ବାଣପୁର : ପୂର୍ବ ଶତ୍ରୁତାରୁ ଗ୍ରାମର କେତେଜଣ ମହିଳା ସଂଘବଦ୍ଧ ଭାବେ ଅନ୍ୟଜଣେ ମହିଳାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହୋଇଥିବା ମହିଳାଙ୍କ ପରିବାର ୪ ମାସ ହେବ ସାମାଜିକ ବାସନ୍ଦର ଶିକାର ହେବାସହିତ ଅକଥନୀୟ ନିର୍ଯାତନା ଭୋଗୁଛନ୍ତି। ଏହି ଆକ୍ରମଣ ଘଟଣା ପଛରେ ଯାହା ଲୁଚି ରହିଛି, ତାହା ଅତ୍ୟନ୍ତ ସ୍ପର୍ଶକାତର ଓ ବେଦନାଦାୟକ। ମାଡ଼ଖାଇ ମହିଳା ଜଣକ ଦୁଇଘଣ୍ଟା ଧରି ରାସ୍ତାରେ ପଡ଼ିଥିବାବେଳେ ତାଙ୍କର ୩ଜଣ କୁନିକୁନି ପିଲା ଅସହାୟ ଅବସ୍ଥାରେ ଚାହିଁ ରହିଥିଲେ। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା କୁମାରାଙ୍ଗ ପଞ୍ଚାୟତ ଅନ୍ତର୍ଗତ ନାରଣଦେଈପୁର ଗ୍ରାମରେ ଏହିଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି।
ସୂଚନା ଅନୁସାରେ, ୨୦୧୬ ମସିହାରେ ମହିଳାଙ୍କ ନାବାଳିକା କନ୍ୟା ଦୁଷ୍କର୍ମ ପୀଡ଼ିତା ହେବାପରେ ପରିବାର ନ୍ୟାୟଭିକ୍ଷା କରି ପୁଲିସର ଦ୍ବାରସ୍ଥ ହୋଇଥିଲେ। ନ୍ୟାୟ ମିଳିବା ତ ଦୂରର କଥା, ପୁଲିସ ଚାପଗ୍ରସ୍ତ ହୋଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଲାନାହିଁ। ଏହାର ସୁଯୋଗରେ ମହିଳାଙ୍କ ପରିବାରକୁ ଗ୍ରାମରୁ ବାସନ୍ଦ କରାଗଲା। ଆଜି ସକାଳେ ସମ୍ପୃକ୍ତ ମହିଳା ନିଜ ବାଡ଼ିରୁ ଫୁଲ ତୋଳୁଥିବା ସମୟରେ ଗ୍ରାମର କେତେଜଣ ମହିଳା ତାଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଫଳରେ, ସେ ଗୁରୁତର ଆହତ ହୋଇ ଚେତାଶୂନ୍ୟ ଅବସ୍ଥାରେ ଗଁା ରାସ୍ତାରେ ଦୁଇ ଘଣ୍ଟା ଧରି ପଡ଼ି ରହିଥିଲେ। ପାଖରେ ଥିଲେ ମହିଳାଙ୍କ କୁନିକୁନି ୩ଟି ପିଲା। ସେମାନେ ଅସହାୟ ଅବସ୍ଥାରେ ମା’ଙ୍କୁ ଚାହିଁ ରହିଥିଲେ। ଅତ୍ୟନ୍ତ କରୁଣ ପରିସ୍ଥିତି ସୃଷ୍ଟି କରିଥିଲା ଏହି ଦୃଶ୍ୟ। ପରିବାର ଲୋକଙ୍କଠାରୁ ଖବର ପାଇ ପୁଲିସ ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ତେବେ, ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରିଛି।
ଉଲ୍ଲେଖଯୋଗ୍ୟ ଯେ ୨୦୧୬ ମସିହା ନଭେମ୍ବର ୧୪ ତାରିଖରେ ମହିଳାଙ୍କ ୫ ବର୍ଷର ଝିଅ ଦାଣ୍ଡରେ ଖେଳୁଥିଲେ। ସେହି ଗ୍ରାମର ମୋହନ ବେହେରା (୬୫) ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ଡାକିନେଇ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଥିଲା। ଘଟଣାକୁ ଚପାଇଦେବା ପାଇଁ ପୀଡ଼ିତାଙ୍କ ମା’ଙ୍କୁ କୁଆଡ଼େ କେତେଜଣ ରାଜନେତା ୧୫ ହଜାର ଟଙ୍କା ଯାଚିଥିଲେ। କିନ୍ତୁ, ସେ ଟଙ୍କା ନେବାପାଇଁ ମନା କରିବାରୁ ଅଭିଯୁକ୍ତଙ୍କ ସହ କିଛି ବ୍ୟକ୍ତି ତାଙ୍କୁ ମାରିଦେବା ପାଇଁ ଧମକ ଦେଇଥିଲେ। ସେତିକି ନୁହେଁ, ପୀଡ଼ିତାଙ୍କ ମା’ ୪ଥର ବାଣପୁର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ହୋଇଥିଲା। ଏପଟେ ତାଙ୍କ ପରିବାରକୁ ୧୦ମାସ ଧରି ସାମାଜିକ ବାସନ୍ଦ କରାଯାଇଛି। ଏ ନେଇ ସେ ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହୋଇଥିଲେ।