ‌କୌଣସି ସମସ୍ୟା ନଥିଲା। ଟିକେଟ୍ ପାଇବାରେ ବି କୌଣସି ସମସ୍ୟା ନଥିଲା। କିନ୍ତୁ ସେ ଦଳରେ ନିଜକୁ ଆଡଜଷ୍ଟ କରି ପାରିଲେ ନାହିଁ। ବିଜେପିରେ ଯୋଗଦେଇ ଜିଲ୍ଲା ସଭାପତି ଦାୟିତ୍ବ ନେବା ପରଠାରୁ ସେ ଦଳ ପ୍ରତି ବିଶ୍ବସନୀୟତା ରଖିବା ସହ ଦଳକୁ ଅଧିକ ସୁସଙ୍ଗଠିତ କରି ଆଗକୁ ନେବା ପାଇଁ ଉଦ୍ୟମ କରି ଆସିଛନ୍ତି। କିନ୍ତୁ କେତେକ ନେତୃବୃନ୍ଦଙ୍କ ସହିତ କେଉଁଠି ନା କେଉଁଠି ସମସ୍ୟା ରହିଲା, ଯାହାକୁ ନେଇ ତାଙ୍କର ଅସନ୍ତୋଷ ବି ରହିଥିଲା। ସଙ୍ଗଠନ ଦାୟିତ୍ବରେ ଥିବା ବ୍ୟକ୍ତିଙ୍କୁ ଗୁରୁତ୍ବ ଦିଆଯିବା ଦରକାର। ଏ ସଂପର୍କରେ ନେତୃବୃନ୍ଦଙ୍କ ସହ ଆଲୋଚନା କରି ବି ବିଶେଷ କିଛି ସୁଫଳ ମିଳି ନଥିଲା। ଯାହା ମୁଁ ଆଶା କରୁଥିଲି ତାହା ହୋଇପାରିଲା ନାହିଁ। ଦଳ ଓ ସଙ୍ଗଠନକୁ ଯେଉଁ ସ୍ତରରେ ନେବାକୁ ଚାହୁଁଥିଲି ସେଭଳି କରିପାରିଲି ନାହିଁ। ଏଥିପାଇଁ ମୋର ଅବ‌ସୋସ ରହିଗଲା। ସେଥିପାଇଁ ପ୍ରକାଶ ନିଜକୁ ମଧ୍ୟ ଦାୟୀ କରିଛନ୍ତି। ବିଜେପିରୁ ଇସ୍ତଫା ଦେବା‌ପରେ ସେ ତାଙ୍କ ଘରେ ନିଜର ‌ଶୁଭେଚ୍ଛୁ ଓ କର୍ମୀଙ୍କୁ ନେଇ ବୈଠକ କରିଛନ୍ତି। କଟକ ଜିଲ୍ଲାର ୯ଟି ବିଧାନସଭା ନିର୍ବାଚନମଣ୍ଡଳୀରୁ ୬ଟି ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ତାର ପ୍ରାର୍ଥୀ ତାଲିକା ଘୋଷଣା କରିସାରିଥିବା ବେଳେ ସାଲେପୁର, ମାହାଙ୍ଗା ଓ ବାରବାଟୀ-କଟକ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିନି। ଏଭଳି ସ୍ଥିତିରେ ସାଲେପୁରରୁ ବିଜେଡି କାହାକୁ ପ୍ରାର୍ଥୀ କରିବ, ତାହା ଖୁବଶୀଘ୍ର ସ୍ପ‌ଷ୍ଟ ହୋଇଯିବ ବୋଲି ଆଶା କରାଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।