କଟକ: ବେଙ୍ଗାଲୁରୁରେ ଶେଷ ହୋଇଥିବା ସର୍ବଭାରତୀୟ ପୁଲିସ୍ ହକି ପ୍ରତିଯୋଗିତାରେ ରଶ୍ମିତା ମିଞ୍ଜ୍ଙ୍କ ହ୍ୟାଟ୍ରିକ୍ ବଳରେ ଓଡ଼ିଶା ମହିଳା ଦଳ କା˚ସ୍ୟ ପଦକ ଜିତିଛି। ତୃତୀୟ ସ୍ଥାନ ପାଇଁ ମୁକାବିଲାରେ ଓଡ଼ିଶା ଦଳ ୬-୦ ଗୋଲ୍ରେ ମହାରାଷ୍ଟ୍ର ପୁଲିସ୍କୁ ହରାଇଥିଲା। ରଶ୍ମିତା ମିଞ୍ଜ ୪ ଓ ଏଲିନ୍ ଲାକ୍ରା ୨ ଗୋଲ୍ ଦେଇ ଓଡ଼ିଶାକୁ ଏକପାଖିଆ ବିଜୟ ଭେଟି ଦେଇଥିଲେ। ପ୍ରଥମ କ୍ବାର୍ଟରରେ ରଶ୍ମିତା ମିଞ୍ଜ୍ ପ୍ରଥମ ଗୋଲ୍ ଦେଇଥିଲା ବେଳେ ଦ୍ବିତୀୟ ଓ ତୃତୀୟ କ୍ବାର୍ଟରରେ ପେନାଲ୍ଟି କର୍ଣ୍ଣରରୁ ଗୋଟିଏ ଲେଖାଏଁ ଗୋଲ୍ କରି ହ୍ୟାଟ୍ରିକ୍ ଅର୍ଜନ କରିଲେ।
ଏହି ତିନିଟି ଗୋଲ୍ ଯଥାକ୍ରମେ ୬, ୨୩ ଓ ୩୭ତମ ମିନିଟ୍ରେ କରିଥିଲେ। ତୃତୀୟ କ୍ବାର୍ଟରରେ ଏଲିନ୍ ଲାକ୍ରା ୩୮ତମ ମିନିଟ୍ରେ ଚତୁର୍ଥ ଗୋଲ ଦେଇଥିଲା ବେଳେ ପରବର୍ତ୍ତୀ ମିନିଟ୍ରେ ରଶ୍ମିତା ନିଜର ଚତୁର୍ଥ ଗୋଲ୍ ସ୍କୋର କରିଥିଲେ। ତୃତୀୟ କ୍ବାର୍ଟରର ସମସ୍ତ ଗୋଲ୍ ପେନାଲ୍ଟିରୁ ଆସିଥିଲା। ଶେଷ କ୍ବାର୍ଟରର ୫୬ ମିନିଟ୍ରେ ଏଲିନ୍ ଦ୍ବିତୀୟ ଗୋଲ ଦେଇ ଓଡ଼ିଶାକୁ ଏକପାଖିଆ ବିଜୟୀ କରାଇଥିଲେ।
ମହିଳା ବର୍ଗରେ ସିଆର୍ପିଏଫ୍କୁ ୩-୧ ଗୋଲ୍ରେ ପରାସ୍ତ କରି ସଶସ୍ତ୍ର ସୀମା ବଳ ବିଜେତା ହୋଇ ସ୍ବର୍ଣ୍ଣ ପଦକ କରାୟତ କରିଛି। ଅନ୍ୟପକ୍ଷରେ ପୁରୁଷ ବର୍ଗରେ ପଞ୍ଜାବ ପୁଲିସ ୭-୧ ଗୋଲ୍ରେ ଆଇଟିବିପିକୁ ପରାସ୍ତ କରି ବିଜେତା ହୋଇଛି।
ଜାତୀୟ କନିଷ୍ଠ ହକି ପାଇଁ ଓଡ଼ିଶା ଦଳ

ଭୁବନେଶ୍ବର: ତାମିଲନାଡ଼ୁର କୋଭିଲପଟିଠାରେ ଚଳିତ ମାସ ୧୬ରୁ ୨୫ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଜାତୀୟ କନିଷ୍ଠ ପୁରୁଷ ହକି ପ୍ରତିଯୋଗିତା ଲାଗି ଓଡ଼ିଶା ଦଳ ଶୁକ୍ରବାର ସେଠାକୁ ଯାତ୍ରା କରିଛି। ଦଳରେ ସ୍ଥାନ ପାଇଥିବା ଖେଳାଳିମାନେ ହେଲେ ଆକାଶ ତିର୍କି, ଅମନଦୀପ ଲାକ୍ରା, ସିରିଲ ଲୁଗୁନ, ଲବନ ଲୁଗୁନ୍, ରୋଶନ କୁଜୁର, ମଙ୍ଗଳ ଲୋହାର, ସୁନିତ ଲାକ୍ରା, ସୁନିଲ ଯୋଯୋ, ଇନୋସେଣ୍ଟ ମୁଣ୍ଡା, ସୁଶାନ୍ତ ଟପ୍ପୋ, ମାତିଆସ ଡଙ୍ଗ, ସୁଦୀପ ଚିର୍ମାକୋ, ବିକାଶ କୁଜୁର, ପ୍ରଶାନ୍ତ ଲାକ୍ରା, ପଉଲସ୍ ଲାକ୍ରା, ଦୀପକ ମିଞ୍ଜ୍ ଓ ସବ୍ୟସାଚୀ ମିଞ୍ଜ୍।
ସୁଶୀଲ କିରୋ (ପ୍ରବନ୍ଧକ), ବିଜୟ କୁମାର ଲାକ୍ରା (ପ୍ରଶିକ୍ଷକ), ସୋଭେନ୍ କୁମାର (ଫିଜିଓ) ଦଳ ସହ ରହିଛନ୍ତି। ସୁଶୀଲ, ବିଜୟ ଓ ସୋଭେନ୍ଙ୍କର ପୂର୍ବରୁ ବହୁ ପ୍ରତିଯୋଗିତାର ଅଭିଜ୍ଞତା ଥିବାରୁ ଏବଂ ଓଡ଼ିଶା ଦଳରେ ସୁନିଲ ଯେଯୋ ଓ ସୁଦୀପ ଚିର୍ମକୋଙ୍କ ଭଳି ଖେଳାଳି ଥିବାରୁ ରାଜ୍ୟ ଦଳ ଏହି ପ୍ରତିଯୋଗିତାରେ ପଦକ ଜିତିବାର ଯଥେଷ୍ଟ ସମ୍ଭାବନା ରହିଛି।