ଟାଙ୍ଗୀ ୨।୮: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳରେ ହତ୍ୟାକାଣ୍ଡ । ସାମାନ୍ୟ ବଚସାକୁ ନେଇ ଦୁଇ ପରିବାର ମଧ୍ୟରେ ତୁମୂଳକାଣ୍ଡ ଘଟିଥିଲା । ପରେ ଏହା ଉଗ୍ର ରୂପ ନେଇ ଜଣଙ୍କର ମୁଣ୍ଡ ଗଡିଛି । ମୃତ ବ୍ୟକ୍ତି ଜଣଙ୍କ ବାଲୁଗାଁ ଥାନା ଅଧିନସ୍ଥ ରଘୁନାଥପୁର ଗ୍ରାମର ରଙ୍କନାଥ ସାହୁ । ବାଲୁଗାଁ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କ ମଧ୍ୟରୁ ୪ଜଣଙ୍କୁ ଗିରଫ କରିଛି ।
ସୂଚନାଯୋଗ୍ୟ ଯେ, ବାଲୁଗାଁ ସ୍ଥିତ ଚିଲିକା କୂଳରେ ସୋମବାର ବିଳମ୍ବିତ ରାତିରେ ରଘୁନାଥପୁର ଗାଁର ରଙ୍କନାଥ ସାହୁଙ୍କ ନାତିଙ୍କ ସହ ସେହି ଗ୍ରାମର ପଞ୍ଚୁ ରାଉତ, ଦାମ ରାଉତ, ଡାକ ରାଉତ, ରାଜ ରାଉତଙ୍କର ସାମାନ୍ୟ କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା । ପରେ ରାଉତ ପରିବାର ଲୋକମାନେ ସଂଘବଦ୍ଧ ହୋଇ ରଙ୍କନାଥଙ୍କ ଘରେ ବଳପୂର୍ବକ ପ୍ରବେଶ କରି ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ମାରପିଟରେ ରଙ୍କନାଥ ଗୁରୁତର ହୋଇଥିବା ବେଳେ ତାଙ୍କ ପରିବାର ଲୋକେ ଆହତ ହୋଇଥିଲେ । ରଙ୍କନାଥଙ୍କୁ ଚିକିତ୍ସା ପାଇଁ ବାଲୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଯାହାକୁ ନେଇ ଗାଁରେ ଚାପା ଉତ୍ତେଜନା ଦେଖାଦେଇଛି । ତଦନ୍ତ ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହେବ । ଘଟଣାରେ ସଂପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି ।